ବରିଷ୍ଠ ନାଗରିକଙ୍କ ପାଇଁ ରେଳବାଇ ସଞ୍ଚୟ କରିପାରିଛି ୪୦ କୋଟି

ନୂଆଦିଲ୍ଲୀ: ଦେଶର ପ୍ରାୟ ୮.୬୦ ଲକ୍ଷ ବରିଷ୍ଠ ନାଗରିକ ସେମାନଙ୍କର କୋଟା ବ୍ୟବହାର କରି ରିହାତି ନ ନେଉଥିବା ହେତୁ ଭାରତୀୟ ରେଳବାଇ ପ୍ରାୟ ୪୦ କୋଟି ଟଙ୍କା ସଞ୍ଚୟ କରିବାରେ ସମର୍ଥ ହୋଇପାରିଛି। ଚଳିତବର୍ଷ ରେଳ ଦୁର୍ଘଟଣାରେ ଅନେକ କ୍ଷୟ କ୍ଷତି ଘଟିଥିବାରୁ ଜୁଲାଇ ମାସରେ ରେଳବାଇ ପକ୍ଷରୁ ଏକ ‘ଗିଭ୍‌ ଇଟ୍‌’ କ୍ୟାମ୍ପେନ କରାଯାଇଥିଲା। ଏହି କ୍ୟାମ୍ପେନ ଜରିଆରେ ରିହାତି ନ ନେଇ ରେଳବାଇକୁ ସାହାଯ୍ୟ କରିବାକୁ ନିବେଦନ କରାଯାଇଥିଲା। ଏହି କ୍ୟାମ୍ପେନ ପରେ ଜୁଲାଇ ୨୨ରୁ ଅକ୍ଟୋବର ୨୨ ଭିତରେ ୧୬୯ ଲକ୍ଷ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୯ ଲକ୍ଷରୁ ଊର୍ଧ୍ୱ ନାଗରିକ ସେମାନଙ୍କର ରିହାତି ତ୍ୟାଗ କରିଛନ୍ତି। ସମୁଦାୟ ଯାତ୍ରୀଙ୍କ ମଧ୍ୟରୁ ୫ ପ୍ରତିଶତ ଯାତ୍ରୀ ‘ଗିଭ୍‌ ଇଟ୍‌’ କ୍ୟାମ୍ପେନକୁ ସମର୍ଥନ କରିଛନ୍ତି। ଫଳରେ ଭାରତୀୟ ରେଳବାଇକୁ ୪୦ କୋଟି ସହାୟତା ମିଳିପାରିଛି।

ଏହି କ୍ୟାମ୍ପେନ ସଂପର୍କରେ ଅଭିନବ ନାମକ ଜଣେ ଯାତ୍ରୀ କହିଛନ୍ତି, ‘ମୁଁ ଦେଖିଲି ଯେ ଟିକେଟ କରିବା ସମୟରେ ନଟ୍‌ ଆଭେଲିଂ(ଲାଭ ଉଠାଇବି ନାହିଁ) ନାମକ ଏକ ଅପ୍‌ସନ୍‌ ଦୃଶ୍ୟମାନ ହେଉଛି। ମୁଁ ଚିନ୍ତା କଲି ଯେ ବିନା ରିହାତିରେ ଟିକେଟ କାଟି ଯାତ୍ରା କରିବା ଭଳି ଆର୍ଥିକ ସ୍ୱଚ୍ଛଳତା ମୋର ଅଛି। ଅନେକ ଲୋକ ସେମାନଙ୍କର ଗ୍ୟାସ୍‌ ସବସିଡ ଛାଡ଼ି ଦେଉଛନ୍ତି। ମୁଁ ଭାବିଲି ଏଇ ଛୋଟ କାମ ଜିରିଆରେ ହେଉ ବରଂ ଦେଶପାଇଁ କିଛି କାମ କରିବି।’

ଉଲ୍ଲେଖଯୋଗ୍ୟ, ବିଭିନ୍ନ ଶ୍ରେଣୀକୁ ମିଶାଇ ରେଳବାଇ ସମୁଦାୟ ୫୬ଟି କ୍ଷେତ୍ରରେ ରିହାତି ପ୍ରଦାନ କରୁଛି। ସେହି ଶ୍ରେଣୀଗୁଡ଼ିକ ହେଉଛି ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ଛାତ୍ର, ଯବାନ ଇତ୍ୟାଦି। ବର୍ଷକୁ ଏହି ରିହାତି ବାବଦରେ ରେଳବାଇ ୧୬,୦୦ କୋଟି ଛାଡ଼ କରୁଥିବା ବେଳେ ସେଥିରୁ ୧୩,୦୦ କୋଟି କେବଳ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ୬୦ ବର୍ଷରୁ ଊର୍ଧ୍ୱ ପୁରୁଷ ଏବଂ ୫୮ ବର୍ଷରୁ ଊର୍ଧ୍ୱ ମହିଳା ନିଜ ଟିକେଟ୍‌ ଉପରେ ୪୦ ପ୍ରତିଶତ ରିହାତି ପାଇପାରିବେ।

ସମ୍ବନ୍ଧିତ ଖବର