ଏସ୍‌ସି,ଏସ୍‌ଟି ଉଦ୍ୟୋଗୀଙ୍କୁ ମାଗଣାରେ ବିଦେଶ ଟୁର୍‌

ଚନ୍ଦ୍ରଶେଖରପୁର:ଅନୁସୂଚିତ ଜାତି(ଏସ୍‌ସି) ଓ ତଫସିଲଭୁକ୍ତ ଜନଜାତି(ଏସ୍‌ଟି)ର ଉଦ୍ୟୋଗୀଙ୍କୁ ସେମାନଙ୍କର ଉତ୍ପାଦର ବିକ୍ରିବଟା ଓ ପ୍ରଚାର ପ୍ରସାର ପାଇଁ ବିଦେଶୀ ବାଣିଜ୍ୟ ମେଳାରେ ଭାଗନେବାକୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯିବ। ଦୁଇଟି ବିଦେଶୀ ଓ ଦେଶ ମଧ୍ୟରେ ଚାରିଟି ବାଣିଜ୍ୟ ମେଳାରେ ଅଂଶଗ୍ରହଣ ପାଇଁ ମାଗଣାରେ ସମସ୍ତ ବ୍ୟବସ୍ଥା କରାଯିବା ନେଇ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ହବ୍‌ (ଏନ୍‌ଏସଏସଏଚ୍‌ଓ)ର ଶାଖା ପରିଚାଳକ ଶୁଭାଶିଷ ଦାସ ସୂଚନା ଦେଇଛନ୍ତି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏନ୍‌ଏସଏସଏଚ୍‌ଓ ଅନୁସୂଚିତ ଜାତି ଓ ଜନଜାତିର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା, ସେମାନଙ୍କୁ ଦକ୍ଷ କରିବା ଦିଗରେ ପ୍ରୟାସ ଜାରି ରଖିଛି। ସ୍ଥାନୀୟ ଜନତା ମଇଦାନରେ ଚାଲିଥିବା ମେଗା ଟ୍ରେଡ଼୍‍ ଫେୟାରରେ ଏକ ସ୍ୱତନ୍ତ୍ର ବିଭାଗ ଏହି ବର୍ଗର ଉଦ୍ୟୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ରାଜ୍ୟରୁ ମୋଟ ୭୨ ଜଣ ଉଦ୍ୟୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଆଜି ଏନେଇ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ପ୍ରେମାନନ୍ଦ ଦାସ, ଏଏସ୍‌ କେ ସାହୁ ଓ ବେଙ୍ଗଲ ଚାମ୍ବର ଅଫ୍‌ କମର୍ସର ପ୍ରକାଶ ଶାହ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗ ସହିତ ମିଳିତ ଭାବରେ ଏହି ବର୍ଗର ଉଦ୍ୟୋଗୀମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏଯାବତ୍‌ ୨୫୦ଜଣ ଉଦ୍ୟୋଗୀ ଚିହ୍ନଟ ହୋଇଥିବା ଉପସ୍ଥିତ ଅଧିକାରୀମାନେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର