କରୋନା ଝଡ଼ରେ ଉଡ଼ିଗଲା ୫୨ ଲକ୍ଷ କୋଟି, ସେନ୍‌ସେକ୍ସରେ ୬୯୨ ପଏଣ୍ଟ୍‌ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ମାସରେ ଷ୍ଟକ୍‌ ବଜାରରେ କରୋନା ଝଡ଼ରେ ନିବେଶକମାନଙ୍କ ୫୨ ଲକ୍ଷ କୋଟି ଟଙ୍କା ଉଡ଼ିଯାଇଛି। ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪୦% ଓ ବିତ୍ତୀୟ ନିଅଣ୍ଟର ୭ ଗୁଣ ସହ ସମାନ। ୨୦୧୯ ଡିସେମ୍ବର ସୁଦ୍ଧା ଷ୍ଟକ ବଜାରରେ ପଞ୍ଜିକୃତ ଥିବା କଂପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମଶର ୧୫୫.୫୩ ଲକ୍ଷ କୋଟି ଟଙ୍କା ଥିଲା। ଚଳିତ ମାସ ୨୩ ସୁଦ୍ଧା ତାହା ୧୦୩ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଷ୍ଟକ୍‌ ବଜାରରେ କଂପାନିଗୁଡ଼ିକର ମୂଲ୍ୟ ସେମାନଙ୍କ ବଜାର ପୁଞ୍ଜି ଅନୁସାରେ ଆକଳନ କରାଯାଇଥାଏ। ଯେଉଁ କଂପାନିର ବଜାର ପୁଞ୍ଜି ଯେତେ ଅଧିକ ତାହା ସେତେ ବଡ଼ ଓ ସୁଦୃଢ଼ ବୋଲି ବିଚାର କରାଯାଏ। କରୋନା ଝଡ଼ରେ ପ୍ରାୟ ସବୁ କଂପାନିର ବଜାର ପୁଞ୍ଜି ପରିମାଣ କମ୍ ହୋଇଛି। ଚଳିତ ବର୍ଷ ଜାନୁଆରି ପରଠାରୁ ବର୍ତ୍ତମାନ ସୁଦ୍ଧା ନିବେଶକମାନେ ଷ୍ଟକ ବଜାରରେ ୫୮ ଲକ୍ଷ କୋଟି ଟଙ୍କା ହରାଇସାରିଲେଣି। ଦେଶର ବିତ୍ତୀୟ ନିଅଣ୍ଟ୍‌ ଲକ୍ଷ୍ୟ ୭.୬୭ ଲକ୍ଷ କୋଟି ଟଙ୍କା ହୋଇଥିବା‌ ବେଳେ ନିବେଶକମାନେ ତା’ଠାରୁ ସାତ ଗୁଣା ଅଧିକ କ୍ଷତି ସହିଛନ୍ତି। ଅନ୍ୟ ଅର୍ଥରେ କହିଲେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଯେତିକି ଟଙ୍କାର ରାଜସ୍ବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ତାହାର ତିନି ଗୁଣା ଓ ମୋଟ୍‌ ବ୍ୟୟର ଦୁଇ ଗୁଣାରୁ ଅଧିକ ଟଙ୍କା ଷ୍ଟକ୍ ବଜାରରେ ଉଡ଼ିଗଲାଣି।

ଗତକାଲି ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ପ୍ରାୟ ୪୦୦୦ ପଏଣ୍ଟ୍‌ ତଳକୁ ଖସିଯିବାରୁ ନିବେଶକମାନେ ୧୪.୨୨ ଲକ୍ଷ କୋଟି ଟଙ୍କା ହରାଇଥିଲେ। ଏହା ଆଲ୍‌ଜେରିଆ ଓ ବିଶ୍ବର ଅନ୍ୟ ୧୩୦ଟି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଠାରୁ ଅଧିକ। ଷ୍ଟକ୍‌ ବଜାରରେ ଘଟିଥିବା ହ୍ରାସ ଯୋଗୁଁ କ୍ଷୁଦ୍ର ନିବେଶକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଧନୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ କ୍ଷତିଗ୍ରସ୍ତ ହୋଇଛନ୍ତି। ଦେଶର ପ୍ରମୁଖ ୧୪ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ୪,୦୦,୦୦୦ କୋଟି ଟଙ୍କାର ହ୍ରାସ ଘଟିଛି। ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ପରିମାଣ ୩୭.୭୦ ବିଲିଅନ୍ ଡଲାରରୁ ହ୍ରାସ ପାଇ ୨୧ ବିଲିଅନ୍ ଡଲାର ହୋଇଯାଇଛି। ଆର୍ସେଲର ମିତ୍ତଲର ସିଇଓ ଲକ୍ଷ୍ମୀ ମିତ୍ତଲଙ୍କ ସମ୍ପତ୍ତିରେ ୫୦୬ କୋଟି ଡଲାରର ହ୍ରାସ ଘଟିଛି। ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତି ୪୬୦ କୋଟି ଡଲାର, ୱିପ୍ରୋର ପ୍ରତିଷ୍ଠାତା ଅଜିମ୍ ପ୍ରେମ୍‌ଜୀଙ୍କ ୪୪୮ କୋଟି ଡଲାର, କୋଟାକ୍ ମହିନ୍ଦ୍ରାର ଉଦୟ କୋଟାକ୍‌ଙ୍କ ୪୨୨ କୋଟି ଡଲାର ଓ ଏଚ୍‌ସିଏଲ୍‌ର ଶିବ ନାଦାରଙ୍କ ସମ୍ପତ୍ତି ପରିମାଣ ୩୬୦ କୋଟି ଡଲାର ହ୍ରାସ ପାଇଛି।

ସେନ୍‌ସେକ୍ସରେ ୬୯୨ ପଏଣ୍ଟ୍‌ ବୃଦ୍ଧି
ନୂଆଦିଲ୍ଲୀ: କରୋନା ପ୍ରଭାବକୁ ଦୂର କରିବା ଲାଗି କେନ୍ଦ୍ର ସରକାର ଆର୍ଥିକ ପ୍ୟାକେଜ୍ ଆଣିବାର ସମ୍ଭାବନା ବଢ଼ିଯାଇଥିବାରୁ ନିବେଶକମାନଙ୍କ ମନୋବଳ ଦୃଢ଼ ହୋଇଛି। ସେମାନେ ଆଜି ବମ୍ବେ ଷ୍ଟକ ବଜାରରେ ବିଭିନ୍ନ କଂପାନିର ସେୟାର କିଣିବାରୁ ସେନ୍‌ସେକ୍ସରେ ୬୯୨ ପଏଣ୍ଟ୍‌ ଭଳି ବଡ଼ ଧରଣର ବୃଦ୍ଧି ଘଟି ତାହା ୨୬,୬୭୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୧୯୦ ପଏଣ୍ଟ୍‌ ହ୍ରାସ ପାଇ ୭୮୦୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବିଗତ ଏକ ମାସ ଭିତରେ ସେନ୍‌ସେକ୍ସରେ ୧୩,୫୭୧ ପଏଣ୍ଟ୍‌ ଓ ନିଫ୍‌ଟିରେ ୪୦୭୬ ପଏଣ୍ଟ୍‌ର ହ୍ରାସ ଘଟିସାରିଲାଣି। ଗତ ଜାନୁଆରି ୨୦ରେ ସେନ୍‌ସେକ୍ସ ୪୨ ହଜାର ପଏଣ୍ଟ୍‌ରୁ ଉପର ସ୍ତରରେ ଥିଲା।

ସମ୍ବନ୍ଧିତ ଖବର