ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ସର୍ଚ୍ଚ ଇଞ୍ଜିନ ଗୁଗୁଲ୍ ପ୍ରତିବର୍ଷ ତା’ର ସର୍ଚ ତାଲିକା ଜାରି କରିଥାଏ। କେଉଁ ବର୍ଷ କି କି ବିଷୟରେ ଅଧିକ ସର୍ଚ ହୋଇଛି, କେଉଁ ବ୍ୟକ୍ତିଙ୍କ ବିଷୟରେ ଅଧିକ ସର୍ଚ ହୋଇଛି ତାହା ସବୁ ଜଣା ପଡ଼ି ଯାଇଥାଏ। ଏବର୍ଷ ବି ଗୁଗୁଲ୍ ତା’ର ସର୍ଚ୍ଚ ତାଲିକା ଜାରି କରିଛି। ଏହି ତାଲିକାରେ ସବୁଠାରେ ଆଗରେ ରହିଥିବା ବଲିଉଡ୍ ତାରକା ମଧ୍ୟରେ ରହିଛି ସୁସ୍ମିତା ସେନଙ୍କ ନାମ। ଲୋକେ ଲଲିତ ମୋଦୀ ଓ ସୁସ୍ମିତାଙ୍କ ସଂପର୍କ ବିଷୟରେ ଜାଣିବା ପାଇଁ ସବୁଠାରୁ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି।
ଆପଣ ଜାଣିଥିବେ ନିଶ୍ଚୟ ଯେ ଚଳିତବର୍ଷ ସୁସ୍ମିତା ସେନ୍ ଆଇପିଏଲ୍ର ପ୍ରତିଷ୍ଠାତା ଲଲିତ ମୋଦୀଙ୍କ ସହ ନିଜର ସଂପର୍କକୁ ନେଇ ବେଶ୍ ଚର୍ଚ୍ଚା ପାଲଟିଥିଲେ। ଚଳିତବର୍ଷ ଜୁଲାଇ ମାସରେ ଲଲିତ ମୋଦୀ ସୁସ୍ମିତା ସେନଙ୍କ ସହ ତାଙ୍କର ଏକ ଫଟୋ ସେୟାର କରି ସେମାନଙ୍କ ସଂପର୍କକୁ ନେଇ ଖୁଲାସା କରିଥିଲେ। ଏପରିକି ସେହି ଫଟୋକୁ ଦେଖିବା ପରେ ପ୍ରଶଂସକମାନେ ସେ ଦୁହିଁଙ୍କର ନିର୍ବନ୍ଧ ହୋଇ ସାରିଥିବା ବି ଅନୁମାନ ଲଗାଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଏହି କଥାକୁ ଅସ୍ବୀକାର କରି ନିର୍ବନ୍ଧ ଓ ବିବାହ ପ୍ରସଂଗରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ସୁସ୍ମିତା।
ସୁସ୍ମିତା ଓ ଲଲିତ ଗୁଗୁଲ୍ର ସର୍ଚ ତାଲିକାରେ ୫ମ ସ୍ଥାନରେ ରହିଥିବା ବେଳେ ୬ଷ୍ଠ ସ୍ଥାନରେ ଅଛନ୍ତି କଙ୍ଗନା ରାଣାୱତଙ୍କ ସୋ’ ଲକ୍ଅପ୍ର ପ୍ରତିଯୋଗୀ ଅଞ୍ଜଳୀ ଅରୋରା। ଏହାଛଡ଼ା ଗୁଗୁଲ୍ରେ ନୂଆବର୍ଷ ପରେ ପରେ ପ୍ରତିବର୍ଷ ‘ନିୟୁ ଇୟର୍ ରିଜୋଲ୍ୟୁସନ୍’, ‘ଫିଟ୍ନେସ୍’ ଆଦିକୁ ନେଇ ବି ଅନେକ ଲୋକ ସର୍ଚ କରିଥାନ୍ତି।