ମତ୍ସଜୀବୀଙ୍କୁ ବୋଟ୍‌, ଜାଲ ଦେବ ଷ୍ଟେଟ୍‌ ବ୍ୟାଙ୍କ

ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବ। ବ୍ୟାଙ୍କ ପକ୍ଷରୁ ୫୦୦ ମତ୍ସ୍ୟଜୀବୀଙ୍କୁ ଜାଲ ଓ ବୋଟ୍ ପ୍ରଦାନ କରାଯିବ। ଗରିବ ଲୋକମାନଙ୍କୁ ୧୯ ହଜାର ମଶାରି ବଣ୍ଟନ କରାଯିବ। ଏହା ବ୍ୟତୀତ ରାଜ୍ୟରେ ସବୁଜିମା ଫେରାଇ ଆଣିବା ନିମନ୍ତେ ବ୍ୟାଙ୍କର ୮୭୨ଟି ଶାଖା ଅତିକମ୍‌ରେ ୧୦୦ ଲେଖାଏଁ ଗଛ ଲଗାଇବେ ବୋଲି ଷ୍ଟେଟ୍‌ ବ୍ୟାଙ୍କର ପରିଚାଳନା ନିର୍ଦେଶକ ପି କେ ଗୁପ୍ତା କହିଛନ୍ତି। ପୁରୀ ଠାରେ ଆୟୋଜିତ ଏକ ପୁନର୍ବାସ ଶିବି‌ରରେ ସେ ଯୋଗଦେଇଥିଲେ। ବାତ୍ୟା ଫନି ପରେ ବ୍ୟାଙ୍କ କିଭଳି ଏହାର ଗ୍ରାହକମାନଙ୍କୁ ସେବା ଯୋଗାଇ ଦେଉଛି ତାହାର ସେ ସମୀକ୍ଷା କରିଥିଲେ। ପୁନରୁଦ୍ଧାର କରାଯାଇଥିବା ଏକ ଏଟିମ୍‌କୁ ସେ ଉଦ୍‌ଘାଟନ କରିଛନ୍ତି। ରାଜ୍ୟର ପ୍ରଗତିରେ ବ୍ୟାଙ୍କ ସବୁ ବେଳେ ସାଥୀ ହୋଇ ରହିବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ସୂଚନା ଦେଇଛନ୍ତି ଯେ, ବ୍ୟାଙ୍କ ତରଫରୁ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ୧୧,୦୦୦ ଗ୍ରାହକଙ୍କୁ ପୁନର୍ବାସ ଋଣ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ୧୩୦୦ ଏସ୍‌ଏଚ୍‌ଜି, ୮୦୦୦ ପିଏମ୍‌ଇଜିପି ଓ ମୁଦ୍ରା ଋଣ ଦିଆଯାଇଥିବା ବେଳେ ୨୦୦ ହିତାଧିକାରୀଙ୍କ ଋଣର ପୁନର୍ଗଠନ କରାଯାଇଛି। ଏହି ଅବସରରେ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ସିଜିଏମ୍ ପ୍ରବୀଣା କାଲା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର