ସେନସେକ୍ସ ୧୦୬୬ ପଏଣ୍ଟ ହ୍ରାସ, ନିବେଶକ ହରାଇଲେ ୩ ଲକ୍ଷ କୋଟି

ମୁମ୍ବାଇ : ଭାରତୀୟ ଷ୍ଟକ ବଜାର ଗୁଡ଼ିକରେ ଆଜି ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ୧୦୬୬ ପଏଣ୍ଟ ହ୍ରାସ ପାଇବା ସହ ୩୯,୭୨୮.୪୧ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟୀ ୨୯୦ ପଏଣ୍ଟ ହ୍ରାସ ପାଇ ୧୧୬୮୦.୪୦ ପଏଣ୍ଟରେ ବନ୍ଦ ହୋଇଛି ।

ଷ୍ଟକ ବଜାରରେ ଏହି ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୩.୩୪ ଲକ୍ଷ କୋଟି ହରାଇଥିବା ଅନୁମାନ କରାଯାଉଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପଂଜୀକୃତ କମ୍ପାନିମାନଙ୍କ ମୋଟ ମାର୍କେଟ କ୍ୟାପିଟାଲାଇଜେସନ ବା ବଜାର ପୁଞ୍ଜି ୧୫୭.୮୫ ଲକ୍ଷ କୋଟିକୁ ହ୍ରାସ ପାଇଛି ।

ୟୁରୋପୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେବା ପରେ ତାହା ଭାରତୀୟ ଷ୍ଟକ ବଜାରଗୁଡ଼ିକୁ ପ୍ରଭାବିତ କରିଥିଲା । ନିବେଶକମାନେ ପ୍ରଫିଟ ବୁକିଂ କରିବା ଫଳରେ ସୂଚକାଙ୍କଗୁଡ଼ିକ ହ୍ରାସ ପାଇଥିଲା । ଆଇଟି ଓ ବ୍ୟାଙ୍କିଙ୍ଗ୍‌ ଷ୍ଟକ ଗୁଡ଼ିକରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି ।
ୟୁରୋପୀୟ ଓ ବିଶ୍ୱର ଅନ୍ୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେବାର ବିଭିନ୍ନ କାରଣ କୁହାଯାଉଛି । ତେବେ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା, ୟୁରୋପରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଦି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ସେହିପରି ଆମେରିକା ସରକାରଙ୍କ ପକ୍ଷରୁ ଆଉ ଏକ ଆର୍ଥିକ ପ୍ୟାକେଜ ଘୋଷଣା ବିଳମ୍ବିତ ହେବା ମଧ୍ୟ ନିବେଶକଙ୍କୁ ହତାଶ କରିଛି ।

ସମ୍ବନ୍ଧିତ ଖବର