ମୁମ୍ବାଇ: ଗତ ସପ୍ତାହରେ ଦୁଇ ହଜାରରୁ ଅଧିକ ପଏଣ୍ଟ୍ ହରାଇଥିବା ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ଚଳିତ ସପ୍ତାହର ଗୋଟିଏ ଦିନରେ ସବୁ କ୍ଷତିକୁ ଭରଣା କରିଦେଇଛି। ଲକ୍ଡାଉନ୍କୁ ପର୍ଯ୍ୟାୟ କ୍ରମେ ହଟାଇବା ଲାଗି ସରକାର ବିଚାର କରୁଥିବା ଖବର ପ୍ରଚାରିତ ହେବା ପରେ ନିବେଶକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। ସେମାନେ ମନଖୋଲି ବିଭିନ୍ନ କଂପାନିର ସେୟାର କିଣିବାରୁ ସେନ୍ସେକ୍ସରେ ଆଜି ୨୪୭୬ ପଏଣ୍ଟ୍ ଭଳି ବଡ଼ ଧରଣର ବୃଦ୍ଧି ଘଟିଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ୭.୮୬ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି। ସେନ୍ସେକ୍ସ ଆଜି ୩୦,୦୬୭ ପଏଣ୍ଟ୍ରେ ବନ୍ଦ ହୋଇଛି। ଦୀର୍ଘ ସମୟରେ ସେନ୍ସେକ୍ସ ପୁଣି ଥରେ ୩୦ ହଜାରରୁ ଊର୍ଦ୍ଧ୍ବ ପଏଣ୍ଟ୍ରେ ବନ୍ଦ ହୋଇଛି। ଗତ ଜାନୁଆରି ୨୦ରେ ସେନ୍ସେକ୍ସ ୪୨ ହଜାର ପଏଣ୍ଟ୍ରୁ ଉପର ସ୍ତରରେ ଥିଲା। ମାତ୍ର ଦେଶରେ କୋଭିଡ୍-୧୯ ବ୍ୟାପିବା କାରଣରୁ ଗ୍ରହଣ କରାଯାଇଥିବା ବିଭିନ୍ନ କଠୋର ପଦକ୍ଷେପ ଯୋଗୁ ସେଥିରେ ଦ୍ରୁତ ହ୍ରାସ ଘଟିଥିଲା। ଏକ ସମୟରେ ସେନ୍ସେକ୍ସ ୨୫ ହଜାର ପଏଣ୍ଟ୍ ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। କିଛି ଦିନ ଭିତରେ ସେଥିରେ ସୁଧାର ଘଟିଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ସ୍ଥିର ହୋଇପାରିନାହିଁ। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟି ଆଜି ୭୦୨ ପଏଣ୍ଟ୍ ବୃଦ୍ଧି ପାଇ ୮୭୮୫ ପଏଣ୍ଟ୍ରେ ବନ୍ଦ ହୋଇଛି। ତିନିଟି ପ୍ରମୁଖ ଖବର ଯୋଗୁ ସେନ୍ସେକ୍ସରେ ଆଜି ବୃଦ୍ଧି ଘଟିଛି। ପ୍ରଥମଟି ହେଉଛି ଲକ୍ଡାଉନ୍ ହଟିବା ସମ୍ପର୍କିତ ଖବର। ଦ୍ବିତୀୟଟି ହେଉଛି ଭାରତକୁ ୧୩୦ କୋଟି ଡଲାରର ପୁଞ୍ଜି ଆସିବା ପାଇଁ ସୃଷ୍ଟି ହୋଇଥିବା ସମ୍ଭାବନା। ଏହି ଖବର ଏଭଳି ଏକ ସମୟରେ ଆସିଛି ଯେତେବେଳେ ବୈଦେଶିକ ନିବେଶକମାନେ ମାର୍ଚ୍ଚ ୧ ପରଠାରୁ ଦେଶରୁ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିନେଇସାରିଲେଣି। ଔଷଧ ଉପରେ ଭାରତ ସରକାର ଲଗାଇଥିବା କଟକଣା ହଟାଇ ନେବାର ପ୍ରଭାବ ମଧ୍ୟ ଷ୍ଟକ ବଜାର କାରବାର ଉପରେ ପଡ଼ିଛି। ଆଜି କେବଳ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ ନୁହେଁ, ଆମେରିକା, ଏସିଆର ଅନେକ ଦେଶ, ଜାପାନ ଓ ୟୁରୋପୀୟ ଦେଶଗୁଡ଼ିକର ଷ୍ଟକ୍ ବଜାରରେ କାରବାର ବହୁତ ଭଲ ରହିଥିଲା।
ସେନ୍ସେକ୍ସରେ ୨୪୭୬ ପଏଣ୍ଟ୍ ବୃଦ୍ଧି, ନିବେଶକଙ୍କୁ ୭.୮୬ ଲକ୍ଷ କୋଟି ଟଙ୍କା ଲାଭ
/sambad/media/post_attachments/wp-content/uploads/2019/09/Sensex-soars.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)