୫ମ ଦିନ ପାଇଁ ଷ୍ଟକ ବଜାରରେ ହ୍ରାସ ଜାରି : ସେନସେକ୍ସ ୧୧୫୮ ପଏଣ୍ଟ କମିଲା

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଆଜି ବଡ଼ ଧରଣର ହ୍ରାସ ଦେଖାଦେଇଛି । ଆଜି ବିଏସଇ ସେନସେକ୍ସ ୧୧୫୮ ପଏଣ୍ଟ କିମ୍ବା ୨.୧୪ ପ୍ରତିଶତ ହ୍ରାସ ପାଇ ୫୨୯୩୦.୩୧ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ୩୫୯.୧୦ ପଏଣ୍ଟ କିମ୍ବା ୨.୨୨ ପ୍ରତିଶତ ହ୍ରାସ ପାଇ ୧୫,୮୦୮ ପଏଣ୍ଟରେ ବନ୍ଦ ହୋଇଛି । ଆଜି ପ୍ରାୟ ୨୫୪୨ଟି ସେୟାର ହ୍ରାସ ପାଇଥିବାବେଳେ ୭୪୭ଟି ସେୟାର ବୃଦ୍ଧି ପାଇଛି ଓ ୮୪ଟି ସେୟାର ଅପରିବର୍ତ୍ତିତ ରହିଛି । ଏହା ସହିତ କ୍ରମାଗତ ୫ମ ଦିନ ପାଇଁ ଷ୍ଟକବଜାରରେ ହ୍ରାସ ଦେଖାଦେଇଛି । ଏହା ଫଳରେ ନିବେଶକମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିବା ଅନୁମାନ କରାଯାଉଛି ।

ୟୁକ୍ରେନ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବରେ ଦରଦାମ ବୃଦ୍ଧି ହେବା ସହ ମୁଦ୍ରାସ୍ପୀତି ବଢିଚାଲିଛି । ଏପ୍ରିଲରେ ଆମେରିକାର ଖାଉଟି ମୁଦ୍ରାସ୍ପୀତି ହାର ୮.୩ ପ୍ରତିଶତ ରହିଛି । ଗୁରୁବାର ସଂଧ୍ୟାରେ ଭାରତ ସରକାରଙ୍କ ପକ୍ଷରୁ ଏପ୍ରିଲ ମୁଦ୍ରାସ୍ପୀତି ତଥ୍ୟ ପ୍ରକାଶ ପାଇବ । ଏହା ୭.୫ ପ୍ରତିଶତକୁ ବୃଦ୍ଧି ପାଇବା ଅଟକଳ କରାଯାଉଛି । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବାକୁ ଚଳିତ ମାସ ୪ ତାରିଖରେ ରିଜର୍ଭ ବ୍ୟାଙ୍କ ସୁଧହାର ବୃଦ୍ଧି କରିଥିଲା । ଏହା ଦ୍ବାରା ଅର୍ଥବ୍ୟବସ୍ଥାରେ ଥିବା ପ୍ରାୟ ୮୩ ହଜାର କୋଟିର ନଗଦ ଅର୍ଥ ରିଜର୍ଭ ବ୍ୟାଙ୍କ ନିକଟକୁ ଚାଲିଯିବ ।

ସମ୍ବନ୍ଧିତ ଖବର