ଟେଲିକମ୍ କଂପାନିଙ୍କୁ ସୁପ୍ରିମ୍‌କୋର୍ଟ ଝଟ୍‌କା, ସରକାରଙ୍କୁ ଗଣିବେ ୯୨ ହଜାର କୋଟି

ନୂଆଦିଲ୍ଲୀ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଯୋଗୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଟେଲିକମ୍‌ କଂପାନିଗୁଡ଼ିକୁ ସୁପ୍ରିମ କୋର୍ଟ ଆଜି ବଡ଼ ଝଟ୍‌କା ଦେଇଛନ୍ତି। ଆଡ୍‌ଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ମାମଲାର ଶୁଣାଣି କରି କୋର୍ଟ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏଥି ସହିତ ସରକାରଙ୍କୁ ୯୨ ହଜାର କୋଟି ଟଙ୍କା ଦେବାକୁ ଟେଲିକମ୍‌ କଂପାନିଗୁଡ଼ିକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏଜିଆର୍‌କୁ ନେଇ ଟେଲିକମ୍ କଂପାନି ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା। ଏହି ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିଥିଲା। ବିଚାରପତି ଅରୁଣ ମିଶ୍ର, ଏ ଏ ନାଜିର ଓ ଏମ୍‌ ଆର୍‌ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି।

କୋର୍ଟଙ୍କ ରାୟକୁ ନେଇ ଆମେ ହତାଶ ବୋଲି ଟେଲିକମ୍ କଂପାନିଗୁଡ଼ିକ କହିଛନ୍ତି। ଭାରତୀ ଏୟାରଟେଲ୍‌ ପକ୍ଷରୁ କୁହାଯାଇଛି, ଏହି ରାୟ ହତାଶାଜନକ ଏବଂ ଏହା ଟେଲିକମ୍ କ୍ଷେତ୍ରର ସ୍ଥିତିକୁ ଆହୁରି ଖରାପ କରିବ। ଯେତେବେଳେ ସାରା ଟେଲିକମ୍ ଶିଳ୍ପ ଆର୍ଥିକ ସ୍ଥିତିକୁ ନେଇ ସଂଘର୍ଷ କରୁଛନ୍ତି, ସେଭଳି ଏକ ସମୟରେ ଏହି ରାୟ ପ୍ରକାଶ ପାଇବା ସମଗ୍ର ଟେଲିକମ୍ ଶିଳ୍ପ ପ୍ରତି ବିପଦ ସୃଷ୍ଟି କରିଛି।

ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିବା ଟେଲିକମ୍ କଂପାନିଗୁଡ଼ିକ ନିଜର ସଂଘ ଜରିଆରେ ଦାବି କରିଥିଲେ ଯେ, କେବଳ ଲାଇସେନ୍ସ ଏବଂ ସ୍ପେକ୍ଟ୍ରମ୍ ଫି’ରେ ଏଜିଆର୍‌କୁ ସାମିଲ କରାଯିବ। ମାତ୍ର ସରକାର ସେହି ଯୁକ୍ତିକୁ ଗ୍ରହଣ କରିନଥିଲେ। ୨୦୧୫ରେ ଏ ସଂକ୍ରାନ୍ତ ମାମଲାର ଶୁଶାଣି କରିଥିଲେ ଟିଡିସାଟ୍‌ ଏବଂ ରାୟ ଦେଇଥିଲେ ଯେ, ଏଜିଆର୍‌କୁ ଲାଇସେନ୍ସ ଫି’ ଏବଂ ସ୍ପେକ୍ଟ୍ରମ ୟୁଜର୍‌ ଚାର୍ଜ ବ୍ୟବୀତ ଭଡ଼ା, ଲାଭାଂଶ ଏବଂ ସମ୍ପତ୍ତି ବିକ୍ରିରୁ ହେଉଥିବା ଲାଭରେ ଯୋଡ଼ାଯାଇପାରିବ। ସ୍କ୍ରାପ୍ ବିକ୍ରି ଏବଂ ବିନିମୟ ମୁଦ୍ରା ମୂଲ୍ୟରେ ହେଉଥିବା ଅସ୍ଥିରତାକୁ ଟିଡିସାଟ୍ ବାଦ ଦେଇଥିଲେ।

‌ଟେଲିକମ୍ କଂପାନିଗୁଡ଼ିକୁ ଏଜିଆର୍‌ର ୩%କୁ ସ୍ପେକ୍ଟ୍ରମ୍ ଚାର୍ଜ ଏବଂ ୮%କୁ ଲାଇସେନ୍‌ସ ଫି’ ବାବଦରେ ଦେବାକୁ ପଡ଼ିବ। ସେହି ଅନୁସାରେ ହିସାବ କଲେ ଜଣାପଡ଼ୁଛି ଯେ, ଟେଲିକମ୍ କଂପାନିଗୁଡ଼ିକ ସରକାରଙ୍କୁ ୯୨ ହଜାର କୋଟି ଟଙ୍କା ଗଣିବେ। ସରକାର ଏହି ଟଙ୍କାର ଅଧା ଆଦାୟ କରିସାରିଛନ୍ତି।

ମାତ୍ର, ୨୦୧୫ ପରେ ଭାରତର ଟେଲିକମ୍ ଶିଳ୍ପରେ ‌ଅନେକ ପରିବର୍ତ୍ତନ ହୋଇଛି। ଅନେକ କଂପାନି ବନ୍ଦ ହୋଇଯାଇଥିବା ବେଳେ ଯେଉଁ ହାତଗଣତି କଂପାନି ରହିଛନ୍ତି ସେମା‌ନେ ଅତ୍ୟନ୍ତ ସଙ୍କଟମୟ ସମୟ ଦେଇ ଗତି କରୁଛନ୍ତି। ଟେଲିକମ୍ କ୍ଷେତ୍ରରେ ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ପ୍ରବେଶ କରିବା ପରଠାରୁ ଅନ୍ୟ ସବୁ କଂପାନିର ଅବସ୍ଥା ଖରାପ ହୋଇଯାଇଛି। ଟେଲିକମ୍ କଂପାନିଗୁଡ଼ିକ ଉପରେ ସମୁଦାୟ ୭ ଲକ୍ଷ କୋଟି ଟଙ୍କାର ଋଣ ବକେୟା ରହିଛି।

ସମ୍ବନ୍ଧିତ ଖବର