ପିଏମ୍-କେୟାରସ୍‌ ପାଣ୍ଠିକୁ କମ୍ପାନି ଦେଇପାରିବେ ସିଏସ୍‌ଆର୍‌ ପାଣ୍ଠି

ନୂଆଦିଲ୍ଲୀ: କର୍ପୋରେଟ୍ ସଂସ୍ଥାଗୁଡ଼ିକ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ପାଣ୍ଠିରୁ ଟଙ୍କା ଆଣି ପିଏମ୍-କେୟାରସ୍‌ ପାଣ୍ଠିକୁ ପ୍ରଦାନ କରିପାରିବେ। ସେମାନେ ଯେଉଁ ସହାୟତା ଦେବେ ତାହାକୁ ସିଏସ୍‌ଆର୍‌ ଖର୍ଚ୍ଚ ଭାବେ ଦର୍ଶାଇ ପାରିବେ ବୋଲି ‌କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ସ୍ପଷ୍ଟ କରାଯାଇଛି।

କଂପାନି ନିୟମ ୨୦୧୩ ଅନୁଯାୟୀ, ଏକ ନିର୍ଦିଷ୍ଟ ବର୍ଗର ଲାଭଦାୟକ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ସେମାନଙ୍କ ତିନି ବର୍ଷର ହାରାହାରି ଲାଭର ୨% ଅର୍ଥକୁ ଏକ ଆର୍ଥିକ ବର୍ଷରେ ସିଏସ୍ଆର୍‌ କାର୍ଯ୍ୟରେ ଖର୍ଚ୍ଚ କରିବାକୁ ପଡ଼ିବ। ୨୦୧୪ ଏପ୍ରିଲ୍‌ରୁ ଏହି ନିୟମ ଲାଗୁ କରାଯାଇଛି। ବିଗତ ପାଞ୍ଚ ବର୍ଷ ଭିତରେ କଂପାନିଗୁଡ଼ିକ ୫୨ ହଜାର କୋଟି ଟଙ୍କା ସିଏସ୍‌ଆର୍‌ କାର୍ଯ୍ୟକ୍ରମଗୁଡ଼ିକରେ ଖର୍ଚ୍ଚ କରିଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି, କିଛି ସଂସ୍ଥା ଆବଶ୍ୟକତା କମ୍‌ ଖର୍ଚ୍ଚ କରୁଥିବା ବେଳେ କିଛି ସଂସ୍ଥା ଆଦୌଁ ଖର୍ଚ୍ଚ କରୁନାହାନ୍ତି। ପ୍ରାୟ ୫୦ ପ୍ରତିଶତ କଂପାନି ଧାର୍ଯ୍ୟ ସୀମା ମୁତାବକ ଖର୍ଚ୍ଚ କରୁଛନ୍ତି। ଯେଉଁ କଂପାନିଗୁଡ଼ିକ ନିଜର ସିଏସ୍‌ଆର୍‌ ଦାୟିତ୍ବକୁ ନିର୍ବାହ କରିପାରୁନଥିଲେ କିମ୍ବା କମ୍ ମାତ୍ରାରେ ନିର୍ବାହ କରୁଥିଲେ ସେମାନେ ଏବେ ପିଏମ୍-କେୟାରସ୍‌ ଫଣ୍ଡ୍‌କୁ ପାଣ୍ଠି ସହାୟତା ଦେଇ ସିଏସ୍‌ଆର୍‌ ଲକ୍ଷ୍ୟ ହାସଲ କରିପାରିବେ ବୋଲି ସେ କହିଛନ୍ତି। ପିଏମ୍ କେୟାରସ୍‌ ପାଣ୍ଠି ଜରିଆରେ ଯେଉଁ ଅର୍ଥରାଶି ମିଳିବ ତାହାକୁ କରୋନା ମୁକାବିଲା ଦିଗରେ ସରକାର ବ୍ୟାପକ ଭାବେ ଖର୍ଚ୍ଚ କରିପାରିବେ। ବିଶେଷ କରି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଜରୁରୀକାଳୀନ ସ୍ଥିତି ଲାଗି ପ୍ରସ୍ତୁତ କରିପାରିବେ।

ସମ୍ବନ୍ଧିତ ଖବର