କରୋନା ଭୟରେ ସେନ୍‌ସେକ୍ସ ଧରାଶାୟୀ, ନିବେଶକ ହରାଇଲେ ୭ ଲକ୍ଷ କୋଟି

ମୁମ୍ବାଇ: ବ୍ରିଟେନ୍‌ରେ କରୋନାର ନୂଆ ରୂପାନ୍ତରିତ ଭୂତାଣୁକୁ ନେଇ ସାରା ବିଶ୍ବ ଆତଙ୍କିତ ହୋଇପଡ଼ିଥିବା ବେଳେ ନିବେଶକମାନେ ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି। ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ବମ୍ବେ ଷ୍ଟକ ବଜାରରେ ଆଜି ଅଧିକାଂଶ ନିବେଶକ ନିଜ ପାଖରେ ଥିବା ସେୟାରଗୁଡ଼ିକୁ ବିକିବା ଆରମ୍ଭ କରିଥିଲେ। କାରବାର ଆରମ୍ଭ ହେବା ବେଳକୁ ୪୭ ହଜାର ପଏଣ୍ଟ୍‌ ସ୍ତର ଅତିକ୍ରମ କରିଥିବା ସେନ୍‌ସେକ୍ସ କାରବାର ଶେଷ ବେଳକୁ ୧୪୦୭ ପଏଣ୍ଟ୍‌ ହ୍ରାସ ପାଇ ୪୫,୫୫୩ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ବିଗତ ସାତ ମାସ ଭିତରେ ସେନ୍‌ସେକ୍ସ ପାଇଁ ‌ଆଜି ଥିଲା ସବୁଠୁ ଖରାପ ଦିନ। ଏକ ସମୟରେ ଆଜି ସେନ୍‌ସେକ୍ସ ୨୦୩୭ ପଏଣ୍ଟ୍‌ ହ୍ରାସ ପାଇ ୪୪,୯୨୩ ପଏଣ୍ଟ୍‌ ସ୍ତରକୁ ଖସିଯାଇଥିଲା। ଶେଷ ଆଡ଼କୁ ସେଥିରେ ସାମାନ୍ୟ ସୁଧାର ଘଟିଥିଲା। ସେନ୍‌ସେକ୍ସରେ ହୋଇଥିବା ବଡ଼ ଧରଣ ହ୍ରାସ ପ୍ରଭାବରେ ନିବେଶକମାନେ ଆଜି ୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। କାରବାର ଆରମ୍ଭ ହେବା ପୂର୍ବରୁ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ (ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌) ୧୭୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିଲା। କାରବାର ଶେଷ ସୁଦ୍ଧା ସେଥିରେ ୭ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। ଆଜି ବ୍ୟାଙ୍କ, ଆର୍ଥିକ ସେବା, ଅଟୋମୋବାଇଲ୍‌ ଓ ଧାତବ ଶିଳ୍ପରେ ସକ୍ରିୟ ଥିବା କଂପାନିଗୁଡ଼ିକ ଅଧିକ କ୍ଷତି ସହିଛନ୍ତି। ସେମାନଙ୍କ ସେୟାର ଅଧିକ ବିକ୍ରି ହୋଇଥିବାରୁ ଦାମ୍ ହ୍ରାସ ପାଇଛି।

ବ୍ରିଟେନ୍‌ରେ କରୋନାର ଯେଉଁ ରୂପାନ୍ତରିତ ଭୂତାଣୁ ଦେଖାଦେଇଛି ତାହା ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହେଉଛି। ସେଥିପାଇଁ ବ୍ରିଟେନ୍‌ କଠୋର ଲକ୍‌ଡାଉନ୍ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରଠାରୁ କିଛି ହାତ ଗଣତି ଦିନକୁ ବାଦ ଦେଲେ ସେନ୍‌ସେକ୍ସ ନିୟମିତ ଭାବେ ୫୦ ଦିନ ପର୍ଯ୍ୟନ୍ତ ବଢ଼ିଚାଲିଥିଲା। କରୋନା ବ୍ୟାପିବା ଖବର ପ୍ରଚାରିତ ହେଉଥିବା ସେନ୍‌ସେକ୍ସ ହ୍ରାସ ପାଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ଆଜି ୪୩୨ ପଏଣ୍ଟ୍‌ ହ୍ରାସ ପାଇ ୧୩,୩୨୮ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର