ମୁମ୍ବାଇ: ୟୁଟ୍ୟୁବର୍‌ ତଥା ଫାଇନାନ୍ସିଆଲ ଇନ‌ଫ୍ଲୁଏନସର୍‌ ଭାବେ ପରିଚିତ ଅସ୍ମିତା ପଟେଲଙ୍କ ବିରୋଧରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାର୍ଯ୍ୟାନୁଷ୍ଠାନ ନେଇଛି। ଅଣପଞ୍ଜୀକୃତ ନିବେଶ ସେବା ପ୍ରଦାନରୁ ତାଙ୍କୁ ଏବଂ ତାଙ୍କର ଟ୍ରେଡିଂ ସ୍କୁଲକୁ ନିଷିଦ୍ଧ କରାଯାଇଛି। ଷ୍ଟକ୍‌ ମାର୍କେଟ୍‌ର ‘ସି ଉଲଫ୍’ ବା ‘ଅପ୍‌ସନ୍ସ କ୍ବିନ୍’ ଭାବେ ଜଣାଶୁଣା ଅସ୍ମିତା ବେଆଇନ ଭାବେ ୧୦୪ କୋଟି ଟଙ୍କା ରୋଜଗାର କରିଥିବା କୁହାଯାଉଛି। ସେ ପ୍ରଦାନ କରୁଥିବା ଷ୍ଟକ୍‌ ପରାମର୍ଶକୁ ଗ୍ରହଣ କରି ନିବେଶକମାନେ କୋଟି କୋଟି ଟଙ୍କା ହରାଇଛନ୍ତି। ଅସ୍ମିତା ପଟେଲ, ତାଙ୍କ ଗ୍ଲୋବାଲ ସ୍କୁଲ୍‌ ଅଫ୍‌ ଟ୍ରେଡିଂ ଏବଂ ଅନ୍ୟ ମାନଙ୍କଠାରୁ ସେବି ୫୩.୬ କୋଟି ଟଙ୍କା ଜବତ କରିଛି।

Advertisment

ଶିକ୍ଷାଗତ ପାଠ୍ୟକ୍ରମ ନାମରେ ଏମାନେ ବେଆଇନ ନିବେଶ ପରାମର୍ଶ ସେବା ପ୍ରଦାନ କରୁଥିଲେ। ସେମାନେ ସଂଗ୍ରହ କରିଥିବା ଅତିରିକ୍ତ ଅର୍ଥ କାହିଁକି ଜବତ କରା ନଯିବ ତାହାର କାରଣ ଦର୍ଶାଇବା ପାଇଁ କୁହାଯାଇଛିି। ଏଥିସହିତ ପ୍ରସାରିତ ସମସ୍ତ ଭିଡିଓ, ୱେବସାଇଟ୍ ଆଦିକୁ ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚରୁ ସେବି ଜାଣିବାକୁ ପାଇଛି ଯେ ଅସ୍ମିତା ପଟେଲ ଗ୍ଲୋବାଲ ସ୍କୁଲ ଅଫ୍ ଟ୍ରେଡିଂ ସହିତ ଅସ୍ମିତା ପଟେଲ ଓ ତାଙ୍କ ସ୍ବାମୀ ଜିତେଶ ପଟେଲ ଏକ ସ୍କିମ କରିଥିଲେ ଯାହା ଜରିଆରେ ନିର୍ଦ୍ଦିଷ୍ଟ କେତେକ ଷ୍ଟକ୍‌ରେ ନିବେଶ କରିବା ଏବଂ ଏବିସି ଲିମିଟେଡରେ ଟ୍ରେଡିଂ ଆକାଉଣ୍ଟ ଖୋଲିବା ପାଇଁ ଉତ୍ସାହିତ କରାଯାଉଥିଲା। ଅସ୍ମିତା, ଜିତେଶ ଏବଂ ତାଙ୍କ ସ୍କୁଲ ବ୍ୟତୀତ ଅନ୍ୟ ଯେଉଁ ୩ଟି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେମାନେ ହେଲେ କିଙ୍ଗ୍‌ ଟ୍ରେଡର୍ସ, ଜେମିନି ଏଣ୍ଟରପ୍ରାଇଜ୍‌ ଏବଂ ୟୁନାଇଟେଡ ଏଣ୍ଟରପ୍ରାଇଜ୍‌।