ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍ସେକ୍ସ ଆଜି ରେକର୍ଡ ସ୍ତରରେ ବନ୍ଦ ହୋଇଛି। ନିବେଶକମାନେ ବିପୁଳ ପରିମାଣର ସେୟାର କାରବାର କରିବା ଯୋଗୁ ପ୍ରଥମ ଥର ପାଇଁ ସେନ୍ସେକ୍ସ ୪୦ ହଜାର ପଏଣ୍ଟ୍ ଉପରେ ବନ୍ଦ ହୋଇଛି। ଆଜି ସେନ୍ସେକ୍ସ ୫୩୩ ପଏଣ୍ଟ୍ ବୃଦ୍ଧି ସହ ୪୦,୨୬୭ ପଏଣ୍ଟ୍ରେ ବନ୍ଦ ହୋଇଛି। ମୋଦୀ ସରକାର ୨୦୧୪ରେ ଶାସନ ଭାର ଗ୍ରହଣ କରିବା ବେଳେ ସେନ୍ସେକ୍ସ ୨୫ ହଜାର ପଏଣ୍ଟ୍ ପାଖାପାଖି ଥିଲା। ସେ ଦ୍ବିତୀୟ ପାଳି ଆରମ୍ଭ କରିବାର କିଛି ଦିନ ହୋଇନଥିବା ବେଳେ ସେନ୍ସେକ୍ସ ୧୫ ହଜାର ପଏଣ୍ଟ୍ ବୃଦ୍ଧି ପାଇ ୪୦ ହଜାର ସ୍ତର ଅତିକ୍ରମ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ନୂଆ ସରକାର ଗଠନ ହେବା ଦିନ ଠାରୁ ନିବେଶକମାନେ ଉତ୍ସାହିତ ଅଛନ୍ତି। ଆଗାମୀ ଦିନରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆଶା କରି ନିବେଶକମାନେ ଭଲ ରିଟର୍ଣ୍ଣ ଆଶାରେ ସେୟାର କିଣାକିଣି ଜାରି ରଖିଛନ୍ତି। ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୧୬୬ ପଏଣ୍ଟ୍ ବୃଦ୍ଧି ପାଇ ୧୨,୦୮୮ ପଏଣ୍ଟ୍ରେ ବନ୍ଦ ହୋଇଛି। ସାଧାରଣତଃ ସିଙ୍ଗାପୁର ଷ୍ଟକ ଏକ୍ସଚେଞ୍ଜ କାରବାର ପ୍ରତିଫଳନ ବମ୍ବେ ଷ୍ଟକ ବଜାରରେ ଦେଖିବାକୁ ମିଳିଥାଏ। କିନ୍ତୁ ବିଗତ କିଛି ଦିନ ହେଲାଣି ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବିଶ୍ବର କେତେକ ପ୍ରମୁଖ ଷ୍ଟକ ବଜାରରେ କାରବାର ମାନ୍ଦା ରହୁଥିଲେ ମଧ୍ୟ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ଆଗକୁ ବଢ଼ିଚାଲିଛି। ଅଶୋଧିତ ତେଲ ଦର କମ୍ ରହିବା, ଦେଶକୁ ଅଧିକ ବିଦେଶୀ ପୁଞ୍ଜି ଆସିବା ଏବଂ ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିବେ ବୋଲି ଆଲୋଚନା ହେଉଥିବାରୁ ନିବେଶକମାନେ ସେୟାର କିଣିବା କାମ ଜାରି ରଖିଛନ୍ତି। ବିଦେଶୀ ନିବେଶକମାନେ ଆଜି ୩୦୬୮ କୋଟି ଟଙ୍କାର ସେୟାର କିଣିଛନ୍ତି।
ସେନସେକ୍ସରେ ଆଜି ହୋଇଥିବା ବୃଦ୍ଧି ଯୋଗୁ ନିବେଶକମାନେ ୧.୭୬ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି। ଷ୍ଟକ ବଜାରରେ ପଞ୍ଜୀକୃତ ହୋଇଥିବା ସବୁ କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ବା ମାର୍କେଟ୍ କ୍ୟାପ୍ ୧,୫୬,୧୪, ୪୧୬ କୋଟି ଟଙ୍କାରେ ପହଞ୍ଚିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Untitled-14-3.jpg)