ମୁମ୍ବାଇ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ପ୍ରଥମ ଥର ପାଇଁ ୭୫ ହଜାର ପଏଣ୍ଟରୁ ଉପର ସ୍ତରରେ ବନ୍ଦ ହୋଇଛି। ଅବଶ୍ୟ କାରବାର ଶେଷ ବେଳକୁ ସେହି ସ୍ତରକୁ ବଜାୟ ରଖିବାରେ ସେନ୍‌ସେକ୍ସ ବିଫଳ ହୋଇଥିଲା। କାରବାର ଶେଷରେ ୫୯ ପଏଣ୍ଟ ହ୍ରାସ ସହ ସେନ୍‌ସେକ୍ସ ୭୪,୬୮୩ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୨୪ ପଏଣ୍ଟ ହ୍ରାସ ସହ ୨୨,୬୪୨ ପଏଣ୍ଟରେ ବନ୍ଦ ହୋଇଛି।

Advertisment

ଚଳିତ ବର୍ଷ ମାର୍ଚ୍ଚ ୬ରେ ସେନ୍‌ସେକ୍ସ ୭୪ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିଥିଲା। ଏହାପରେ ଆଉ ମାତ୍ର ୨୪ ଦିନ ଭିତରେ ଏହା ୭୫,୦୦୦ ପଏଣ୍ଟ ସ୍ତର ଟପିଛି। ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେବା ବେଳେ ସେନ୍‌ସେକ୍ସ ୨୫,୦୦୦ ପଏଣ୍ଟରେ ଥିଲା। ଏକ ଦଶନ୍ଧିରୁ କମ୍ ସମୟ ଭିତରେ ସେନ୍‌ସେକ୍ସ ୨୫ ହଜାର ପଏଣ୍ଟରୁ ଆଗକୁ ବଢ଼ି ୭୫,୦୦୦ ପଏଣ୍ଟ ଅତିକ୍ରମ କରିବାର ସଫଳତା ହାସଲ କରିଛି। ୨୫ ହଜାରରୁ ୩୫ ହଜାର ପର୍ଯ୍ୟନ୍ତ ପହଞ୍ଚିବାକୁ ସେନ୍‌ସେକ୍ସକୁ ଚାରି ବର୍ଷ ସମୟ ଲାଗିଥିଲା। ୨୦୧୯ରେ ଏହା ୪୦,୦୦୦ ପଏଣ୍ଟ ଅତିକ୍ରମ କରିଥିଲା। ୩୫ଟି କାରବାର ଦିନ ମଧ୍ୟରେ ସେନ୍‌ସେକ୍ସ ୪୫୦୦୦ରୁ ବଢ଼ଇ ୫୦,୦୦୦ରେ ପହଞ୍ଚିଥିଲା। ୨୦୨୧ ଜାନୁଆରି ୨୧ରେ ସେନ୍‌ସେକ୍ସ ୫୦,୧୨୭ ପଏଣ୍ଟରେ ଥିଲା। ସେହିବର୍ଷ ସେପ୍ଟେମ୍ବରରେ ସେନ୍‌ସେକ୍ସ ୬୦ ହଜାର ପଏଣ୍ଟ ଅତିକ୍ରମ କରିଥିଲା।