ୱାସିଂଟନ: ଆମେରିକାର ବ୍ୟାଙ୍କ ଶିଳ୍ପ ଅତି ଖରାପ ସମୟ ଦେଇ ଗତି କରୁଛି। ସପ୍ତାହକ ଭିତରେ ଦେଶର ଦୁଇଟି ବଡ଼ ବ୍ୟାଙ୍କ ଦେବାଳିଆ ହୋଇଯାଇଛି। ଗତ ଶୁକ୍ରବାର ସିଲିକନ ଭାଲି ବ୍ୟାଙ୍କ ବନ୍ଦ ହୋଇଥିଲା। ତାହାର ଦୁଇଦିନ ପରେ ନ୍ୟୁୟର୍କ ସହରସ୍ଥିତ ସିଗ୍ନେଚର ବ୍ୟାଙ୍କ ମଧ୍ୟ ବୁଡ଼ିଯାଇଛି। ଉଭୟ ବ୍ୟାଙ୍କର ନିୟନ୍ତ୍ରଣକୁ ଆମେରିକାର ଆର୍ଥିକ ନିୟାମକ ସଂସ୍ଥା ନିଜ ଅଧୀନକୁ ଆଣିଛନ୍ତି। ଜମାକାରୀମାନେ ଯେଭଳି ନିଜ ପାଣ୍ଠି ଫେରିପାଇବେ ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଆଜିଠାରୁ ସିଲିକନ ଭାଲି ବ୍ୟାଙ୍କର ଗ୍ରାହକମାନଙ୍କୁ ପାଣ୍ଠି ଉଠାଣ ସୁବିଧା ଦିଆଯାଇଛି। ସିଗ୍ନେଚର ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ନିଜ ଅର୍ଥ ଫେରିପାଇବେ ବୋଲି ଆମେରିକା ସରକାର କହିଛନ୍ତି।
ବ୍ୟାଙ୍କ ବିଫଳତା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ମୁହଁ ଖୋଲିଛନ୍ତି। ସିଲିକନ ଭାଲି ବ୍ୟାଙ୍କ ବିଫଳ ହେବା ପଛରେ ଯେଉଁମାନେ ଦାୟୀ ସେମାନଙ୍କୁ ଉତ୍ତରଦାୟୀ କରାଯିବ ବୋଲି ବାଇଡେନ୍ କହିଛନ୍ତି। ଆମେରିକାର ଆର୍ଥିକ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଲାଗି ଅର୍ଥମନ୍ତ୍ରୀ ଜାନେଟ୍ ୟାଲେନ୍, ଜାତୀୟ ଅର୍ଥନୈତିକ ପରିଷଦର ନିର୍ଦେଶକଙ୍କ ସହ ବାଇଡେନ୍ ଆଲୋଚନା କରିଛନ୍ତି। କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ, ଜମାକାରୀ ଓ ଟିକସଦାତାଙ୍କ ସ୍ବାର୍ଥର ସୁରକ୍ଷା ଲାଗି ସମାଧାନ ପନ୍ଥା ମିଳିସାରିଛି ବୋଲି ସେ କହିଛନ୍ତି। ସୋମବାରଠାରୁ ସବୁ ଜମାକାରୀ ଓ ନିବେଶକ ନିଜ ପାଣ୍ଠିକୁ ହାସଲ କରିପାରିବେ ବୋଲି ବାଇଡେନ୍ କହିଥିଲେ। ଆମେରିକାର ଜନତା ଓ ବ୍ୟବସାୟୀମାନେ ନିଜ ପାଣ୍ଠିକୁ ଯେତେବେଳେ ଚାହିବେ ପାଇପାରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ଆମେରିକାବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ଯେ ବ୍ୟାଙ୍କ ଉପରେ ଭରସା ରଖ। ତୁମ ଜମାକୁ ତୁମେ ଯେତେବେଳେ ଚାହିବ ପାଇପାରିବ। ଏହି ଅବସରରେ ସେ ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କ ବିଫଳତା ପାଇଁ ଟିକସଦାତାଙ୍କ କୌଣସି ପାଣ୍ଠି ବ୍ୟବହାର ହେବନାହିଁ। ୨୦୦୮ ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ଆମେରିକାରେ ସିଲିକନ ଭାଲି ବ୍ୟାଙ୍କ ବୁଡ଼ିଥିଲା। ଏହାର ଦୁଇଦିନ ପରେ ଆଉ ଗୋଟିଏ ବ୍ୟାଙ୍କ ବୁଡ଼ିଯିବା ସମସ୍ତଙ୍କୁ ଚକିତ କରିଛି। ଶେଷ ଥର ପାଇଁ ୨୦୦୮ରେ ଆମେରିକାର ୱାସିଂଟନ ମ୍ୟୁଚୁଆଲ୍ ନାମକ ବ୍ୟାଙ୍କ ବୁଡ଼ିଥିଲା।
ଅଶି ଦଶକରେ ଆରମ୍ଭ ହୋଇଥିବା ସିଲିକନ ଭାଲି ବ୍ୟାଙ୍କ ମୁଖ୍ୟତଃ ଷ୍ଟାର୍ଟଅପ୍ ଓ ପ୍ରଯୁକ୍ତି କଂପାନିଗୁଡ଼ିକୁ ଋଣ ଦେଉଥିଲା। ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ସାରା ବିଶ୍ବରେ ଦରଦାମ୍ ବେଲଗାମ ହେବା ପରେ ଆମେରିକାର ଫେଡେରାଲ୍ ରିଜର୍ଭ ଲଗାତାର ଭାବେ ସୁଧ ବୃଦ୍ଧି କରିବାରୁ ଏହି ବ୍ୟାଙ୍କ ପାଖରେ ଥିବା ପାଣ୍ଠି ଶେଷ ହୋଇଯାଇଥିଲା। ନୂଆ ପାଣ୍ଠି ଯୋଗାଡ଼ କରିବା ଲାଗି ଏହା ଯେତେ ଉଦ୍ୟମ କରିଥିଲା ସବୁ ବିଫଳ ହୋଇଥିଲା। ଶେଷରେ କାଲିଫର୍ଣ୍ଣିଆର ବ୍ୟାଙ୍କିଙ୍ଗ ନିୟାମକ ସଂସ୍ଥା ତାହାକୁ ନିଜ ଅକ୍ତିଆରକୁ ଆଣିଥିଲେ। ବ୍ୟାଙ୍କର ସମସ୍ତ ଜମା ଓ ସମ୍ପତ୍ତିକୁ ଗଠନ କରାଯାଇଥିବା ଏକ ବ୍ରିଜ୍ ବ୍ୟାଙ୍କକୁ ଦିଆଯାଇଛି। ଏଥି ସହିତ ବ୍ୟାଙ୍କର ନୂଆ ସିଇଓ ଭାବେ ଟିମ୍ ମାୟୋପୋଲସଙ୍କୁ ନିଯୁକ୍ତି ଦିଆଯାଇଛି।
୯୯ ଟଙ୍କାରେ ବିକ୍ରି ହେଲା ସିଲିକନ୍ ଭାଲି ବ୍ୟାଙ୍କ ୟୁକେ
ଲଣ୍ଡନ: ବୁଡ଼ିଯାଇଥିବା ଆମେରିକୀୟ ବ୍ୟାଙ୍କ ସିଲିକନ ଭ୍ୟାଲି ବ୍ୟାଙ୍କର ବ୍ରିଟେନ୍ କାରବାରକୁ ଋଷି ସୁନକ ସରକାର ଉଦ୍ଧାର କରିଛନ୍ତି। ବ୍ୟାଙ୍କ ଅଫ୍ ଇଂଲଣ୍ଡ୍ ସହଯୋଗରେ ସିଲିକନ୍ ଭାଲି ବ୍ୟାଙ୍କର ବ୍ରିଟେନ୍ କାରବାରକୁ ବିକ୍ରି କରାଯାଇଛି। ବ୍ୟାଙ୍କର ବ୍ୟବସାୟକୁ ମାତ୍ର ୧ ପାଉଣ୍ଡ୍ରେ (୯୯ ଟଙ୍କା) ଏଚ୍ଏସ୍ବିସି କିଣିଛି। ପ୍ରଧାନମନ୍ତ୍ରୀ ସୁନକଙ୍କ ସହ ବ୍ୟାପକ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସିଲିକନ ଭାଲି ବ୍ୟାଙ୍କ ବୁଡ଼ିଯିବା ପରେ ବ୍ରିଟେନ୍ର ଷ୍ଟାର୍ଟଅପ୍ ଓ ପ୍ରଯୁକ୍ତି ଦୁନିଆରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ମାମଲାରେ ହସ୍ତକ୍ଷେପ କରିବାକୁ ୨୮୦ଟି ସଂସ୍ଥା ଚିଠି ଲେଖି ଅର୍ଥମନ୍ତ୍ରୀ ଜେରେମି ହଣ୍ଟ୍ଙ୍କୁ ଅନୁରୋଧ କରିଥିଲେ। ଆଜି ହଣ୍ଟ୍ କହିଛନ୍ତି ଯେ ସିଲିକନ ଭାଲି ବ୍ୟାଙ୍କର ବ୍ରିଟେନ୍ କାରବାରକୁ ଉଦ୍ଧାର କରିବାରେ ସରକାରୀ ପାଣ୍ଠି ଖର୍ଚ୍ଚ କରାଯାଇନାହିଁ। ଗ୍ରାହକମାନଙ୍କ ସମସ୍ତ ପାଣ୍ଠି ସୁରକ୍ଷିତ ରହିଛି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।