ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ‌ଧୋନୀଙ୍କୁ ରିଅଲ ଇଷ୍ଟେଟ କମ୍ପାନି ଆମ୍ରପଲ୍ଲୀ ଗ୍ରୁପ୍‌ର ଠକେଇ ମାମଲାରେ ସୁପ୍ରିମକୋର୍ଟ  ଏକ ଗୁରତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଆସନ୍ତାକାଲି (ମେ ୧ ତାରିଖ) ସୁଦ୍ଧା ଧୋନୀଙ୍କ ସହିତ ହୋଇଥିବା ଆର୍ଥିକ କାରବାରର ବିସ୍ତୃତ ବିବରଣୀ ଦେବା ସହିତ ଏହାକୁ ବୁଝାଇବା ନିମନ୍ତେ ସୁପ୍ରିମ କୋର୍ଟ କହିଛନ୍ତି। ଧୋନୀ ଏହି କମ୍ପାନିର ବ୍ରାଣ୍ଡ ଆମ୍ବାସଡ଼ରଭାବେ ୨୦୦୯ରୁ ୨୦୧୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଧୋନୀଙ୍କ ସହିତ ହୋଇଥିବା ପ୍ରତ୍ୟେକ ଆର୍ଥିକ କାରବାରର ରିପୋର୍ଟ ଦେବାକୁ କୁହାଯାଇଛି। ଧୋନୀଙ୍କୁ କମ୍ପାନି ଠକିବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେଣୁ ଏଥିରେ ସତ୍ୟତା ଥାଇପାରେ ବୋଲି ସୁପ୍ରିମ କୋର୍ଟ କହିବା ସହିତ ରିପୋର୍ଟ ମାଗିଛନ୍ତି। ସୁପ୍ରିମ କୋର୍ଟର ବିଚାରପତି ଅରୁଣ ମିଶ୍ର ଏବଂ ୟୁ ୟୁ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି।