ଭୁବନେଶ୍ବର: ରାଜ୍ୟ ସରକାର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ପ୍ରାଥମିକତା ଦେଉଥିବା ବେଳେ ଏହି କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆକୃଷ୍ଟ କରିବା ଉପରେ ଜୋର ଦେଉଛନ୍ତି। ସେମିକଣ୍ଡକ୍ଟରରେ ଓଡ଼ିଶାକୁ ଅଗ୍ରଣୀ ସ୍ଥାନରେ ରଖିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଭୁବନେଶ୍ବର ବିମାନବନ୍ଦର ପାଖରେ ଏକ ନୂଆ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ବିକାଶ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୦୦୦ ଏକର ଜମି ଚିହ୍ନଟ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଞ୍ଜୁର କରିଥିବା ସିକ୍‌ସେମ୍‌ ଓ ୩ଡି ଗ୍ଲାସ୍ କାରଖାନାକୁ ସେହି କ୍ଲଷ୍ଟର୍‌ରେ ସ୍ଥାପନ କରାଯିବ। ‘ବିଜନେସ୍‌ ଷ୍ଟାଣ୍ଡାର୍ଡ’କୁ ରାଜ୍ୟ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସେମିକଣ୍ଡକ୍ଟର କ୍ଲଷ୍ଟର୍‌ ବିକାଶ ଲାଗି ମାଲେସିଆର ବିଶେଷଜ୍ଞ ଇଞ୍ଜିନିୟରମାନଙ୍କ ସହ କଥାବାର୍ତ୍ତା ଚାଲିଛି। ଖୁବ୍‌ଶୀଘ୍ର ଏହି କ୍ଲଷ୍ଟର୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଆସନ୍ତା ମାସରେ ସିକ୍‌ସେମ୍‌ ପ୍ରକଳ୍ପର ଶିଳାନ୍ୟାସ ହେବ।

Advertisment

କମ୍ପାନି ପାଇଁ ଜମି ଚିହ୍ନଟ କରାଯାଇଛି ଏବଂ ବର୍ତ୍ତମାନ ଯଥାର୍ଥ ଆକଳନ ଜାରି ରହିଛି। ଏଭଳି କାରଖାନାରୁ ଉତ୍ପାଦନ ଆରମ୍ଭ କରିବା ଲାଗି ପ୍ରାୟତଃ ଦୁଇ ବର୍ଷ ସମୟ ଲାଗୁଥିବା ବେଳେ ସରକାର କିନ୍ତୁ ୧୮ ମାସ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରୁଥିବା ଡ. ମହାଲିଙ୍ଗ କହିଛନ୍ତି। ସିକ୍‌ସେମ୍ ପ୍ରକଳ୍ପକୁ ସହଯୋଗ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଶିଳ୍ପ ଗ୍ୟାସ୍ ଯୋଗାଣକାରୀ, ରସାୟନ ନିର୍ମାତା ଏବଂ ଅନ୍ୟାନ୍ୟ କଞ୍ଚାମାଲ ଯୋଗାଣକାରୀମାନଙ୍କ ସହିତ ଆଲୋଚନା କରାଯାଉଛି। ଯାହା କିଛି ସହଯୋଗିତା ଆବଶ୍ୟକ ତାହା କରାଯାଇଛି ଏବଂ ଆଗକୁ ଯେଉଁ ସହଯୋଗ ଦରକାର ତାହା ମଧ୍ୟ ପ୍ରଦାନ କରାଯିବ। ଆନୁଷଙ୍ଗିକ ଶିଳ୍ପ ସ୍ଥାପନ ଲାଗି ମଧ୍ୟ ଜମି ଚିହ୍ନଟ କରାଯାଇଥିବା ସେ କହିଛନ୍ତି।

ଶିଳ୍ପ ସଂସ୍ଥାଗୁଡ଼ିକୁ ସହଯୋଗ ପ୍ରଦାନ କରିବା ଲାଗି ସରକାର ରିହାତି ଦରରେ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରୁଛନ୍ତି ଯାହା ସାରା ଦେଶରେ ସବୁଠୁ କମ୍ ବୋଲି ସରକାର ଦାବି କରୁଛନ୍ତି। ଓଡ଼ିଶାକୁ ଏକ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବା ଲାଗି ନୂଆ ସେମିକଣ୍ଡକ୍ଟର ନୀତି ଘୋଷଣା କରାଯାଇଛି। ସେଥିରେ ୨୦୩୦ ସୁଦ୍ଧା ୧୨୦ ଚିପ୍ ଡିଜାଇନ୍ କମ୍ପାନିଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।
ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ ଇଣ୍ଡିଆ ୨୦୨୫ ସମ୍ମିଳନୀରେ ରାଜ୍ୟ ସରକାର ଯୋଗ ଦେଇ ଓଡ଼ିଶାର ସେମିକଣ୍ଡକ୍ଟର ସମ୍ଭାବନାକୁ ପ୍ରଦର୍ଶିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଥିରେ ଯୋଗଦେଇଥିଲେ। ସମ୍ମିଳନୀରେ ୨୬୫୫ କୋଟି ଟଙ୍କାର ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ସାନ୍‌କୋଡ୍‌ ଟେକ୍ନୋଲୋଜିସ୍‌ ରାଜ୍ୟରେ ୧୬୫୦ କୋଟି ଟଙ୍କା ଏବଂ ଟପ୍‌ ଟ୍ରାକ୍ ହାଇଟେକ୍ ପିସିବି ପ୍ରାଇଭେଟ୍ ଲିମିଟେଡ୍‌ ୧୦୦୫ କୋଟି ଟଙ୍କା ନିବେଶ କରିବାକୁ ବୁଝାମଣା କରିଛନ୍ତି। ଗତ ମାସରେ କେନ୍ଦ୍ର କ୍ୟାବିନେଟ୍‌ରେ ୪୦୦୯ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ଓଡ଼ିଶାର ଦୁଇ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲା। ସେହି ଦୁଇ ପ୍ରକଳ୍ପକୁ ସିକ୍‌ସେମ୍ ଓ ୩ଡି ଗ୍ଲାସ୍‌ ପକ୍ଷରୁ ସ୍ଥାପନ କରାଯିବ।