କେନ୍ଦ୍ରକୁ ଘାରିଲାଣି ପାଣ୍ଠି ଚିନ୍ତା: ବିକିବେ କୋଲ୍ ଇଣ୍ଡିଆ, ବ୍ୟାଙ୍କ ଅଂଶଧନ

ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ବ୍ୟୟ ଭାର ବହୁତ ବଢ଼ିଥିବା ବେଳେ ଆୟ ଉତ୍ସ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ କେଉଁଠାରୁ ଆଉ ପାଣ୍ଠି ଯୋଗାଡ଼ କରାଯିବ ତାହା ସରକାରଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କେଉଁ ସବୁ ଉତ୍ସରୁ ପାଣ୍ଠି ମିଳିପାରିବ ତାହା ଉପରେ କେନ୍ଦ୍ର ସରକାର ବିଚାରବିମର୍ଶ ଆରମ୍ଭ କରିଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସହାୟତା ମାଗିବା ଉପରେ ସରକାର ବିଚାର କରୁଛନ୍ତି। ଏହାବାଦ୍‌ କୋଲ୍‌ ଇଣ୍ଡିଆ ଓ ଏକ ବ୍ୟାଙ୍କରେ ଥିବା ଅଂଶଧନ ବିକ୍ରି କରି ୨୦ ହଜାର କୋଟି ଟଙ୍କା ସଂଗ୍ରହ ଉପରେ ମଧ୍ୟ ବିଚାର କରାଯାଉଛି।

ଷ୍ଟକ ବଜାରର ସ୍ଥିତିକୁ ନଜରରେ ରଖି କୋଲ୍ ଇଣ୍ଡିଆ ଓ ବ୍ୟାଙ୍କର ଅଂଶଧନ ବିକ୍ରି କରିବା ନିଷ୍ପତ୍ତି ନିଆଯିବ। ଯଦି କୋଲ୍ ଇଣ୍ଡିଆ ସେୟାର ପାଇଁ ଭଲ ଦାମ୍ ମିଳିବ ନାହିଁ ତେବେ ସରକାରଙ୍କ ଠାରୁ ସେୟାର ବାଏବ୍ୟାକ୍ କରିବା ଲାଗି କଂପାନିକୁ କୁହାଯିବ। କୋଲ ଇଣ୍ଡିଆରେ ସରକାରଙ୍କ ୬୬ ପ୍ରତିଶତ ଅଂଶଧନ ରହିଛି। ୨୦୧୫ରେ କଂପାନିର ୧୦% ଅଂଶଧନକୁ ବିକ୍ରି କରି ସରକାର ୨୨,୫୫୦ କୋଟି ଟଙ୍କା ପାଇଥିଲେ। ଆଇଡିବିଆଇ ବ୍ୟାଙ୍କର ୫୧ ପ୍ରତିଶତ ଅଂଶଧନକୁ ଗତବର୍ଷ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) କିଣିଥିଲା। ଏବେ ସେହି ବ୍ୟାଙ୍କର ସରକାରଙ୍କ ଆଉ ୪୭ ପ୍ରତିଶତ ଅଂଶଧନ ରହିଛି।

ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରଠାରୁ ଟିକସ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜିଏସ୍‌ଟି ଆଦାୟରେ ଜୁନ୍ ମାସ‌ରେ କିଛିଟା ସୁଧାର ଘଟିଛି। କଳ କାରଖାନାରେ କାର୍ଯ୍ୟ ସ୍ବାଭାବିକ ହୋଇନଥିବାରୁ ଉତ୍ପାଦନ ଶୁଳ୍କ ଆଦାୟ ହ୍ରାସ ପାଇଛି। ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଆଦାୟ ପ୍ରଭାବିତ ହୋଇଛି। ତେଣୁ ବଜେଟ୍‌ରେ ଯେଉଁ ସବୁ ଘୋଷଣା କରାଯାଇଛି ତାହାକୁ କିଭଳି କାର୍ଯ୍ୟକାରୀ କରାଯିବ ତାହା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ବଜେଟ୍ ବାଦ କରୋନା ସଙ୍କଟ ମୁକାବିଲା ଲାଗି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ରେ ବଜେଟ୍ ନିଅଣ୍ଟକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩.୫ ପ୍ରତିଶତ ଭିତରେ ରଖିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସେହି ଲକ୍ଷ୍ୟ ହାସଲ କରିବାକୁ ହେଲେ ବିପୁଳ ପରିମାଣର ପାଣ୍ଠି ଯୋଗାଡ଼ କରିବାକୁ ପଡ଼ିବ। ପୁଞ୍ଜିପ୍ରତ୍ୟାହାରରୁ ଅଧିକ ପାଣ୍ଠି ଜୁଟାଇବା ଲାଗି ସରକାର ଚାହୁଛନ୍ତି। ମାତ୍ର କରୋନା ସଙ୍କଟ ସବୁ କିଛି ବିଗାଡ଼ିଦେଇଛି। ସେଥିପାଇଁ ଗୋଟିଏ ପରେ ଗୋଟିଏ ପୁଞ୍ଜି ପ୍ରତ୍ୟାହାର ଯୋଜନାକୁ ବାତିଲ କରାଯାଉଛି। ଆନ୍ତର୍ଜାତିକ ଉଡ଼ାଣ ବନ୍ଦ ରହିବା ଏବଂ ତେଲ ଦର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥିବାରୁ ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ୍ ଅଂଶଧନ ବିକ୍ରି ବନ୍ଦ ରହିଛି।

ଚଳିତ ଆର୍ଥିକ ବର୍ଷରେ ଦେଶର ବିତ୍ତୀୟ ନିଅଣ୍ଟ ଜିଡିପିର ୭ ପ୍ରତିଶତ ଭଳି ସ୍ତରକୁ ବୃଦ୍ଧିପାଇବ ବୋଲି ବ୍ଲୁମ୍‌ବର୍ଗ ପକ୍ଷରୁ କରାଯାଇଥିବା ସର୍ଭେରେ ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ଭାରତର ଆର୍ଥିକ ସ୍ଥିତି ଉପରେ ରେଟିଂ ଏଜେନ୍ସିଗୁଡ଼ିକ କଡ଼ା ନଜର ରଖିଛନ୍ତି। କୌଣସି କ୍ଷେତ୍ରରେ ତ୍ରୁଟିବିଚ୍ୟୁତି ହେଲେ ତୁରନ୍ତ ରେଟିଂ କମାଇବାକୁ ସେମାନେ ଚାହିବସିଛନ୍ତି। ରେଟିଂରେ ହ୍ରାସ କରିବା ଲାଗି କେତେକ ଏଜେନ୍ସି ଚେତାବନୀ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର