ଚୀନ୍‌ର ର‍୍ୟାଙ୍କ ବଢ଼ାଇବା ପାଇଁ କେଳେଙ୍କାରୀ, ବିଶ୍ୱ ବ୍ୟାଙ୍କ ଅଧିକାରୀଙ୍କ ଅନିୟମିତତା ଧରାପଡ଼ିଲା

ପ୍ରକାଶ ପାଇବନି ଇଜ୍‌ ଅଫ୍ ଡୁଇଂ ବିଜନେସ୍‌ ରିପୋର୍ଟ

ନୂଆଦିଲ୍ଲୀ : ବିଭିନ୍ନ ଦେଶର ନିବେଶ ଓ ବ୍ୟବସାୟିକ ପରିବେଶକୁ ନେଇ ପ୍ରସ୍ତୁତ ହେଉଥିବା ଇଜ୍‌ ଅଫ୍ ଡୁଇଂ ବି‌ଜନେସ୍‌ ର‍୍ୟାଙ୍କିଂ ବିଶ୍ବ ବ୍ୟାଙ୍କ ଆଉ ପ୍ରକାଶ କରିବ ନାହିଁ। ଚୀନର ର‍୍ୟାଙ୍କିଂରେ ଉନ୍ନତି ଆଣିବା ଲାଗି ଅନିୟମିତତା କରାଯାଇଛି। ବିଶ୍ବ ବ୍ୟାଙ୍କର ଅଧିକାରୀମାନେ ଏଥିପାଇଁ ଅନାବଶ୍ୟକ ଚାପ ସୃଷ୍ଟି କରିଛନ୍ତି। ଚୀନ୍‌ର ୨୦୧୭ ମସିହାର ର‍୍ୟାଙ୍କିଂ ବଢ଼ାଇ ଦେଖାଇବା ପାଇଁ ତତ୍କାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରିଷ୍ଟାଲିନା ଜର୍ଜିଏଭାଙ୍କ ସମେତ ଅନ୍ୟ ଅଧିକାରୀମାନେ ଚାପ ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ ହୋଇଛି।

ବିଶ୍ବ ବ୍ୟାଙ୍କ ପକ୍ଷରୁ ଏକ ଆଭ୍ୟନ୍ତରୀଣ ଅଡିଟ୍ କରାଯାଇଥିଲା। ଅଡିଟ୍ ରିପୋର୍ଟରେ ଅଧିକାରୀମାନେ ‌କେତେକ ନୈତିକ ପ୍ରସଙ୍ଗ ଉଠାଇଛନ୍ତି। ସେଥିରେ ପୂର୍ବତନ ବୋର୍ଡ ଅଧିକାରୀ ଏବଂ ବର୍ତ୍ତମାନର ଅଧିକାରୀମାନଙ୍କ ଆଚରଣକୁ ନେଇ ସନ୍ଦେହ ବ୍ୟକ୍ତ କରାଯାଇଛି। ଆଇନ ଫାର୍ମ ୱିଲମର ହେଲ୍ ପକ୍ଷରୁ ଏହି ଆଭ୍ୟନ୍ତରୀଣ ତଦନ୍ତ କରାଯାଇଥିଲା।

ରିପୋର୍ଟରେ କୁହାଯାଇଛି ବିଶ୍ବ ବ୍ୟାଙ୍କର ପୂର୍ବତନ ସଭାପତି ଜିମ୍ ୟଙ୍ଗ୍ କିମ୍‌ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଚାପରେ ରିପୋର୍ଟ ପ୍ରସ୍ତୁତିର ପଦ୍ଧତିକୁ ବଦଳା ଯାଇଥିଲା। ଚୀନର ର‍୍ୟାଙ୍କିଂ ବଢ଼ାଇବା ପାଇଁ ଏହା ହୋଇଥିଲା। ଏପରିକି ଏହା କିମ୍‌ଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ସନ୍ଦେହ କରାଯାଉଛି।

ବର୍ତ୍ତମାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ଥିବା କ୍ରିଷ୍ଟାଲିନା ଜର୍ଜିଏଭା ଏବଂ ଅନ୍ୟ ଜଣେ ପ୍ରମୁଖ ଉପଦେଷ୍ଟା ବିଶ୍ବବ୍ୟାଙ୍କରେ ଥିବାବେଳେ ସେଠାକାର କର୍ମଚାରୀମାନଙ୍କ ଉପରେ ଚାପ ପକାଇଥିଲେ। ଚୀନ୍‌ର ତଥ୍ୟରେ ନିର୍ଦ୍ଦି‌ଷ୍ଟ କେତେକ ପରିବର୍ତ୍ତନ ପାଇଁ ଏମାନେ କହିଥିଲେ। ବିଶ୍ବବ୍ୟାଙ୍କ ଏହାର ପୁଞ୍ଜି ବଢ଼ାଇବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଏଥିପାଇଁ ଚୀନର ସହଯୋଗ ଲୋଡ଼ାଯାଇଥିଲା। ସେହି ସମୟରେ ଚୀନ ପାଇଁ ଏଭଳି କାର୍ଯ୍ୟ କରିବା ନିମନ୍ତେ ଚାପ ସୃଷ୍ଟି କରାଯାଇଥିବା ଅଭିଯୋଗ କରାଯାଇଛି। ଚୀନ୍‌ର ‘ଡୁଇଂ ବିଜ୍‌ନେସ୍‌ ୨୦୧୮’ ରିପୋର୍ଟ ୨୦୧୭ ଅକ୍ଟୋବରରେ ପ୍ରକାଶ କରାଯାଇଥିଲା। ପଦ୍ଧତିରେ ପରିବର୍ତ୍ତନ ପରେ ରୢାଙ୍କିଂରେ ଚୀନ ୭ଟି ପାହାଚ ଉପରକୁ ଉଠି ୭୮ତମ ସ୍ଥାନରେ ରହିଥିଲା। ଡୁଇଂ ବିଜନେସ୍ ରିପୋର୍ଟ ପ୍ରସ୍ତୁତି ବେଳେ ବିଭିନ୍ନ ଦେଶର ନିୟାମକ ପରିବେଶ, ବ୍ୟବସାୟ ଆରମ୍ଭ କରିବାର ପରିବେଶ, ଭିତ୍ତିଭୂମି ଓ ଅନ୍ୟାନ୍ୟ ବ୍ୟବସାୟିକ ପରିବେଶ କିଭଳି ରହିଛି ତାହାକୁ ଦେଖାଯାଇଥାଏ।

ତେବେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା। ତଥ୍ୟ ଅନିୟମିତତା ତଦନ୍ତ ରିପୋର୍ଟ ଏବଂ ତାହାର ବ୍ୟାଖ୍ୟା ସହିତ ସେ ଏକମତ ନୁହନ୍ତି। ଆଇଏମଏଫ ପକ୍ଷରୁ କ୍ରିଷ୍ଟାଲିନାଙ୍କ ମନ୍ତବ୍ୟ ପ୍ରକାଶ କରାଯାଇଛି। ଆଇଏମଏଫର କାର୍ଯ୍ୟନିର୍ବାହୀ ବୋର୍ଡ ସହିତ ସେ ଏ ବିଷୟରେ ଆଲୋଚନା କରିଛନ୍ତି ବୋଲି କହିଛନ୍ତି। ତେବେ କେବଳ ଚୀନ ନୁହେଁ, ଡୁଇଂ ବିଜ‌ନେସ ୨୦୨୦ ରିପୋର୍ଟ ପ୍ରସ୍ତୁତି ବେଳେ ଆଜରବୈଜାନ ଏବଂ ସାଉଦି ଆରବ ତଥ୍ୟରେ ମଧ୍ୟ ଏପଟସେପଟ କରାଯାଇଥିବା ୱିଲ‌ମର ହେଲ୍‌ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଏଥିରେ ବିଶ୍ବ ବ୍ୟାଙ୍କ ସଭାପତି କାର୍ଯ୍ୟାଳୟ କିମ୍ବା କାର୍ଯ୍ୟ ନିର୍ବାହୀ ବୋର୍ଡର କେହି ସଂଶ୍ଳିଷ୍ଟ ଥିବା ପ୍ରମାଣ ମିଳିନାହିଁ। ତେବେ ଆଗାମୀ ଦିନରେ ଦେଶଗୁଡ଼ିକର ଉକ୍ତ ରୢାଙ୍କ ଆକଳନ ପାଇଁ ଏକ ନୂଆ ପଦ୍ଧତି ଅନୁସରଣ ହେବ ବୋଲି ବିଶ୍ବବ୍ୟାଙ୍କ କହିଛି।

ସମ୍ବନ୍ଧିତ ଖବର