ସେବିର ତଦନ୍ତ ଆରମ୍ଭ

ଆଇସିଆଇସିଆଇ-ଭିଡିଓକନ୍‌ ଋଣ ବିବାଦ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ଭିଡିଓକନ୍‌ ଋଣ ମାମଲା ଉପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନଜର ପକାଇଛି। ବ୍ୟାଙ୍କରେ କର୍ପୋରେଟ୍‌ ଗଭର୍ଣ୍ଣାନ୍ସ ନିୟମ ଠିକ୍‌ ଭାବେ ପାଳନ ହୋଇଛି ନା ନାହିଁ ତାହା ଜାଣିବାକୁ ସେବି ପ୍ରୟାସ ଆରମ୍ଭ କରିଛି। ଏଥି ସହିତ ଯେଉଁ ସବୁ ଘୋଷଣା ବ୍ୟାଙ୍କ କରିବା ଦରକାର ତାହା ଠିକ୍‌ ସମୟରେ କରିଛି ନା ନାହିଁ ତାହା ମଧ୍ୟ ସେବି ଜାଣିବାକୁ ଚାହୁଁଛି। ଏହି ମାମଲାକୁ ନେଇ ସେବି ପକ୍ଷରୁ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଭିଡିଓକନ୍‌ ଗ୍ରୁପ୍‌ ଏବଂ ଏହାର ପ୍ରମୋଟରମାନଙ୍କ ଉପରେ ମଧ୍ୟ ସେବି ନଜର ରଖିଛି। ଆଇସିଆଇସିଆଇ ବ୍ୟାଙ୍କ ସହିତ ଅନ୍ୟ ୧୯ଟି ବ୍ୟାଙ୍କ ମିଶି ଭିଡିଓକନ୍‌କୁ ଋଣ ଦେଇଥିଲେ। ବିଗତ କିଛି ବର୍ଷ ଭିତରେ ଆଇସିଆଇସିଆଇ ବ୍ୟାଙ୍କ ଯେଉଁ ସବୁ ଘୋଷଣାନାମା ପ୍ରଦାନ କରିଥିଲା ତାହାକୁ ନେଇ ସେବି ଏହାର ତଦନ୍ତ ଆରମ୍ଭ କରିଛି। ଏହି ସମୟରେ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ମଧ୍ୟ ଆଇସିଆଇସିଆଇ ବ୍ୟାଙ୍କକୁ ଅତୀତର କିଛି କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି।

ଭିଡିଓକନ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ଯେଉଁ ଋଣ ଦେଇଥିଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭିଡିଓକନ୍‌ ସହିତ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ବ୍ୟାବସାୟିକ ସମ୍ପର୍କ ରହିଛି। ସେଥିପାଇଁ ଭିଡିଓକନ୍‌କୁ ଚନ୍ଦାଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ଆଇସିଆଇସିଆଇ ବ୍ୟାଙ୍କ ଅଧିକ ଅନୁଗ୍ରହ ଦେଖାଇଥିଲା ବୋଲି ଅଭିଯୋଗ ହୋଇଛି। ବ୍ୟାଙ୍କର ବୋର୍ଡ କିନ୍ତୁ ସିଇଓ ଚନ୍ଦାଙ୍କ ବିରୋଧରେ ହୋଇଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛି। ସିଇଓ କୌଣସି ଭୁଲ କରିନାହାନ୍ତି। ସେ ସବୁ ନିୟମ ପାଳନ କରିଛନ୍ତି ବୋଲି ବ୍ୟାଙ୍କର ଅଧ୍ୟକ୍ଷ ଏମ୍‌ କେ ଶର୍ମା କହିବା ସହିତ ତାଙ୍କ ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ମଧ୍ୟ କହିଛନ୍ତି। ୨୦୧୬ରେ ଭିଡିଓକନ୍‌ ଋଣକୁ ନେଇ ଏକ ନିୟାମକ ସଂସ୍ଥା ବ୍ୟାଙ୍କକୁ କିଛି ତଥ୍ୟ ମାଗିଥିଲା। ବ୍ୟାଙ୍କ ସେହି ସମୟରେ ସବୁ ତଥ୍ୟ ପ୍ରଦାନ କରିଥିଲା ବୋଲି ଶ୍ରୀ ଶର୍ମା କହିଛନ୍ତି। ରିଜର୍ଭ ବ୍ୟାଙ୍କ ଏସବୁ ତଥ୍ୟ ମାଗିଥିଲା ବୋଲି ଚର୍ଚା ହେଉଛି।

ଚନ୍ଦା ଋଣର ଜଣେ ବଡ଼ ହିତାଧିକାରୀ: ଅରବିନ୍ଦ
ନୂଆଦିଲ୍ଲୀ: ଭିଡିଓକନ୍‌କୁ ଯେଉଁ ଋଣ ଦିଆଯାଇଥିଲା ତାହାର ଜଣେ ବଡ଼ ହିତାଧିକାରୀ ହେଉଛନ୍ତି ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚର। ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ ନିବେଶକ ସୁରକ୍ଷା ପରିଷଦର ଟ୍ରଷ୍ଟି ଅରବିନ୍ଦ ଗୁପ୍ତା। ସେ କହିଛନ୍ତି ଯେ ତଥ୍ୟ ପ୍ରମାଣରୁ ଏହା ସ୍ପଷ୍ଟ ହେଉଛି ଯେ ଚନ୍ଦା ଓ ତାଙ୍କ ପରିବାର ଏହି ଋଣରୁ ବଡ଼ ଧରଣର ଲାଭ ପାଇଛନ୍ତି। ସରକାର ଏହି ମାମଲାର ତଦନ୍ତ କରିବା ଦରକାର ବୋଲି ସେ ଦାବି କରିଛନ୍ତି। ଗୋଟିଏ ବୁଡ଼ିଯାଉଥିବା କଂପାନିକୁ କାହିଁକି ଋଣ ପ୍ରଦାନ କରାଗଲା ତାହାର ଯାଞ୍ଚ କରିବା ପାଇଁ ଅଡିଟ୍‌ ହେବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।

ଦୀପକ କୋଚ୍ଚର କିଏ?
ଦୀପକ କୋଚ୍ଚର ହେଉଛନ୍ତି ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ୱାମୀ। ସେ ଜଣେ ବ୍ୟବସାୟୀ। ନ୍ୟୁପାଓ୍ଵାର ରିନ୍ୟୁଏବଲ୍‌ସ୍‌ ନାମକ କଂପାନିର ସେ ହେଉଛନ୍ତି ସହ ପ୍ରତିଷ୍ଠାତା ଓ ସିଇଓ। ୨୦୦୮ରେ ସେ ଏହି କଂପାନିକୁ ଭିଡିଓକନ୍‌ର ମୁଖ୍ୟ ବେଣୁଗୋପଳ ଧୁତ୍‌ଙ୍କ ସହିତ ମିଶି ପ୍ରତିଷ୍ଠା କରିଥିଲେ। ବମ୍ବେ ବିଶ୍ୱବିଦ୍ୟାଳୟର ଜମନାଲାଲ୍‌ ବଜାଜ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ ଷ୍ଟଡିଜ୍‌ରେ ମାଷ୍ଟର୍‌ ଇନ୍‌ ଫାଇନାନ୍ସ ପାଠ ପଢ଼ୁଥିବା ବେଳେ ଦୀପକଙ୍କର ଚନ୍ଦାଙ୍କ ସହିତ ସାକ୍ଷାତ ହୋଇଥିଲା। ସେତେବେଳେ ଚନ୍ଦାଙ୍କ ନାମ ଥିଲା ଚନ୍ଦା ଆଡଭାନି। ଦୀପକଙ୍କୁ ବିବାହ କରିବା ପରେ ଚନ୍ଦାଙ୍କ ସାଙ୍ଗିଆ ଆଡ୍‌ଭାନିରୁ ବଦଳି କୋଚ୍ଚର ହୋଇଥିଲା। ଚନ୍ଦାଙ୍କ ସ୍ୱାମୀ ଦୀପକ ହାଭାର୍ଡ ବିଜନେସ୍‌ ସ୍କୁଲ୍‌ରେ ମଧ୍ୟ ପାଠ ପଢ଼ିଛନ୍ତି। ୨୦୦୮ ପୂର୍ବରୁ ସେ ‘ପାସିଫିକ୍‌ କ୍ୟାପିଟାଲ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଏକ ଆର୍ଥିକ ସଂସ୍ଥାରେ କାମ କରୁଥିଲେ। ଏହି କଂପାନିକୁ ଚନ୍ଦାଙ୍କ ଭାଉଜ ନୀଲମ୍‌ ଆଡଭାନି ଓ ଶ୍ୱଶୁର ବିରେନ୍ଦ୍ର କୋଚ୍ଚର ସ୍ଥାପନ କରିଥିଲେ। ଦୀପକ ଜଣେ ଜାତୀୟ ସ୍ତରର ସ୍କ୍ଵାସ୍‌ ଖେଳାଳୀ। ସେ ତିନିଟି ଟାଇଟଲ୍‌ ମଧ୍ୟ ଜିତିଛନ୍ତି। ଦୀପକଙ୍କର ଭିଡିଓକନ୍‌ ସହିତ ଥିବା ବ୍ୟାବସାୟିକ ସମ୍ପର୍କ ପାଇଁ ଏବେ ଚନ୍ଦା କୋଚ୍ଚରଙ୍କ ନିଷ୍ପତ୍ତିର ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର