ଶିଳ୍ପ ସଂସ୍ଥାକୁ ବ୍ୟାଙ୍କ ବିକିବା ବଡ଼ ଭୁଲ ହେବ: ରାଜନ

ରାଜସ୍ବ କେଉଁଠୁ ଆସିବ ବଜେଟ୍‌ରେ ସୂଚନା ନାହିଁ, ୫ ଟ୍ରିଲିଅନ ଲକ୍ଷ୍ୟ ଏକ ବହୁତ ବଡ଼ ଅଭିଳାଷ

ନୂଆଦିଲ୍ଲୀ: ୨୦୨୧-୨୨ ବଜେଟ୍‌ରେ ଘରୋଇକରଣକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଅତୀତରେ ଏକ୍ଷେତ୍ରରେ ସରକାର ହାସଲ କରିଥିବା ସଫଳତା ସମସ୍ତଙ୍କୁ ଜଣାଅଛି। ଏଥର ଏହା କିଭଳି ଭିନ୍ନ ତାହା ବୁଝିହେଉନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। କେଉଁ ଠାରୁ ରାଜସ୍ବ ସଂଗ୍ରହ କରାଯିବ ତାହା ବଜେଟ୍‌ରେ ସ୍ପଷ୍ଟ କରାଯାଇନାହିଁ। ଗରିବଙ୍କ କଲ୍ୟାଣ ପାଇଁ ଓ ବେକାରି ସମସ୍ୟାର ସମାଧାନ ବିଷୟରେ ବଜେଟ୍‌ରେ ବିଶେଷ କିଛି ଉଲ୍ଲେଖ କରାଯାଇନାହିଁ। ଦୁଇ ବ୍ୟାଙ୍କର ଘରୋଇକରଣ କରାଯିବ ବୋଲି ସୂଚନା ଦିଆଯାଇଥିବା ବେଳେ ସେବିଷୟରେ ଆଉ କିଛି ସ୍ପଷ୍ଟ କରାଯାଇନାହିଁ। ଶିଳ୍ପ ସଂସ୍ଥା ହାତକୁ ବ୍ୟାଙ୍କ ଟେକିଦେବା

ଏକ ବହୁତ ବଡ଼ ଭୁଲ ହେବ ବୋଲି ରାଜନ କହିଛନ୍ତି। ସେହିପରି ଏକ ଭଲ ବ୍ୟାଙ୍କକୁ ବିଦେଶୀ ବ୍ୟାଙ୍କ ହାତକୁ ଟେକି ଦେବା ରାଜନୈତିକ ଦୃଷ୍ଟିକୋଣରୁ କଷ୍ଟକର କାର୍ଯ୍ୟ ହୋଇପାରେ ବୋଲି ସେ କହିଛନ୍ତି। ଭାରତୀୟ ଘରୋଇ ବ୍ୟାଙ୍କଗୁଡ଼ିକ ସରକାରୀ ବ୍ୟାଙ୍କ କିଣିବା ସ୍ଥିତିରେ ଅଛନ୍ତି। କିନ୍ତୁ ସେମାନେ ଏଥିପାଇଁ ଆଗ୍ରହୀ ନା ନାହିଁ ତାହା କହିହେବ ନାହିଁ ବୋଲି ରାଜନ ମତ ଦେଇଛନ୍ତି। ପ୍ରସ୍ତାବିତ ବ୍ୟାଡ୍‌ ବ୍ୟାଙ୍କ ସମ୍ପର୍କରେ ମତ ରଖି ରାଜନ କହିଛନ୍ତି ଯେ ଯଦି ଭଲ ଭାବେ ସେହି ସଂସ୍ଥା ଗଠନ କରାଯିବ ଓ ତାହାକୁ ଆବଶ୍ୟକ ପୁଞ୍ଜି ଓ ସ୍ବାଧୀନତା ଦିଆଯିବ ତେବେ ତାହା ସଫଳ ହେବ। ଅନ୍ୟଥା କେବଳ ଗୋଟିଏ ସଂସ୍ଥାରୁ ଅନ୍ୟ ସଂସ୍ଥା ହାତକୁ ଏନ୍‌ପିଏ ହସ୍ତାନ୍ତର ହେବା ଭଳି କଥା ହେବ। ଅନ୍ୟ କୌଣସି ସୁଫଳ ମିଳିବ ନାହିଁ ବୋଲି ସେ କହିଛନ୍ତି। ଭାରତୀୟ ଅର୍ଥନୀତିକୁ ପାଞ୍ଚ ଟ୍ରିଲିଅନ (ପାଞ୍ଚ ଲକ୍ଷ କୋଟି) ଡଲାରରେ ପରିଣତ କରିବା ଲାଗି ଭାରତ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ଏକ ବହୁତ ବଡ଼ ଅଭିଳାଷ। ଯତ୍ନ ସହକାରେ ଏହାର ହିସାବ ହୋଇନାହିଁ ବୋଲି ରାଜନ କହିଛନ୍ତି। ମହାମାରୀ ପୂର୍ବରୁ ମଧ୍ୟ ଏହି ଲକ୍ଷ୍ୟ ଏକ ବହୁତ ବଡ଼ ଅଭିଳାଷ ମନେ ହେଉଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର