ନୂଆଦିଲ୍ଲୀ: ଗତ କିଛିବର୍ଷ ହେଲା ବିଭିନ୍ନ ରାଜ୍ୟ ସରକାର ମହିଳାମାନଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି(ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର) ଜରିଆରେ ଟଙ୍କା ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାରଗୁଡ଼ିକର ଏହି କାର୍ଯ୍ୟ ସେମାନଙ୍କର ଆର୍ଥିକ ସ୍ଥିତିକୁ ବିଗାଡ଼ିବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି। ମହିଳାମାନଙ୍କୁ ନଗଦ ଅର୍ଥ ପ୍ରଦାନ ପାଇଁ ବିଭିନ୍ନ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ବିଶେଷକରି ନିର୍ବାଚନ ସମୟରେ ଏହି ଯୋଜନାଗୁଡ଼ିକ ଘୋଷଣା କରାଯାଉଛି କିମ୍ବା କାର୍ଯ୍ୟକାରୀ କରାଯାଉଛି। ଏକାଧିକ ରାଜ୍ୟ ମହିଳା ହିତାଧିକାରୀଙ୍କ ପାଇଁ ଘୋଷଣା କରୁଥିବା ଯୋଜନାର ସୁନାମି ମଧ୍ୟରୁ ଅନେକ ନିର୍ବାଚନୀ ରାଜନୀତିକୁ ଲକ୍ଷ୍ୟ ରଖି କରାଯାଉଛି।

Advertisment

ଏସ୍‌ବିଆଇ ରିପୋର୍ଟ
ଓଡ଼ିଶାର ସ୍ଥିତି ଭଲ ଅଛି
୮ ରାଜ୍ୟର ଖର୍ଚ୍ଚ ୧.୫ ଲକ୍ଷ କୋଟିରୁ ଅଧିକ

ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ ୮ଟି ରାଜ୍ୟରେ ଘୋଷଣା କରାଯାଇଥିବା ଏଭଳି ଯୋଜନାର ଆର୍ଥିକ ବୋଝ ୧.୫ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏପରିକି ଏହି ଯୋଜନା ବାବଦ ଅର୍ଥ ସେସବୁ ରାଜ୍ୟର ରାଜସ୍ବ ଆୟର ୩ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ରହୁଛି ବୋଲି ଜଣାଯାଇଛି। ତେବେ ଓଡ଼ିଶା ଭଳି କେତେକ ରାଜ୍ୟ ଏହି ବୋଝ ବୋହିବାକୁ ଭଲ ସ୍ଥିତିରେ ରହିଛନ୍ତି। କାରଣ ସେସବୁ ରାଜ୍ୟର ଅଣ ଟିକସ ରାଜସ୍ବ ଅଧିକ ରହିଛି ଏବଂ କୌଣସି ଋଣ ଆବଶ୍ୟକତା ନାହିଁ। କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କର୍ଣ୍ଣାଟକ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଗୃହଲକ୍ଷ୍ମୀ ଯୋଜନାରେ ଗୋଟିଏ ପରିବାର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଦିଆଯାଉଛି। ଏ ବାବଦରେ ୨୮,୬୦୮ କୋଟି ଟଙ୍କା ବରାଦ କରାଯାଇଛି, ଯାହାକି ସେହି ରାଜ୍ୟର ମୋଟ ରାଜସ୍ବ ଆୟର ୧୧ ପ୍ରତିଶତ। ପଶ୍ଚିମବଙ୍ଗ ସରକାର ଲକ୍ଷ୍ମୀର ଭଣ୍ଡାର ଯୋଜନାରେ ଅର୍ଥନୈତିକ ଦୁର୍ବଳ ବର୍ଗର ମହିଳାମାନଙ୍କୁ ଏକକାଳୀନ ଅନୁଦାନ ଆକାରରେ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି। ଏବାବଦରେ ପଶ୍ଚିମବଙ୍ଗ ସରକାରଙ୍କୁ ୧୪,୪୦୦ କୋଟି ଟଙ୍କା ବା ରାଜ୍ୟ ରାଜସ୍ବ ଆୟର ୬ ପ୍ରତିଶତ ଖର୍ଚ୍ଚ କରିବାକୁ ପଡ଼ୁଛି। 

ଦିଲ୍ଲୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ୧୮ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ (କେତେକ ବର୍ଗର ମହିଳାଙ୍କୁ ବାଦ୍‌ଦେଇ) ମାସିକ ୧୦୦୦ ଟଙ୍କା ଲେଖାଏଁ ଦେବାର ପ୍ରତିଶ୍ରୁତି ଦିଆଯାଇଛି। ଏ ବାବଦରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟି ଟଙ୍କା ବା ରାଜସ୍ବ ଆୟର ୩ ପ୍ରତିଶତ ଖର୍ଚ୍ଚ କରିବାକୁ ପଡ଼ିବ। ଏସ୍‌ବିଆଇ ରିପୋର୍ଟରେ ମହିଳାଙ୍କ ପାଇଁ ହେଉଥିବା ଏହି ଯୋଜନାର ବୃହତ୍ତର ଦିଗକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ରାଜ୍ୟ ସରକାରଙ୍କ ଏସବୁ ଯୋଜନା ଦ୍ବାରା ଆଗାମୀ ଦିନରେ କେନ୍ଦ୍ର ସରକାର ମଧ୍ୟ ଏଭଳି ଯୋଜନା ଆରମ୍ଭ କରିବାକୁ ଆଗଭର ହୋଇପାରନ୍ତି। ତେଣୁ ରିପୋର୍ଟରେ ଏକ ସାର୍ବଜନୀନ ଆୟ ହସ୍ତାନ୍ତର ଯୋଜନା ନେଇ ପରାମର୍ଶ ଦିଆଯାଇଛି। ଏଥିରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ମ୍ୟାଚିଂ ଗ୍ରାଣ୍ଟ୍‌ ପ୍ରଦାନ କରିବାକୁ କୁହାଯାଇଛି। ମହିଳାମାନଙ୍କୁ ସଶକ୍ତ କରିବା ଏବଂ ନିର୍ବାଚନରେ ଜିତିବା ଲାଗି ଏଭଳି ଯୋଜନା କରାଯାଉଥିଲେ ମଧ୍ୟ ରିପୋର୍ଟରେ ଏହା ପରାମର୍ଶ ଦିଆଯାଇଛି ଯେ ଏସବୁ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ରାଜ୍ୟଗୁଡ଼ିକ ସେମାନଙ୍କ ରାଜ୍ୟର ଆର୍ଥିକ ସ୍ବାସ୍ଥ୍ୟ ଏବଂ ଋଣ ଧାରାକୁ ବିଚାରକୁ ନେବା ଉଚିତ।