ଗ୍ରାହକଙ୍କୁ ତେଲ ସହ ଡଲାର ଯାଚୁଛନ୍ତି ବିକ୍ରେତା, ଅକଳରେ ତେଲ ଉତ୍ପାଦନ କରୁଥିବା ଦେଶ

ଆମେରିକାରେ ଦାମ୍‌ ଶୂନ ଠୁ କମ୍

ନୂଆଦିଲ୍ଲୀ/ନ୍ୟୁୟର୍କ: ଗତ ସୋମବାର ବିଶ୍ବ ତୈଳ ବଜାରରେ ଏକ ଅବିଶ୍ବସନୀୟ ଘଟଣା ଘଟିଥିଲା। ତେଲ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇଯାଇଥିଲା। ତେଲ ଚାହିଦା ଏତେ କମିଯାଇଥିଲା ଯେ ବିକ୍ରେତାମାନେ ତେଲ ବିକିବାକୁ ସଂଘର୍ଷ କରିଥିଲେ। ଯେତିକି ତେଲ ତାହା ନେଇଯିବା ଲାଗି ବିକ୍ରେତାମାନେ ଗ୍ରାହକଙ୍କ ଗୋଡ଼ହାତ ଧରିବା ଭଳି ସ୍ଥିତି ଉପୁଜିଥିଲା। ଗ୍ରାହକଙ୍କୁ ସେମାନେ ଡଲାର ବି ଯାଚୁଥିଲେ। ଆମେରିକାରେ ତେଲ ଦାମ୍ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ସେଠାରେ ତେଲ ଦାମ୍ ଶୂନ ଠାରୁ ମଧ୍ୟ କମ୍ ହୋଇଛି। ଗତକାଲି ଆମେରିକାରେ ତେଲର ବ୍ୟାରେଲ ପିଛା ଦାମ୍ (-)୩୭ ଡଲାର ପାଖାପାଖି ଥିଲା। ପ୍ରଥମ ଥର ପାଇଁ ଆମେରିକାରେ ତେଲ ଦାମ୍ ବିଯୁକ୍ତାତ୍ମକ ସ୍ତରକୁ ଖସିଛି। କରୋନା ଭୂତାଣୁ ବ୍ୟାପିବା ପରଠାରୁ ତେଲ ଦାମ୍ ଦ୍ରୁତ ଗତିରେ ହ୍ରାସ ପାଉଛି। ଚଳିତ ବର୍ଷ ଆରମ୍ଭରେ ଏକ ବ୍ୟାରେଲ୍ ତେଲ ଦାମ୍ ୬୦ ଡଲାର ସ୍ତରରେ ଥିଲା। ଏବେ ତାହା ୨୦ ଡଲାରରୁ କମ୍ ଦାମ୍‌ରେ ବିକ୍ରି ହେଉଛି। ତେଲ କିଣିବା ପାଇଁ କୌଣସି ଦେଶ ଆଗ୍ରହ ଦେଖାଉନଥିବା ବେଳେ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ଉତ୍ପାଦନ କମ୍ କରୁନାହାନ୍ତି। ଏବେବି ବିଭିନ୍ନ ଦେଶ ଦିନକୁ ୧୦୦ ନିୟୁତ ବ୍ୟାରେଲ୍ ତେଲ ଉତ୍ପାଦନ କରୁଛନ୍ତି। ତାହାକୁ ରଖିବା ଲାଗି ସ୍ଥାନର ଅଭାବ ଦେଖାଦେଲାଣି। ସ୍ଥିତି ବିଗିଡ଼ିଯାଇଥିବାରୁ ସାଉଦି ଆରବ, ରୁଷିଆ ଏବଂ ଅନ୍ୟ କିଛି ଦେଶ ଉତ୍ପାଦନ କମ୍ କରିବାକୁ ସହମତ ହୋଇଛନ୍ତି। ତେଲର ବ୍ୟାରେଲ ପିଛା ଦାମ୍ ୨୦ ଡଲାର ହୋଇଯାଇଥିବା ବେଳ ତେଲ ନେବା ଲାଗି ବିକୁଥିବା ଦେଶ ଗ୍ରାହକମାନଙ୍କୁ ୩୦ ଡଲାର ପର୍ଯ୍ୟନ୍ତ ଅର୍ଥ ଗଣିଛନ୍ତି। ମେ’ ମାସ ପାଇଁ ବିକ୍ରି କରାଯାଉଥିବା ତେଲର ଅବଧି ଗତ ମଙ୍ଗଳବାର ଶେଷ ହୋଇଛି। ଏବେ କେହିବି ତେଲ କିଣିବାକୁ ଚାହୁନାହାନ୍ତି କାରଣ ତେଲ ରଖିବା ଲାଗି ବିଭିନ୍ନ ଦେଶରେ ଆଉ ସ୍ଥାନ ନାହିଁ। ଜୁନ୍ ମାସ ପାଇଁ ବିକ୍ରି ହେଉଥିବା ତେଲର ବ୍ୟାରେଲ୍ ପିଛା ଦାମ୍ ୨୨ ଡଲାର ଭଳି ନିମ୍ନ ସ୍ତରରେ ରହିଛି। କରୋନା ପ୍ରଭାବରେ ସାରା ବିଶ୍ବରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ବିମାନ ଓ ଗାଡ଼ି ମଟର ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି। ସେଥିପାଇଁ ଅଶୋଧିତ ତୈଳ ବିଶୋଧନ କରୁଥିବା ସଂସ୍ଥାଗୁଡ଼ିକ ପେଟ୍ରୋଲ୍, ଡିଜେଲ୍ ଓ ଅନ୍ୟାନ୍ୟ ଉତ୍ପାଦ ଉତ୍ପାଦନ କରିବାକୁ ଚାହୁନାହାନ୍ତି। ବିଶୋଧନକାରୀମାନଙ୍କ ପାଖରେ ତେଲ ସଂରକ୍ଷିତ ରଖିବାର ଯେତେ ସବୁ ବ୍ୟବସ୍ଥା ଥିଲା ତାହା ଭର୍ତି ହୋଇଗଲାଣି। କୋଣ ଅନୁକୋଣ ସବୁଆଡ଼େ ତେଲ ରଖାଯାଇଛି।
ସାରା ବିଶ୍ବରେ ୬୮୦ କୋଟି ବ୍ୟାରେଲ୍‌ ତୈଳ ସଂରକ୍ଷିତ ରଖିବାର ବ୍ୟବସ୍ଥା ରହିଛି। ସେଥି ମଧ୍ୟରୁ ୬୦ ପ୍ରତିଶତ ଭର୍ତି ହୋଇଗଲାଣି। ବିଶ୍ବର ସର୍ବବୃହତ ତୈଳ ଗଚ୍ଛିତ ରଖିବାର ଭଣ୍ଡାର ଆମେରିକାର ଓକ୍ଲାହୋମାରେ ରହିଛି। ସେଥିରେ ୮୦ ନିୟୁତ ବ୍ୟାରେଲ୍ ତେଲ ରଖାଯାଇପାରିବ। ବର୍ତ୍ତମାନ ସେହି ଭଣ୍ଡାର ଅଧାରୁ ଅଧିକ ଭର୍ତି ହୋଇସାରିଲାଣି। ସେଥିରେ ଆଉ ମାତ୍ର ୨୧ ନିୟୁତ ବ୍ୟାରେଲ ତେଲ ରହିପାରିବ। ୱେଷ୍ଟ ଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା, ଆଙ୍ଗୋଲା, ବ୍ରାଜିଲ ଓ ନାଇଜେରିଆରେ ତେଲ ରଖିବା ଲାଗି ଆଉ ଜାଗା ନାହିଁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ନିଜ ଦେଶର ତେଲ ଭଣ୍ଡାରରେ ୭୫ ନିୟୁତ ବ୍ୟାରେଲ ତେଲ ଗଚ୍ଛିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେଲ ବଜାର ପାଇଁ ଏବେ ଏକ ସମ୍ପୂର୍ଣ୍ଣ ଭିନ୍ନ ଧରଣର ସମସ୍ୟା ଦେଖାଦେଇଛି। ତୈଳ ଭିତ୍ତିଭୂମି ଏଭଳି ଏକ ବ୍ୟବସ୍ଥା ଯାହାକୁ ବନ୍ଦ କରାଯାଇପାରିବ ନାହିଁ। ସେହିପରି, ତେଲ ଉପରେ ନିର୍ଭରଶୀଳ ଥିବା ଦେଶ ଯଥା ସାଉଦି ଆରବ ଓ ରୁଷିଆ କୌଣସି ପରିସ୍ଥିତିରେ ଉତ୍ପାଦନ କମାଇ ରାଜସ୍ବ ହରାଇବାକୁ ଚାହୁନାହାନ୍ତି। ତୈଳ କୂପକୁ ବନ୍ଦ କରି ପୁଣି ଚାଲୁ କରିବାକୁ ହେଲେ ଉଭୟ ଦକ୍ଷ ମାନବ ସମ୍ବଳ ଓ ଉପକରଣ ଦରକାର ଯେଉଁଥିପାଇଁ ବିପୁଳ ଅର୍ଥ ବ୍ୟୟ କରିବାକୁ ପଡ଼ିବ। ତେଲ କଂପାନିଗୁଡ଼ିକ ଉପରେ ଋଣ ବୋଝ ମଧ୍ୟ ଅଛି। ସୁଧ ପଇଠ କରିବା ଲାଗି ସେମାନଙ୍କୁ ଅର୍ଥ ଯୋଗାଡ଼ କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଉତ୍ପାଦନ କମାଇବାକୁ ସେମାନେ ଚାହୁନାହାନ୍ତି।

ଆମେରିକାରେ ଦାମ୍‌ ଶୂନ ଠୁ କମ୍
ସିଙ୍ଗାପୁର: ଆମେରିକାରେ ତୈଳ ଦର ଶୂନ ତଳକୁ ଖସିଯାଇଥିଲା। ମଙ୍ଗଳବାର ଅବଶ୍ୟ ସେଥ‌ିରେ ସୁଧାର ଘଟିଛି। ତେଲର ବ୍ୟାରେଲ ପିଛା ଦାମ୍ ୧.୧୦ ଡଲାର ହୋଇଛି। ଗତକାଲି ଆମେରିକାରେ ତେଲ ଦାମ୍ ଶୂନ ତଳକୁ ହ୍ରାସ ପାଇ ବିଯୁକ୍ତାତ୍ମକ ୩୭ ଡଲାର ହୋଇଯାଇଥିଲା। ଅନ୍ୟପକ୍ଷରେ, ସାଉଦି ଠାରୁ ତେଲ କିଣିବା ବନ୍ଦ କରାଯିବ ବୋଲି ଆମେରିକା ସଙ୍କେତ ଦେଇଛି।

ଅପ୍ରବାସନକୁ ସାମୟିକ ସ୍ଥଗିତ ରଖିଲା ଆମେରିକା
ୱାସିଂଟନ, ୨୧/୪: ଆମେରିକାରେ କରୋନା ସଂକ୍ରମଣରେ ୪୨ ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇ ସାରିଲେଣି। କରୋନା ସଂକ୍ରମଣକୁ ରୋକିବା ଲାଗି ଆମେରିକାରେ ଏବେ ଲକ୍‌ଡାଉନ୍‌ ଚାଲିଛି। ତେବେ ଲକ୍‌ଡାଉନ୍‌କୁ ବିରୋଧ କରି ଆମେରିକୀୟ ନାଗରିକମାନେ ଏବେ ରାସ୍ତାକୁ ଓହ୍ଲାଇଲେଣି। ଏଭଳି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏକ ଟ୍ବିଟ୍ କରି ଅପ୍ରବାସନକୁ ସାମୟିକ ସ୍ଥଗିତ ରଖିଛନ୍ତି। ସେଥିରେ ସେ କହିଛନ୍ତି ଆମେରିକାକୁ ସ୍ଥାୟୀ ଭାବେ ବସବାସ କରିବା ପାଇଁ ଆସୁଥିବା ବିଦେଶୀ ନାଗରିକମାନଙ୍କୁ ବର୍ତ୍ତମାନ ଏହି ଅନୁମତି ମିଳିବ ନାହିଁ। ତାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ବଳରେ ଏହି ନିୟମ କାର୍ଯ୍ୟକାରୀ ହେବ।

ଲାଭବାନ ହେବକି ଭାରତ?
ଭାରତ ଏହାର ତୈଳ ଆବଶ୍ୟକତାର ୮୦% ଆମଦାନି ଜରିଆରେ ପୂରଣ କରୁଥିବାରୁ ତେଲ ଦରରେ ଘଟିଥିବା ହ୍ରାସ ଦ୍ବାରା ଭାରତ ଲାଭବାନ ହେବ ବୋଲି କୁହାଯାଇପାରିବ। କିନ୍ତୁ ଭାରତ ଯେଉଁ ତେଲ ଆମଦାନି କରୁଛି ତାହା ବ୍ରେଣ୍ଟ୍‌ କ୍ରୁଡ୍‌ର ଓମାନ ଓ ଦୁବାଇର ହାରାହାରି ମୂଲ୍ୟ ଅନୁସାରେ ଧାର୍ଯ୍ୟ କରାଯାଇଛି। ବ୍ରେଣ୍ଟ୍‌ କ୍ରୁଡ୍‌ ହେଉଛି ସେହି ଅଶୋଧିତ ତୈଳ ଯାହା ଆମେରିକା ବାହାରେ କାରବାର ହୋଇଥାଏ। ଭାରତ ସେହି ତେଲ କିଣୁଛି। ଭାରତ କିଣୁଥିବା ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦର ଏବେବି ୨୦.୫୬ ଡଲାର ସ୍ତରରେ ରହିଛି। ସର୍ବନିମ୍ନ ଦାମ୍‌ରୁ ଭାରତ ବିଶେଷ ଲାଭ ଉଠାଇପାରିବ ନାହିଁ। କାରଣ କରୋନା ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ତେଲ ଚାହିଦା ହ୍ରାସ ପାଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ବହୁତ ଦୁର୍ବଳ ହୋଇଯାଇଥିବାରୁ ପୂର୍ବରୁ ‌ତେଲ କିଣିବା ଲାଗି ଯେତିକି ଖର୍ଚ୍ଚ ହେଉଥିଲା ଏବେ ସେହି ସମାନ ପରିମାଣର ତେଲ ପାଇଁ ଅଧିକ ଅର୍ଥ ଗଣିବାକୁ ପଡ଼ୁଛି। ଏକ ଡଲାରକୁ ଏବେ ୭୬ ଟଙ୍କା ୭୦ ପଇସା ଦେଇ କିଣିବାକୁ ପଡ଼ୁଛି। ଯଦି ଡଲାର ଦାମ୍ ହ୍ରାସ ପାଇଥାନ୍ତା ତେବେ ଭାରତ ମୋଟାମୋଟି ଭାବେ ଲାଭବାନ ହୋଇଥାନ୍ତା‌। ନିକଟ ଭବିଷ୍ୟତରେ ମଧ୍ୟ ପେଟ୍ରୋଲ୍‌, ଡିଜେଲ୍ ଦାମ୍‌ରେ ହ୍ରାସ ଘଟିବାର କମ୍ ସମ୍ଭାବନା ରହିଛି। କାରଣ ଏହି ଦୁଇ ଇନ୍ଧନର ସିଂହ ଭାଗ ଟିକସ ଆକାରରେ ଆଦାୟ କରାଯାଉଛି।

ସମ୍ବନ୍ଧିତ ଖବର