ବିଦେଶରୁ ନିଜ ଦେଶକୁ ଅର୍ଥ ପ୍ରେରଣ: ମାତ୍ର ୦.୫% ରାଶି ପାଉଛି ଓଡ଼ିଶା

ଉପସାଗରୀୟ ଦେଶକୁ ଯାଉଥିବା ଓଡ଼ିଆଙ୍କ ସଂଖ୍ୟାରେ ବୃଦ୍ଧି

ଭୁବନେଶ୍ବର: କୋଭିଡ୍ ମହାମାରୀର ପ୍ରଭାବରେ ବିଦେଶରେ କାମ କରୁଥିବା ଭାରତୀୟମାନେ ଦେଶକୁ କମ୍ ପାଣ୍ଠି ପଠାଇଛନ୍ତି। କିନ୍ତୁ ଉପସାଗରୀୟ ଦେଶକୁ କାମ କରିବାକୁ ଯାଉଥିବା ଓଡ଼ିଆଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଗତ କିଛି ବର୍ଷ ଭିତ‌ରେ କେବଳ ଓଡ଼ିଶା ନୁହେଁ ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରୁ ମଧ୍ୟ ଅଧିକ ଲୋକ କାମଧନ୍ଦା ସନ୍ଧାନରେ ଉପସାଗରୀୟ ଦେଶକୁ ଯାଇଛନ୍ତି ବୋଲି ରିଜର୍ଭ ବ୍ୟାଙ୍କର ଜୁଲାଇ ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତଥ୍ୟରୁ ଏହା ଜଣାପଡ଼ିଛି ବୋଲି କୁହାଯାଉଛି। କେଉଁ ରାଜ୍ୟରୁ କେତେ ସଂଖ୍ୟକ ଲୋକ ଏହି ‌ସବୁ ଦେଶ ଗମନ କରିଛନ୍ତି ତାହାର ତଥ୍ୟ ବୁଲେଟିନ୍‌ରେ ଦିଆଯାଇନାହିଁ। ବିଦେଶରେ କାମ କରୁଥିବା ଲୋକମାନେ ଦେଶକୁ ପଠାଉଥିବା ଅର୍ଥରାଶି ପାଇବାରେ କିନ୍ତୁ ଓଡ଼ିଶା ବହୁ ତଳେ ରହିଛି। ବିଦେଶରୁ ଆସୁଥିବା ମାତ୍ର ୦.୫% ରାଶି ଓଡ଼ିଶା ଭାଗରେ ପଡ଼ୁଛି। ଏହି ତାଲିକା‌ରେ ଓଡ଼ିଶା ୧୯ତମ ସ୍ଥାନରେ ରହିଛି। କେବଳ ଚଣ୍ଡିଗଡ଼, ଜାମ୍ମୁ କାଶ୍ମୀର, ଛତିଶଗଡ଼, ପଣ୍ଡିଚେରି, ଆସାମ, ହିମାଚଳପ୍ରଦେଶ, ଡିଉ ଓ ଅରୁଣାଚଳ ପ୍ରଦେଶଠାରୁ ଓଡ଼ିଶା ଅଧିକ ରାଶି ପାଉଛି। ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ଓଡ଼ିଶାଠାରୁ ଯଥେଷ୍ଟ ଅଧିକ ରାଶି ପାଉଛନ୍ତି। ମହାରାଷ୍ଟ୍ର ସର୍ବାଧିକ ୩୫.୨ ପ୍ରତିଶତ ରାଶି ପାଉଛି। ଏହା ପଛକୁ କେରଳ ୧୦.୨ ପ୍ରତିଶତ, ତାମିଲନାଡୁ ୯.୭%, ଦିଲ୍ଲୀ ୯.୩ ପ୍ରତିଶତ ଓ କର୍ଣ୍ଣାଟକ ୫.୨ ପ୍ରତିଶତ ଅର୍ଥରାଶି ପାଉଛି। ରିଜର୍ଭ ବ୍ୟାଙ୍କର ରେମିଟାନ୍ସ ସର୍ଭେ ୨୦୨୧ ଅନୁଯାୟୀ, ବିଦେଶରୁ ଲୋକମାନେ ପଠାଉଥିବା ପାଣ୍ଠି ମଧ୍ୟରୁ ୪୩.୬ ପ୍ରତିଶତ ନିଜ ପରିବାର ଲୋକଙ୍କ ପାଖକୁ ପଠାଉଥିବା ବେଳେ ୩୪.୬ ପ୍ରତିଶତ ରାଶିକୁ ବ୍ୟାଙ୍କରେ ଜମା କରୁଛନ୍ତି। ୧୦.୨ ପ୍ରତିଶତ ରାଶିକୁ ସେମାନେ ସମ୍ପତ୍ତି କିଣିବାରେ ବ୍ୟବହାର କରୁଥିବା ବେଳେ ୧୧.୭ ପ୍ରତିଶତ ରାଶିକୁ ଅନ୍ୟାନ୍ୟ ଉପାୟରେ ଖର୍ଚ୍ଚ କରୁଛନ୍ତି। ଲୋକମାନେ ୫୨.୮ ପ୍ରତିଶତ ରାଶିକୁ ଘରୋଇ ବ୍ୟାଙ୍କ, ୩୯.୪ ପ୍ରତିଶତ ରାଶିକୁ ସରକାରୀ ବ୍ୟାଙ୍କ ଓ ୭.୮ ପ୍ରତିଶତ ରାଶିକୁ ବିଦେଶୀ ବ୍ୟାଙ୍କରେ ଜମା ରଖୁଛନ୍ତି।

୨୦୨୦-୨୧ରେ ଆମେରିକାରେ କାମ କରୁଥିବା ଲୋକମାନେ ଦେଶକୁ ସର୍ବାଧିକ ପାଣ୍ଠି ପଠାଇଛନ୍ତି। ଏହି ତାଲିକାରେ ୨୩.୪ ପ୍ରତିଶତ ଭାଗ ସହ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ତା’ ପଛକୁ ରହିଛନ୍ତି ୟୁଏଇ, ବ୍ରିଟେନ, ସିଙ୍ଗାପୁର, ସାଉଦି ଆରବ, କୁଏତ, ଓମାନ, କତାର, ହଂକଂ, ଅଷ୍ଟ୍ରେଲିଆ, ମାଲେସିଆ, କାନାଡା, ଜର୍ମାନି, ଇଟାଲି, ଫିଲିପାଇନ୍ସ ଓ ନେପାଳ। ବହୁ ବର୍ଷ ଧରି ୟୁଏଇରୁ ସର୍ବାଧିକ ରାଶି ଭାରତ ଆସୁଥିଲା। ମାତ୍ର ୨୦୨୦-୨୧ରେ ସେଥିରେ ବ୍ୟତିକ୍ରମ ଘଟିଛି। ଆମେରିକାରୁ ସର୍ବାଧିକ ରାଶି ଦେଶକୁ ଆସିଛି।

ସମ୍ବନ୍ଧିତ ଖବର