ନୂଆଦିଲ୍ଲୀ: ଷ୍ଟକ୍ ବଜାରରେ ନିବେଶ କରି ସମ୍ପତ୍ତି ବଢ଼ାଇବା ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଆପ୍ ଜରିଆରେ ନିବେଶ ସହଜ ହୋଇଥିବାରୁ ବହୁ ଲୋକ ସେୟାର କିଣାବିକାରେ ସାମିଲ ହୋଇଛନ୍ତି। ତେବେ ବଜାରକୁ ଭଲ ଭାବେ ବୁଝିପାରୁନଥିବା ଲୋକମାନେ ଅର୍ଥହାନିର ଶିକାର ହେଉଛନ୍ତି। ସେଭଳି ଲୋକମାନଙ୍କୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ନୂଆ କଂପାନି ଆଣୁଥିବା ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)ରେ ତରବରିଆ ଭାବେ ନିବେଶ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment

‌ସେ କହିଛନ୍ତି ଯେ ଆଇପିଓରେ ନିବେଶ କରିବା ଲାଗି ବଡ଼ ସଂସ୍ଥାଗୁଡ଼ିକ ମଧ୍ୟରେ ଆଗ୍ରହ ରହିବା ସ୍ବାଭାବିକ କଥା। କାରଣ ସେମାନେ ଏକ‌ସଙ୍ଗେ ୧୦୦ କୋଟି, ୨୦୦ କୋଟି ଟଙ୍କା ଖର୍ଚ୍ଚ କରି ସେୟାର କିଣନ୍ତି। ମାଧ୍ୟମିକ ବଜାରରେ ସେହି କାରବାର କରିବା ଏକ ବ୍ୟୟବହୁଳ ବ୍ୟାପାର। କିନ୍ତୁ ଖୁଚୁରା ନିବେଶକମାନେ ଅତ୍ୟଧିକ ଉତ୍ସାହିତ ହେବାର କିଛି କାରଣ ନାହିଁ। ସେମାନେ ଅଳ୍ପ ଟଙ୍କା ଖର୍ଚ୍ଚ କରି ସେୟାର କିଣନ୍ତି। ତାହାକୁ ଯେକୌଣସି ସମୟରେ କିଣାଯାଇପାରିବ। ଯେଉଁ ସଂସ୍ଥା ଆଇପିଓ ଆଣୁଛି ତାହାର ସେୟାର ଷ୍ଟକ ବଜାରରେ ତାଲିକାଭୁକ୍ତ ହେବା ପରେ କିଭଳି କାରବାର କରୁଛନ୍ତି ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ଖୁଚୁରା ନିବେଶକମାନଙ୍କୁ କହିଛନ୍ତି। ମାସେ ଦୁଇ ଯଦି ସେୟାର ଠିକ୍‌ଠାକ୍‌ କାରବାର ହେଉଥିବ ତେବେ ସେଥିରେ ନିବେଶ କଲେ ଅର୍ଥହାନିର ଆଶଙ୍କା କମିଯିବ ବୋଲି ସେ କହିଛନ୍ତି। ନିବେଶ କରିବା ବେଳେ ସର୍ବଦା ନିଜର ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ଦୀର୍ଘକାଳୀନ ଭିତ୍ତିରେ ନିବେଶ କରିବାକୁ ସେ କହିଛନ୍ତି।