ରାଜ୍ୟର ସି’ ଫୁଡ୍‌ ରପ୍ତାନି ୩୦୦୦ କୋଟି ଟପିଲା

ଭୁବନେଶ୍ବର: ରାଜ୍ୟର ସି’ ଫୁଡ୍‌ ରପ୍ତାନି ୨୦୧୮-୧୯ରେ ୩୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ଓଡ଼ିଶାର ସି’ ଫୁଡ୍‌ ଚାହିଦା ପୂର୍ବ ୟୁରୋପୀୟ ରାଷ୍ଟ୍ର, ଜାପାନ, ଚୀନ୍, ମଧ୍ୟ ପ୍ରାଚ୍ୟ ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକରେ ଅଧିକ ରହିଛି। ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ସହ ଭାରତୀୟ ସି’ ଫୁଡ୍‌ ରପ୍ତାନିକାରୀ ସଂଘର ହୋଇଥିବା ବୈଠକରୁ ଏହି ସୂଚନା ମିଳିଛି। ରାଜ୍ୟର ମତ୍ସ୍ୟ ଚାଷ କ୍ଲଷ୍ଟରଗୁଡ଼ିକ ଯେଭଳି ଆନ୍ତର୍ଜାତିକ ସ୍ତରରେ ଅଧିକ ସଫଳତା ପାଇପାରିବେ ସେଥିପାଇଁ ସେମାନଙ୍କୁ ବିଦ୍ୟୁତ ଶକ୍ତି ଏବଂ ସଡ଼କ ସଂଯୋଗ ପ୍ରଦାନ କରିବା ଉପରେ ମୁଖ୍ୟ ସଚିବ ଜୋର ଦେଇଛନ୍ତି। ମତ୍ସ୍ୟ ଚାଷୀଙ୍କ ଲାଗି ଭିତ୍ତିଭୂମି ବିକଶିତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ଏହି ଅବସରରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଆର୍‌ ରଘୁ ପ୍ରସାଦ କହିଛନ୍ତି, ରାଜ୍ୟରେ ୧୦୭ଟି ଖାର ଜଳ ମତ୍ସ୍ୟ ଚାଷ କ୍ଲଷ୍ଟର ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସେଥି ମଧ୍ୟରୁ ୧୯ଟି କ୍ଲଷ୍ଟରକୁ ବିକଶିତ କରିବାର କାର୍ଯ୍ୟ ହାତକୁ ନିଆଯାଇଛି। ଖାର ଜଳ ମତ୍ସ୍ୟ ଚାଷ ଲାଗି ରାଜ୍ୟରେ ବିପୁଳ ସମ୍ଭାବନା ରହିଛି। ରାଜ୍ୟ ମହାକାଶ ପ୍ରୟୋଗ କେନ୍ଦ୍ର ତରଫରୁ ଉପଗ୍ରହ ଚିତ୍ର ଜରିଆରେ ୩୦୦୦ ହେକ୍ଟର ଜମିକୁ ଏଥିପାଇଁ ଚିହ୍ନଟ କରାଯାଇଛି। ଦୀର୍ଘ ତିନି ଦଶନ୍ଧୀରୁ ଅଧିକ ସମୟ ଧରି ଓଡ଼ିଶାରେ ଥିବା ଡିଜିଏଫ୍‌ଟି କାର୍ଯ୍ୟାଳୟକୁ କୋଲକାତା ସ୍ଥାନାନ୍ତର କରାଯାଉଥିବାରୁ ସି’ ଫୁଡ୍ ରପ୍ତାନିକାରୀ ସଂଘର କର୍ମକର୍ତ୍ତାମାନେ ଚିନ୍ତା ପ୍ରକଟ କରିଛନ୍ତି। ଆଜିର ବୈଠକରେ କ୍ୟାପ୍‌ଟିଭ୍ ଆକ୍ବାକଲ୍‌ଚର୍‌ ଫାର୍ମ, ସି’ ଫୁଡ୍‌ ପାର୍କ ଲାଗି ଜମି ଆବଣ୍ଟନ, ଭାଇରାଲ୍ ଟେଷ୍ଟ୍‌ ଓ କ୍ବାଲିଟି ସାର୍ଟିଫିକେସନ୍ ଲ୍ୟାବ୍ ସ୍ଥାପନ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ଅବସରରେ ସି’ ଫୁଡ୍ ରପ୍ତାନିକାରୀ ସଂଘର ସଭାପତି ଡକ୍ଟର କମଲେଶ ମିଶ୍ର, ମତ୍ସ୍ୟ ନିର୍ଦେଶକ ଏନ୍ ତିରୁମାଳା ନାୟକ ଓ ଫାଲ୍‌କନ୍ ଗ୍ରୁପ୍ ଅଫ୍ କଂପାନିଜ୍‌ର ଅଧ୍ୟକ୍ଷ ତାରା ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର