ମାର୍ଚ୍ଚ ଦରମା ଏପ୍ରିଲ୍‌ ୩ରେ ମିଳିବ, ୯ ସୁଦ୍ଧା ପେନ୍‌ସନ୍

ଭୁବନେଶ୍ବର: କର୍ମଚାରୀ ଓ ବେତନଭୋଗୀମାନଙ୍କୁ ମାର୍ଚ୍ଚ ମାସର ଦରମା ଶୀଘ୍ର ପ୍ରଦାନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ୍ ୩ ସୁଦ୍ଧା ଦରମା ଏବଂ ୯ ତାରିଖ ସୁଦ୍ଧା ପେନ୍‌ସନ୍ ପ୍ରଦାନ କରାଯିବ। ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ ଟ୍ରେଜେରି ଅଧିକାରୀମାନଙ୍କୁ କୁହାଯାଇଛି। ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରି ବିଲ୍ ୨୦୨୦-୨୧ ପାରିତ ହେବା ପରିପ୍ରେକ୍ଷୀରେ ଏହି ନିର୍ଦେଶ ଦିଆଯାଇଛି। ଚଳିତ ମାସ ୩୧ ମଧ୍ୟରାତ୍ରୀ ସୁଦ୍ଧା ଆଇଏଫ୍ଏମ୍‌ଏସ୍‌ରେ ୨୦୨୦ ମାର୍ଚ୍ଚ ମାସର ପେନ୍‌ସନ୍ ବିଲ୍‌ ସହିତ ବକେୟାକୁ ସୃଷ୍ଟି କରିବାକୁ କୁହାଯାଇଛି। ସେହି ତଥ୍ୟ ଟ୍ରେଜେରିଗୁଡ଼ିକୁ ପ୍ରକ୍ରିୟାକରଣ ପାଇଁ ଉପଲବ୍ଧ କରାଯିବ। ମାର୍ଚ୍ଚ ମାସର ବେତନ ବିଲ୍‌କୁ ଏଚ୍‌ଆର୍‌ଏମ୍‌ଏସ୍‌ରେ ପ୍ରସ୍ତୁତ କରାଯାଇପାରିବ ଏବଂ ପେମେଣ୍ଟ୍‌ ପାଇଁ ଆସନ୍ତା ଏପ୍ରିଲ୍ ୧ ସୁଦ୍ଧା ଆଇଏଫ୍ଏମ୍‌ଏସ୍‌ରେ ପ୍ରକ୍ରିୟାକରଣ କରାଯିବ। ଡିଡିଓମାନଙ୍କ ଠାରୁ ମେଲ୍ ଜରିଆରେ ଯେଉଁ ବିଲ୍ ଆସିଥିବ ତାହା ସେଭଳି ଏଚ୍‌ଆର୍‌ଏମ୍ଏସ୍‌ରେ ବେତନ ବିଲ୍ ପ୍ରସ୍ତୁତ କରିବା ବେଳେ ଯୋଡ଼ି ହୋଇଥିବ ତାହା ନିଶ୍ଚିତ କରିବା ଲାଗି ଟ୍ରେଜେରି ଅଧିକାରୀମାନଙ୍କୁ କୁହାଯାଇଛି। ଏପ୍ରିଲ୍ ୩ରେ ବତେନ ପ୍ରଦାନ କରାଯିବ। ସେହିପରି ମାର୍ଚ୍ଚ ମାସର ପେନ୍‌ସନ୍‌ ସହିତ ବକେୟାକୁ ଯେଭଳି ପେନ୍‌ସନ୍‌ଭୋଗୀମାନେ ଏପ୍ରିଲ୍ ୯ ସୁଦ୍ଧା ପାଇପାରିବେ ତାହାକୁ ନିଶ୍ଚିତ କରିବା ଲାଗି ଟ୍ରେଜେରି ଅଧିକାରୀମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର