ୟେସ୍ ବ୍ୟାଙ୍କ ସଙ୍କଟ ସୁଧାରିବା ଲାଗି କେନ୍ଦ୍ର ସରକାର ଷ୍ଟେଟ୍ ବ୍ୟାଙ୍କ ଉପରେ ଚାପ ପକାଉଛନ୍ତି : ପି. ଚିଦମ୍ବରମ୍

ନୂଆଦିଲ୍ଲୀ: ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ କରି ୟେସ୍ ବ୍ୟାଙ୍କର ୪୯% ଅଂଶଧନ ଷ୍ଟେଟ ବ୍ୟାଙ୍କ କିଣିବା ନେଇ ସ୍ପଷ୍ଟ ସୂଚନା ଦିଆଯିବା ପରେ ଏ ସଂକ୍ରାନ୍ତରେ ମୁହଁଖୋଲିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ୍। ସେ  କହିଛନ୍ତି ଯେ ଯାହା ଜଣାପଡ଼ୁଛି ସରକାରୀ ଚାପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୟେସ୍ ବ୍ୟାଙ୍କ ଅଂଶଧନ କିଣିବାକୁ ରାଜି ହୋଇଛି। ଏସବିଆଇ ନିଜ ଆଡୁ ୟେସ୍ ବ୍ୟାଙ୍କକୁ ଦୁଃସ୍ଥିତିରୁ ମୁକୁଳାଇବାକୁ ବାହାରି ଆସିବା ଘଟଣାକୁ ନେଇ ତାଙ୍କର ସନ୍ଦେହ ରହିଛି ବୋଲି ପ୍ରକାଶ କରିଛନ୍ତି ଚିଦମ୍ବରମ୍। ଯେଭଳି ଏଲଆଇସିକୁ ଆଡିବିଆଇ ବ୍ୟାଙ୍କକୁ ବଞ୍ଚାଇବା ଲାଗି ବ୍ୟବହାର କରାଯାଇଥିଲା ସେଭଳି ଭାବେ ଏଠାରେ ଏସବିଆଇକୁ ସରକାର ଚାପରେ ଆଣିଛନ୍ତି। କେନ୍ଦ୍ର ସରକାରଙ୍କ ତ୍ରୁଟିଯୁକ୍ତ ଆର୍ଥିକ ପରିଚାଳନାରେ ଯୋଗୁ ଗୋଟିଏ ପ‌ରେ ଗୋଟିଏ ଆର୍ଥିକ ଅନୁଷ୍ଠାନ ନଷ୍ଟ ହୋଇଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଶନିବାର ସକାଳେ  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ କରି କୁହାଯାଇଛି କି ୟେସ୍ ବ୍ୟାଙ୍କର ୪୯% ଅଂଶଧନ ଷ୍ଟେଟ ବ୍ୟାଙ୍କ କିଣିପାରେ। ଏଥିଲାଗି ଏସବିଆଇ ପରିଚାଳନା ବୋର୍ଡ ‘ନୀତିଗତ’ ଅନୁମୋଦନ ଦେଇଛି। ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, ୟେସ୍ ବ୍ୟାଙ୍କକୁ ସ୍ବାଭାବିକ କରିବାକୁ ବର୍ତମାନ ୨୦ ହଜାର କୋଟି ଆବଶ୍ୟକ । ଆଉ ଏସବିଆଇ ୨୪୫୦ କୋଟି ଟଙ୍କା ନିବେଶ କରିବାର ଲକ୍ଷ୍ୟ ରଖିଛି । ଏଥିସହ ନିବେଶକଙ୍କ ଜମାରାଶି ସୁରକ୍ଷିତ ଅଛି ବୋଲି ଗତକାଲି ସୂଚନା ଦେଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀର ୟେସ ବ୍ୟାଙ୍କ ଶାଖାରେ ଜଗନ୍ନାଥଙ୍କ ୫ଶହ ୪୫ କୋଟି ଟଙ୍କା ଜମା ରହିଛି । ଆଉ ୟେସ୍ ବ୍ୟାଙ୍କର ସ୍ଥିତି ଯୋଗୁଁ ଏହି ଟଙ୍କା ଫେରିବ ନା ନାହିଁ ତା ଉପରେ ସନ୍ଦେହ ପ୍ରକାଶ ପାଇଛି ।

ଉଳ୍ଲେଖଯୋଗ୍ୟ, ଘରୋଇ କ୍ଷେତ୍ରର ବ୍ୟାଙ୍କ ୟେସ୍‌ ବ୍ୟାଙ୍କର ସ୍ଥିତି ବହୁତ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ସରକାର କଟକଣା ଲଗାଇଛନ୍ତି। ବ୍ୟାଙ୍କର କୌଣସି ଗ୍ରାହକ ଆସନ୍ତା‌ ୩୦ ଦିନ ଭିତରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। ଗତକାଲି ଏନେଇ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିସହ ୟେସ୍‌ ବ୍ୟାଙ୍କର ବୋର୍ଡ‌କୁ ରିଜର୍ଭ ବ୍ୟାଙ୍କ ତତ୍କାଳ ନିଜ ହାତକୁ ନେଇଯାଇଛି। ବ୍ୟାଙ୍କର ଦେଖାଶୁଣା କରିବା ଲାଗି ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ଏହାପରେ ୟେସ୍‌ ବ୍ୟାଙ୍କର ୪୯% ଅଂଶଧନକୁ କିଣିବା ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଏଲ୍‌ଆଇସିକୁ ସରକାର କହିଥିବା ସମ୍ପର୍କରେ ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର