ଷ୍ଟକ ବଜାରରେ ଉତ୍ସାହ : ୨୪୭୬ ପଏଣ୍ଟ ବଢିଲା ସେନସେକ୍ସ

ମୁମ୍ବାଇ: ଭାରତୀୟ ଷ୍ଟକ ବଜାରରେ ମଙ୍ଗଳବାରଦିନ ଉତ୍ସାହ ପରିଲକ୍ଷିତ ହୋଇଛି । ଉଭୟ ସେନସେକ୍ସ ଓ ନିଫଟୀ ବୃଦ୍ଧି ସହ ବନ୍ଦ ହୋଇଛନ୍ତି । ସେନସେକ୍ସ ୨୪୭୬ ପଏଣ୍ଟ ବୃଦ୍ଧି ସହ ୩୦୦୬୭ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୭୦୮ ପଏଣ୍ଟ ବୃଦ୍ଧି ସହ ୮୭୯୨ ପଏଣ୍ଟରେ ବନ୍ଦ ହୋଇଛି । ଏନଏସଇରେ ବ୍ୟାଙ୍କିଙ୍ଗ୍ ଓ ଫାର୍ମା ଷ୍ଟକ ଗୁଡ଼ିକରେ ବୃଦ୍ଧି ପରିଲକ୍ଷିତ ହୋଇଛି ।

ଦେଶରେ ୧୪ ତାରିଖ ପରେ ଲକଡାଉନ ଖୋଲିବା ଆଶା ମଧ୍ୟରେ ଆଜି ସକାଳେ ଉଭୟ ସେନସେକ୍ସ ଓ ନିଫଟୀ ବୃଦ୍ଧି ସହ ଖୋଲିଥିଲେ ।
କରୋନା ମହାମାରୀ ମଧ୍ୟରେ ଦେଶରେ ଗତ କିଛି ଦିନ ହେଲା ଷ୍ଟକ ବଜାର ଦ୍ରୁତ ଗତିରେ ହ୍ରାସ ପାଇଚାଲିଥଲା । ମାତ୍ର ମାସକ ତଳେ ୪୦ ହଜାର ପଏଣ୍ଟ ଉପରେ ଥିବା ସେନସେକ୍ସ ୨୭ ହଜାର ପଏଣ୍ଟ ତଳକୁ ଖସିଯାଇଥିଲା । ଏହା ଫଳରେ ନିବେଶକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ହରାଉଥିଲେ । କିନ୍ତୁ ଏବେ ଷ୍ଟକ ବଜାର ଧୀରେ ଧୀରେ ନିଜର ପୂର୍ବାବସ୍ଥାକୁ ଫେରିଯିବା ନିବେଶକଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି ।

ସମ୍ବନ୍ଧିତ ଖବର