ଷ୍ଟକ୍‌ ବଜାରରେ ମଧ୍ୟପ୍ରାଚ୍ୟ ଝଡ଼ : ସେନ୍‌ସେକ୍ସ ଖସିଲା ୭୮୮ ପଏଣ୍ଟ୍‌, ନିବେଶକଙ୍କ ୩ ଲକ୍ଷ କୋଟି କ୍ଷତି

ମୁମ୍ବାଇ: ଆମେରିକା ଓ ଇରାନ ଭିତରେ ବଢ଼ୁଥିବା ବିବାଦର ପ୍ରଭାବରେ ସାରା ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକର ସୂଚକାଙ୍କ ତଳକୁ ଖସିଆସିଛି। ସେହି ଧାରାରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ଆଜି ୭୮୮ ପଏଣ୍ଟ୍‌ ଭଳି ବଡ଼ ଧରଣର ହ୍ରାସ ସହ ୪୦,୬୭୬ ପଏଣ୍ଟ୍‌କୁ ହ୍ରାସ ପାଇଛି। ବିଗତ ଛଅ ମାସ ଭିତରେ ସେନ୍‌ସେକ୍ସରେ ଗୋଟିଏ ଦିନରେ କେବେବି ଏଭଳି ହ୍ରାସ ଦେଖିବାକୁ ମିଳିନଥିଲା। ଶେଷ ଥର ପାଇଁ ୨୦୧୯ ଜୁଲାଇ ୮ରେ ସେନ୍‌ସେକ୍ସରେ ୧୬୨୫ ପଏଣ୍ଟ୍‌ ଭଳି ବଡ଼ ଧରଣର ହ୍ରାସ ଘଟିଥିଲା। ବିଗତ ପାଞ୍ଚ ବର୍ଷ ଭିତରେ ସେନ୍‌ସେକ୍ସରେ ୪୦ ଥର ୫୦୦ ପଏଣ୍ଟ୍‌ରୁ ଅଧିକ, ୨୦ ଥର ୬୦୦ ପଏଣ୍ଟ୍‌ରୁ ଅଧିକ ଏବଂ ୧୧ ଥର ୭୦୦ ପଏଣ୍ଟ୍‌ରୁ ଅଧିକ ହ୍ରାସ ଘଟିଛି।

Image Source: Hindustan Times

ସେନ୍‌ସେକ୍ସରେ ହୋଇଥିବା ହ୍ରାସ ଯୋଗୁଁ ନିବେଶକମାନେ ଆଜି ୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ନିଜ ପାଖରେ ଥିବା ସେୟାରକୁ କମ୍ ଦାମ୍‌ରେ ବିକ୍ରି କରିବାରୁ ନିବେଶକମାନେ ଏହି କ୍ଷତି ସହିଛନ୍ତି। ସାଧାରଣତଃ ଏଭଳି ସଙ୍କଟ ଦେଖାଦେଲେ କ୍ଷତିକୁ ଏଡ଼ାଇବା ଲାଗି ନିବେଶକମାନେ ସେୟାର ବିକ୍ରି କରିଦିଅନ୍ତି। କାରଣ ଭବିଷ୍ୟତରେ ସେହି ରାଶି ସମ୍ପୂର୍ଣ୍ଣ ବୁଡ଼ିଯିବାର ଆଶଙ୍କା ଥାଏ। ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ସଙ୍କଟ ଯୋଗୁଁ ବିଶେଷ କରି ତେଲ ଓ ସୁନାକୁ ନେଇ କାରବାର କରୁଥିବା କଂପାନିଗୁଡ଼ିକ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ନିବେଶକମାନେ ସେହିଭଳି କଂପାନିଗୁଡ଼ିକର ସେୟାରକୁ କମ୍ ଦାମ୍‌ରେ ବିକ୍ରି କରିଛନ୍ତି। ଆଜି ନ୍ୟାସନାଲ୍‌ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୨୩୪ ପଏଣ୍ଟ୍‌ ହ୍ରାସ ପାଇ ୧୧,୯୯୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ଶୁକ୍ରବାର ଆମେରିକା ଆକ୍ରମଣରେ ଇରାନ ସେନାର ‌ଜଣେ ପ୍ରମୁଖ ଜେନେରାଲ୍ ନିହତ ହୋଇଥିଲେ। ଏହି ଖବର ପ୍ରଚାରିତ ହେବା ‌ବେଳକୁ ଭାରତର ଷ୍ଟକ ବଜାର ଖୋଲାଥିଲା। କିନ୍ତୁ ସେଦିନ ସେନ୍‌ସେକ୍ସରେ ୧୫୦ ପଏଣ୍ଟ୍‌ ଭଳି ସାଧାରଣ ହ୍ରାସ ଘଟିଥିଲା। ଏହାର ପରବର୍ତି ଦୁଇ ଦିନ ଅର୍ଥାତ ଗତ ଶନିବାର ଓ ରବିବାର ବଜାର ବନ୍ଦ ରହିଥିଲା। ସୋମବାର ବଜାର ଖୋଲିବା ମାତ୍ରେ ଏହି ଘଟଣାର ପ୍ରଭାବ କାରବାର ଆରମ୍ଭରୁ ପ୍ରତିଫଳିତ ହୋଇଥିଲା। ବିଶେଷ କରି ଅଶୋଧିତ ତେଲ ମୂଲ୍ୟରେ ହେଉଥିବା ବୃଦ୍ଧି ନିବେଶକମାନଙ୍କୁ ଅଧିକ ଚିନ୍ତାରେ ପକାଇ ଦେଇଥିଲା। ତେଲ ଆମଦାନି ବିଲ୍‌ ବୃଦ୍ଧି ପାଇଲେ ଦେଶର ବିତ୍ତୀୟ ଗଣିତ ବିଗିଡ଼ିଯିବାର ଆଶଙ୍କା ରହିଛି ଯାହା ଦେଶର ଦୁର୍ବଳ ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେବ ବୋଲି ନିବେଶକ ଓ ବିଶେଷଜ୍ଞମାନେ ଭାବୁଥିଲେ। ଆଜି ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ବ୍ୟାଙ୍କ, ଅଟୋମୋବାଇଲ୍, ଆର୍ଥିକ ସେବା, ଧାତବ ଓ ରିଅଲ ଇଷ୍ଟେଟ୍‌ ସଂସ୍ଥାର ସେୟାରଗୁଡ଼ିକୁ ଅଧିକ ମାତ୍ରାରେ ବିକ୍ରି କରିଥିଲେ।
ଆମେରିକା-ଇରାନ ବିବାଦ ଯୋଗୁଁ କେବଳ ଭାରତୀୟ ଷ୍ଟକ ବଜାର କାରବାର ପ୍ରଭାବିତ ହୋଇନାହିଁ। ବିଶ୍ବର ପ୍ରାୟ ସବୁ ପ୍ରମୁଖ ଷ୍ଟକ ବଜାର ସୂଚୀରେ ହ୍ରାସ ଘଟିଛି। ୟୁରୋପର ପ୍ରାୟ ସବୁ ଦେଶ, ଜର୍ମାନି, ପ୍ୟାରିସ, ଲଣ୍ଡନ, ଜାପାନ, ହଂକଂ, ଦକ୍ଷିଣ କୋରିଆ ଏବଂ ଚୀନ୍‌ର ଷ୍ଟକ ବଜାର ସୂଚୀରେ ବଡ଼ ଧରଣର ହ୍ରାସ ଘଟିଛି।

ରିହାତିରେ ସେୟାର କିଣିବା ସୁଯୋଗ
ବିଶେଷଜ୍ଞମାନଙ୍କ ମତରେ, ବାହ୍ୟ କାରକ ଯୋଗୁଁ ଷ୍ଟକ ବଜାର କାରବାର ପ୍ରଭାବିତ ହୋଇଛି। ଅତୀତରେ ଭୌଗୋଳିକ ସଙ୍କଟକୁ ନେଇ ଅନେକ ଥର ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁ ସମୟରେ ଅନେକ ମୂଲ୍ୟବାନ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଏବେ ସେଭଳି ସ୍ଥିତି ସୃଷ୍ଟି ହୋଇଥିବାରୁ ନିବେଶକମାନେ ଏହାର ସୁଯୋଗ ନେଇ ସେଭଳି ମୂଲ୍ୟବାନ କଂପାନିର ସେୟାରଗୁଡ଼ିକୁ କମ୍ ଦାମ୍‌ରେ କିଣିବା ଉଚିତ, ଯାହା ସେମାନଙ୍କୁ ଭବିଷ୍ୟତ ଉତ୍ତମ ରିଟର୍ଣ୍ଣ ପ୍ରଦାନ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସାଧାରଣତଃ ଅନ୍ୟ ଦେଶରେ ଘଟୁଥିବା ଘଟଣାର ପ୍ରଭାବ ଷ୍ଟକ ବଜାର ଉପରେ ସୀମିତ ସମୟ ପାଇଁ ରହିଥାଏ। ତେଣୁ ଏହାକୁ ନେଇ ଅଧିକ ଚିନ୍ତିତ ହେବା ଅନୁଚିତ। ଦୀର୍ଘମିଆଦୀ ଲକ୍ଷ୍ୟ ନେଇ ଯେଉଁମାନେ ଷ୍ଟକ ବଜାରରେ ନିବେଶ କରୁଛନ୍ତି ସେମାନେ ଏଭଳି ଅସ୍ଥିରତାର ମୁକାବିଲା କରିବା ଭଳି କଂପାନିର ସେୟାର କିଣିବା ଦରକାର। ଯେହେତୁ ୨୦୧୯ ତୁଳନାରେ ୨୦୨୦ରେ ଷ୍ଟକ ବଜାରରେ ଭଲ କାରବାର ହେବ ବୋଲି ଆକଳନ କରାଯାଇଛି, ତେଣୁ ନିବେଶକମାନେ ‌ଏହାକୁ ଧ୍ୟାନ ଦେବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର