ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରବନ୍ଧନ ସମ୍ମିଳନୀ

ଭୁବନେଶ୍ବର: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ତିନିଦିନବ୍ୟାପୀ ଅନ୍ତର୍ଜାତୀୟ ପ୍ରବନ୍ଧନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ‘ବ୍ରିକ୍ସ ଅର୍ଥନୀତିର ଉତ୍‌ଥାନ: ଏକ ନବ ଅନ୍ତଃରାଷ୍ଟ୍ରୀୟକରଣ’ ଶୀର୍ଷକ ଉକ୍ତ ସମ୍ମିଳନୀକୁ ପ୍ରାକ୍ତନ ବୈଦେଶିକ ସଚିବ ଲଳିତ ମାନସିଂ ଉଦ୍‌ଘାଟନ କରିଥିଲେ। ଏଥିରେ ନଟିଂହାମ୍ ବିଶ୍ବିବିଦ୍ୟାଳୟ ମାଲେସିଆର ଭାଇସ୍ ପ୍ରୋଭୋଷ୍ଟ୍‌ ପ୍ରଫେସର ଫରସିମ୍ ଓମ୍‌ , ଡ ରୋଜାଲିନ ଏମ. ଫର୍ଣ୍ଣାଣ୍ଡିସ୍‌-ଚୁଙ୍ଗ୍‌, ବଙ୍ଗଳାଦେଶସ୍ଥିତ କୃଷି ଓ ବୈଷୟିକ ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟର କୁଳସଚିବ ଲୁଫତାର ରହମାନ୍ ସମ୍ମାନିତ ଅତିଥିଭାବେ ଯୋଗଦେଇ ବ୍ରିକ୍ସ ଅର୍ଥନୀତିର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧ୍ୟକ୍ଷ ଡ ପ୍ରଫେସର ବିଶ୍ବଜିତ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଉଦଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ପୁସ୍ତକ ‘ନ୍ୟୁ ଗ୍ଲୋବାଲାଇଜେସନ:ଇଣ୍ଟିଗ୍ରେଟିଙ୍ଗ୍‌ ପିପୁଲ୍‌, ଟେକ୍ନୋଲୋଜି ଆଣ୍ଡ ମାର୍କେଟ୍‌’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ କଲ୍ୟାଣ ଶଙ୍କର ରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରୋ-ଭାଇସ୍ ଚାନସେଲର ପ୍ରଫେସର ଡ ଫାଲଗୁ ନିରଞ୍ଜନା ଉପସ୍ଥିତ ଥିଲେ। ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ପ୍ରାକ୍ତନ ରାଷ୍ଟଦୂତ ଅବସର ବେଉରିଆ, ପ୍ରାକ୍ତନ ରାଷ୍ଟ୍ରଦୂତ ମଳୟ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ ବିବେକ ପଟ୍ଟନାୟକ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏହି ତିନି ଦିନିଆ ସମ୍ମିଳନୀରେ ଏକାଧିକ ବୈଷୟିକ ଅଧିବେଶନ ହୋଇଥିଲା। ଏଥିରେ ଶତାଧିକ ପ୍ରବନ୍ଧନ ପ୍ରାଧ୍ୟାପକ, ଗବେଷକ ଓ ବିଦ୍ୟାର୍ଥୀ ଯୋଗଦେଇ ସେମାନଙ୍କ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର