ମୁମ୍ବାଇ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପୂର୍ବତନ ମୁଖ୍ୟ ମାଧବୀ ପୁରୀ ବୁଚ୍ ଓ ଅନ୍ୟ କିଛି ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଦୁର୍ନୀତି ନିବାରଣ ବ୍ୟୁରୋକୁ ନିର୍ଦ୍ଦେଶ ଦେଇଛନ୍ତି। ମାଧବୀ ବଡ଼ ଧରଣର ଆର୍ଥିକ ଠକେଇ, ନିୟାମକ ଉଲ୍ଲଂଘନ ଓ ଦୁର୍ନୀତିରେ ଲିପ୍ତ ଥିବା ଦର୍ଶାଇ ଜଣେ ସାମ୍ବାଦିକ ଦାଖଲ କରିଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାଧବୀଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର ଉଚିତ ଓ ନିରପେକ୍ଷ ତଦନ୍ତ ଆବଶ୍ୟକ ଥିଲା। ଆଇନ ପ୍ରଣୟନ କରୁଥିବା ଏଜେନ୍ସି ଓ ସେବି ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବାରୁ ବିଚାର ବିଭାଗକୁ ହସ୍ତକ୍ଷେପ କରିବାକୁ ପଡ଼ିଛି ବୋଲି କୋର୍ଟ କହିଛନ୍ତି। ମାଧବୀଙ୍କ ସହିତ ବିଏସ୍ଇର ଏମ୍ଡି ଓ ସିଇଓ ସୁନ୍ଦରରମଣ ରାମମୂର୍ତ୍ତି, ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ, ସେବୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଅଶ୍ବିନୀ ଭାଟିଆ, ଅନନ୍ତ ନାରାୟଣ ଜି ଓ କମଲେଶ ଚନ୍ଦ୍ର ଭାର୍ସନିଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ କରିବାକୁ କୋର୍ଟ କହିଛନ୍ତି।
କୋର୍ଟଙ୍କ ସେହି ନିର୍ଦ୍ଦେଶକୁ ସେବି ଚ୍ୟାଲେଞ୍ଜ କରିବ ବୋଲି କହିଛି। ତଥ୍ୟ ଉପସ୍ଥାପନ କରିବା କିମ୍ବା ନିଜ ପକ୍ଷ ରଖିବା ଲାଗି କୋର୍ଟ କୌଣସି ନୋଟିସ୍ ଦେଇନାହାନ୍ତି। ଆବେଦନକାରୀ ଜଣେ ଅଭ୍ୟାସଗତ ବିବାଦ ସୃଷ୍ଟିକାରୀ ବୋଲି ସେବି କହିଛି। ବିଏସ୍ଇ ମଧ୍ୟ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବ। ନିଜ ପଦରୁ ଅବ୍ୟାହତି ନେବାର କିଛି ଦିନ ପରେ ମାଧବୀଙ୍କୁ ଏଭଳି ଏକ ଝଟ୍କା ସାମ୍ନା କରିବାକୁ ପଡ଼ିଛି। ନିକଟରେ ତାଙ୍କ ସ୍ଥାନରେ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ସେବି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।
ମାଧବୀଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ସେବିର ନେତୃତ୍ବ ନେଉଥିବା ବେଳେ ନୀତି ନିୟମ ପାଳନରେ ବିଫଳ ହେଉଥିବା କମ୍ପାନିକୁ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରିବା ଲାଗି ଅନୁମତି ଦିଆଯାଉଥିଲା। ପରିଣାମ ସ୍ବରୂପ ନିବେଶକଙ୍କୁ କ୍ଷତି ସହିବାକୁ ପଡ଼ୁଥିଲା। ସେବି ଓ କର୍ପୋରେଟ୍ ସଂସ୍ଥା ମଧ୍ୟରେ ଭିତିରିଆ ସମ୍ପର୍କ, ଇନ୍ସାଇଡର୍ ଟ୍ରେଡିଂ ଓ ସାର୍ବଜନୀନ ପାଣ୍ଠି ହଡ଼ପ ଭଳି ଅଭିଯୋଗ ତାଙ୍କ ନାମରେ ରହିଛି। ପୁଲିସ ଓ ନିୟାମକ ସଂସ୍ଥାକୁ ଜଣାଇବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା। କୋର୍ଟ ତଦନ୍ତ ଉପରେ ନଜର ରଖିବେ ବୋଲି କହିଛନ୍ତି ଓ ୩୦ ଦିନ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି।
ଗତବର୍ଷ ଆମେରକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ମାଧବୀ ଓ ତାଙ୍କ ସ୍ବାମୀ ଧବଲ ଧୁତ୍ଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲା। ଶିଳ୍ପପତି ଗୌତମ ଆଦାନୀଙ୍କ ସଂସ୍ଥା ଆଦାନୀ ଗ୍ରୁପ୍ ବିରୋଧରେ ସେବି ତଦନ୍ତ କରୁଥିବା ବେଳେ ସେହି ଆଦାନୀ ଗ୍ରୁପ୍ର ଏକ ସଂସ୍ଥାରେ ତାଙ୍କ ସ୍ବାମୀଙ୍କ ନିବେଶ ଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ଅନେକ ଥର ଦ୍ବେତ ସ୍ବାର୍ଥ ଅଭିଯୋଗ ଆସିଥିଲା। ଅବଶ୍ୟ ସମସ୍ତ ଅଭିଯୋଗକୁ ସେ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ମାଧବୀ ଥିଲେ ସେବିର ପ୍ରଥମ ମହିଳା ମୁଖ୍ୟ।