ଭୁବନେଶ୍ବର: ପୁଞ୍ଜି ବଜାର ନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ଅନେକ ରାଜ୍ୟଠାରୁ ପଛରେ ପଡ଼ିଛି। ଦିଲ୍ଲୀ, ଗୁଜରାଟ, ଚଣ୍ଡୀଗଡ଼, ଡାମନ ଆଣ୍ଡ୍ ଡିୟୁ, ଦାଦ୍ରା ଆଣ୍ଡ୍ ନଗର ହାବେଳି, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ପୁଡ଼ୁଚେରି, ଆଣ୍ଡାମାନ ନିକୋବର ଭଳି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପରିବାରଗୁଡ଼ିକ ପୁଞ୍ଜିବଜାରରେ ନିବେଶ କ୍ଷେତ୍ରରେ ଆଗରେ ରହିଛନ୍ତି।
ଜାତୀୟସ୍ତରରେ ଦେଖିଲେ ଏହା ୯.୫ ପ୍ରତିଶତ ରହିଛି। କିନ୍ତୁ ଓଡ଼ିଶା ବହୁ ପଛରେ ରହିଛି। ଓଡ଼ିଶାରେ ମାତ୍ର ୬.୪ ପ୍ରତିଶତ ପରିବାର ପୁଞ୍ଜିବଜାରରେ ନିବେଶ କରିଛନ୍ତି। ଦିଲ୍ଲୀରେ ସର୍ବାଧିକ ୨୦.୭ ପ୍ରତିଶତ ପରିବାର ପୁଞ୍ଜିବଜାରରେ ନିବେଶ କରିଥିବାବେଳେ ନାଗାଲାଣ୍ଡ୍ରେ ସବୁଠୁ କମ୍ ଅର୍ଥାତ ୪.୩ ପ୍ରତିଶତ ପରିବାର ପୁଞ୍ଜିବଜାରରେ ନିବେଶ କରିଛନ୍ତି ବୋଲି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିବେଶକ ସର୍ଭେ ୨୦୨୫ ରିପୋର୍ଟରୁ ଜଣାଯାଇଛି।
ସର୍ଭେରେ ଏହା କୁହାଯାଇଛି ଯେ ଦେଶରେ ପୁଞ୍ଜି ବଜାରରେ ନିବେଶ ନେଇ ୬୩ ପ୍ରତିଶତ ପରିବାର ସଚେତନ ଅଛନ୍ତି। କିନ୍ତୁ କେବଳ ୯.୫ ପ୍ରତିଶତ ପରିବାର ନିବେଶ କରିଛନ୍ତି। ସର୍ଭେରୁ ଏହା ଜଣାଯାଇଛି ଯେ ପ୍ରାୟ ୬୩ ପ୍ରତିଶତ ପରିବାର ବା ପ୍ରାୟ ୨୧.୩ କୋଟି ପରିବାର ଅତିକମ୍ରେ ଗୋଟିଏ ସିକ୍ୟୁରିଟିଜ୍ ମାର୍କେଟ ଉତ୍ପାଦ ସଂପର୍କରେ ସଚେତନ ଅଛନ୍ତି। କିନ୍ତୁ କେବଳ ୯.୫ ପ୍ରତିଶତ ଲୋକ ବା ପ୍ରାୟ ୩.୨ କୋଟି ପରିବାର ଏହି ବଜାରରେ ନିବେଶ କରିଛନ୍ତି। ସହରାଞ୍ଚଳରେ ୧୫ ପ୍ରତିଶତ ପରିବାର ପୁଞ୍ଜିବଜାର ନିବେଶରେ ଅଂଶଗ୍ରହଣ କରିଥିବାବେଳେ ଗ୍ରାମାଞ୍ଚଳରେ ୬ ପ୍ରତିଶତ ପରିବାର ନିବେଶରେ ଅଂଶଗ୍ରହଣ କରିଛନ୍ତି।
ସର୍ଭେରୁ ଏହା ଜଣାଯାଇଛି ଯେ ଭାରତୀୟ ପରିବାରଗୁଡ଼ିକ ସେମାନଙ୍କ ପୁଞ୍ଜିର ଲାଭ ପରିବର୍ତ୍ତେ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ପ୍ରାୟ ୮୦ ପ୍ରତିଶତ ପରିବାର କମ୍ ରିସ୍କ ନେବା ବର୍ଗରେ ରହିଛନ୍ତି। ୧୪.୭ ପ୍ରତିଶତ ପରିବାର ମଧ୍ୟମ ରିସ୍କ ଆଭିମୁଖ୍ୟ ରଖୁଥିବାବେଳେ କେବଳ ୫.୬ ପ୍ରତିଶତ ପରିବାର ଅଧିକ ରିସ୍କ ନେଉଛନ୍ତି।
ପୁଞ୍ଜିବଜାର ବା ସିକ୍ୟୁରିଟିଜ୍ରେ ନିବେଶ କରିବାରେ ପରିବାରଗୁଡ଼ିକୁ ଅନେକ ପ୍ରତିବନ୍ଧକ ରହିଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ଜଟିଳ ଉତ୍ପାଦ, ଜ୍ଞାନର ଅଭାବ, କ୍ଷତିର ଭୟ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଉପରେ କମ୍ ବିଶ୍ବାସ। କେବଳ ୩୬ ପ୍ରତିଶତ ନିବେଶକଙ୍କ ମଧ୍ୟମ କିମ୍ବା ଅଧିକ ବଜାର ଜ୍ଞାନ ରହିଛି। ୬୪ ପ୍ରତିଶତ ନିବେଶକଙ୍କର ସୀମିତ ଜ୍ଞାନ ଅଛି। ଅଣନିବେଶକଙ୍କ ମଧ୍ୟରେ ୭୪ ପ୍ରତିଶତ ଉତ୍ପାଦର ଜଟିଳତା ଏବଂ ଜ୍ଞାନର ଅଭାବକୁ ଦର୍ଶାଇଛନ୍ତି। ୭୩ ପ୍ରତିଶତଙ୍କ ମଧ୍ୟରେ କ୍ଷତି ଆଶଙ୍କା ରହିଛି। ଆସ୍ଥା ଓ ସ୍ବଚ୍ଛତାକୁ ନେଇ ୫୧ ପ୍ରତିଶତ ଚିନ୍ତିତ ଅଛନ୍ତି। ଏସବୁ ପ୍ରତିବନ୍ଧକ ସତ୍ତ୍ବେ ନିବେଶ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି। ଉତ୍ପାଦ ସଂପର୍କରେ ସଚେତନ ଥାଇ ବର୍ତ୍ତମାନ ସୁଦ୍ଧା ନିବେଶ କରି ନଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨୨ ପ୍ରତିଶତ ଆଗାମୀ ବର୍ଷକ ମଧ୍ୟରେ ନିବେଶ ଯୋଜନା କରୁଛନ୍ତି। ସହଜ ଡିଜିଟାଲ ପ୍ଲାଟଫର୍ମ, ଯୋଡ଼ା ଯାଇ ପାରୁଥିବା ସଫଳ କାହାଣୀ, ସହକର୍ମୀ ବା ସାଥୀମାନଙ୍କ ପ୍ରଭାବ ଏବଂ ଆଞ୍ଚଳିକ ଭାଷାରେ ଆର୍ଥିକ ଶିକ୍ଷା ଆଦି ଭାରତୀୟ ପରିବାରଗୁଡ଼ିକର ପୁଞ୍ଜିବଜାର ନବେଶ କ୍ଷେତ୍ରରେ ଆଗାମୀ ଦିନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ପ୍ରକାଶିତ ନିବେଶକ ସର୍ଭେ ୨୦୨୫ ଆମ୍ଫି, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ, ନ୍ୟାସନାଲ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍ (ଏନ୍ଏସ୍ଡିଏଲ୍) ଏବଂ ସେଣ୍ଟ୍ରାଲ ଡିପୋଜିଟୋରି ସର୍ଭିସେସ୍ ଲିମିଟେଡ (ସିଡିଏସ୍ଏଲ୍) ସହଯୋଗରେ ହୋଇଛି। କାଣ୍ଟାର ପକ୍ଷରୁ ଦେଶର ୪୦୦ ସହର ଏବଂ ୧୦୦୦ ଗ୍ରାମର ୯୦ ହଜାରରୁ ଅଧିକ ପରିବାରକୁ ନେଇ ଉକ୍ତ ସର୍ଭେ କରାଯାଇଛି।