ନୂଆଦିଲ୍ଲୀ: ସିଟ୍ବେଲ୍ଟ ପିନ୍ଧିନଥିବା କାରଣରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ୍ ମିସ୍ତ୍ରୀ ପ୍ରାଣ ହରାଇବା ପରେ ସିଟ୍ବେଲ୍ଟ ସମ୍ପର୍କିତ ନିୟମକୁ ସରକାର କଡ଼ାକଡ଼ି କରିବାକୁ ଯାଉଛନ୍ତି। କାର୍ର ସବୁ ସିଟ୍ ପାଇଁ ସିଟ୍ବେଲ୍ଟ ଆଲାର୍ମକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଚିଠା ନିୟମ ଜାରି କରାଯାଇଛି। ଗାଡ଼ିରେ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଲାଗି ମାତ୍ରାଧିକ ବେଗ ବିଷୟରେ ସତର୍କ ସୂଚନା ପ୍ରଦାନ କରୁଥିବା ବ୍ୟବସ୍ଥା ଏବଂ ଡୋର୍କୁ ବନ୍ଦ କରିବାର କେନ୍ଦ୍ରୀୟ ବ୍ୟବସ୍ଥା ପାଇଁ ମଧ୍ୟ ନିୟମ ଆସିବ।
ସିଟ୍ ବେଲ୍ଟ ଆଲାର୍ମ ବା ରିମାଇଣ୍ଡର୍ର କାମ ହେଉଛି ଗାଡ଼ିରେ ବସିଥିବା ଯାତ୍ରୀମାନେ ସିଟ୍ବେଲ୍ଟ ପିନ୍ଧିନଥିଲେ ଚାଳକଙ୍କୁ ସେବିଷୟରେ ସୂଚିତ କରିବା। ଏଥିରେ ପ୍ରଥମ ସ୍ତର ଓ ଦ୍ବିତୀୟ ସ୍ତରର ସତର୍କ ସୂଚନା ଦେବା ବ୍ୟବସ୍ଥା ରହିଛି। ଇଞ୍ଜିନ ଷ୍ଟାର୍ଟ ହେବା ପରେ ଯଦି ଚାଳକ କିମ୍ବା ସାମ୍ନା ସିଟ୍ରେ ବସିଥିବା ଯାତ୍ରୀ ସିଟ୍ବେଲ୍ଟ ପିନ୍ଧିନଥିବେ ତେବେ ପ୍ରଥମ ସ୍ତରର ସତର୍କ ସୂଚନା ମିଳିବ। ତାହା ହେଉଛି ଏକ ଭିଜୁଆଲ ସତର୍କ ସୂଚନା। ସେଥିରେ ଅଡିଓ (ସ୍ବର) ସତର୍କ ସୂଚନା ଯୋଡ଼ିବାର ବ୍ୟବସ୍ଥା କରାଯିବ। ଯେତେବେଳେ ଚାଳକ କିମ୍ବା ଯାତ୍ରୀ ସିଟ୍ବେଲ୍ଟ ପିନ୍ଧିନଥିବେ ଓ ଗାଡ଼ି ଚାଲିବା ଆରମ୍ଭ ହେବ ସେହି ସମୟରେ ଦ୍ବିତୀୟ ସ୍ତରର ସତର୍କ ସୂଚନା ଉଭୟ ଭିଜୁଆଲ ଓ ଅଡିଓ ମାଧ୍ୟମରେ ମିଳିବ। ‘ଏମ୍’ ଓ ‘ଏନ୍’ ବର୍ଗର ଗାଡ଼ି ପାଇଁ ସିଟ୍ବେଲ୍ଟ ଆଲାର୍ମ ବାଧ୍ୟତାମୂଳକ ହେବ। ଅତିକମ୍ରେ ଚାରିଟି ଚକ ଥିବା ଓ ଯାତ୍ରୀ ପରିବହନରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକୁ ଏମ୍ ବର୍ଗରେ ରଖାଯାଇଛି। ସେହିପରି, ଅତିକମ୍ରେ ଚାରିଟି ଚକ ଥିବା ଯେଉଁ ଗାଡ଼ିରେ ମାଲ ପରିବହନ ହେଉଥିବ ତାହାକୁ ‘ଏନ୍’ ବର୍ଗରେ ରଖାଯାଇଛି। ସିଟ୍ବ୍ଲେଟ ଆଲାର୍ମ ପାଇଁ ଜାରି ହୋଇଥିବା ଚିଠା ନିୟମ ଉପରେ ଜନ ସାଧାରଣ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ନିଜର ମତାମତ ଦେଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/seat-belt.jpg)