ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନିଙ୍କ ପ୍ରତି ପୁଣି ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଲି‌ଷ୍ଟିଂ ଏବଂ ସଂପୃକ୍ତ ପକ୍ଷ କାରବାର ନିୟମ ଉଲ୍ଲଂଘନ ପାଇଁ ଆଦାନି ଗ୍ରୁପ୍‌ର ୬ଟି କମ୍ପାନିକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ସେହି ସଂସ୍ଥାଗୁଡ଼ିକ ହେଉଛି ଆଦାନି ପୋର୍ଟସ୍‌ ଆଣ୍ଡ୍‌ ସ୍ପେସିଆଲ୍‌ ଇକୋ‌ନୋମିକ୍ ଜୋନ୍, ଆଦାନି ପାୱାର, ଆଦାନି ଏନର୍ଜି ସଲ୍ୟୁସନ୍ସ, ଆଦାନି ୱିଲ୍‌ମାର୍‌ ଏବଂ ଆଦାନି ଟୋଟାଲ୍ ଗ୍ୟାସ୍‌। ଆଦାନି ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଆଦାନି ଏଣ୍ଟରପ୍ରାଇଜେସ୍‌କୁ ଦୁଇଟି ନୋଟିସ୍ ମିଳିଛି। ଆଦାନି ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏସିସି ଓ ଅମ୍ବୁଜା ସିମେଣ୍ଟକୁ କୌଣସି ନୋଟିସ୍ ମିଳିନାହିଁ।

Advertisment

ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଷ୍ଟକ୍‌ ମୂଲ୍ୟ ହେରଫେର, ଆକାଉଣ୍ଟିଂ ଜାଲିଆତି, ଜାଲ୍ କମ୍ପାନି ଗଠନ ଭଳି ସଙ୍ଗିନ ଅଭିଯୋଗ ଆଣିଥିଲା। ସେହି ଅଭିଯୋଗ ପରେ ସେବି ପକ୍ଷରୁ ଆଦାନି ବିରୋଧରେ ତଦନ୍ତ ଆରମ୍ଭ କରାଯାଇଥିଲା। ହିଣ୍ଡେନବର୍ଗ କରିଥିବା ସମସ୍ତ ଅଭିଯୋଗକୁ ଆଦାନି ଗ୍ରୁପ୍ ଦୃଢ଼ ଭାବେ ଖଣ୍ଡନ କରିଥିଲା। ଏହା ସତ୍ତ୍ବେ ଷ୍ଟକ୍ ବଜାରରେ କମ୍ପାନିର ବଜାର ପୁଞ୍ଜି ପରିମାଣ ୧୫,୦୦୦ କୋଟି ଡଲାର ହ୍ରାସ ପାଇଥିଲା। ବିଶ୍ବ ଧନୀ ତାଲିକାରେ ତୃତୀୟ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିଥିବା ନିଜେ ଆଦାନି ମଧ୍ୟ ବଡ଼ ଧରଣର କ୍ଷତି ସହିଥିଲେ। ସେ ଧନୀ ତାଲିକାର ଶ୍ରେଷ୍ଠ ୩୦ରୁ ବିଦା ହୋଇଯାଇଥିଲେ।

ହିଣ୍ଡେନବର୍ଗ କରିଥିବା ଅଭିଯୋଗ ଆଧାରରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ। ‌ଏହା ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଥିଲା। ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। କୋର୍ଟ ଗଠନ କରିଥିବା ବିଶେଷଜ୍ଞ କମିଟି ଆଦାନି ଗ୍ରୁପ୍‌କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଏହାପରେ ସେବି ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା। ନିକଟରେ ତାହା ମଧ୍ୟ ଆଦାନି ଗ୍ରୁପ୍‌ ସପକ୍ଷରେ ରିପୋର୍ଟ ଦେଇଛି।