ମୁମ୍ବାଇ: ଷ୍ଟକ ବଜାରରେ ସୋମବାର ଏକ ନୂଆ ଉତ୍ସାହ ଦେଖାଦେଇଛି । ନିବେଶଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଯୋଗୁଁ ଉଭୟ ସେନସେକ୍ସ ଓ ନିଫ୍ଟି ଆଜି ନୂଆ ରେକର୍ଡ ସହ ବନ୍ଦ ହୋଇଛନ୍ତି । ପ୍ରଥମ ଥର ପାଇଁ ସେନସେକ୍ସ ୭୬୦୦୦ ପଏଣ୍ଟ ଟପିଯାଇଥିବାବେଳେ ନିଫଟି ୨୩୧୧୦ ପଏଣ୍ଟ ଟପିଯାଇଛି ।

Advertisment

କିନ୍ତୁ ବଜାର ବନ୍ଦ ହେବାବେଳକୁ ଉଭୟ ସୂଚକାଙ୍କରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା । ବିଏସ୍ଇ ସେନ୍ସେକ୍ସ ୧୯.୮୯ ପଏଣ୍ଟ ବା ୦.୦୩ ପ୍ରତିଶତ ହ୍ରାସ ପାଇ ୭୫,୩୯୦ରେ ବନ୍ଦ ହୋଇଛି। ଏହାବ୍ୟତୀତ ଏନଏସଇର ନିଫ୍ଟି ୨୪.୬୫ ପଏଣ୍ଟ ବା ୦.୧୧ ପ୍ରତିଶତ ବୃଦ୍ଧି ସହ ୨୨,୯୩୨ ସ୍ତରରେ ବନ୍ଦ ହୋଇଛି ।

ବିଶ୍ୱ ବଜାରର ଉନ୍ନତି ଏବଂ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ନିବେଶକଙ୍କ ସକାରାତ୍ମକ ମନୋଭାବ ଯୋଗୁଁ ଷ୍ଟକ ବଜାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ନିଫ୍ଟି ମିଡ୍କ୍ୟାପ୍ ମଧ୍ୟ ପ୍ରଥମ ଥର ପାଇଁ ୫୩୦୦୦ ସ୍ତର ଅତିକ୍ରମ କରିଛି। ବ୍ୟାଙ୍କ ନିଫ୍ଟି ମଧ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ଆଜି ବଜାର ବନ୍ଦ ହେବା ବେଳକୁ ବିଏସଇର ମାର୍କେଟ କ୍ୟାପ ୪୨୦.୦୦ ଲକ୍ଷ କୋଟି ଟଙ୍କାରେ ରହିଥିଲା । ଦିନର ବୃଦ୍ଧି ସମୟରେ ଏହା ୪୨୧.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା ଏବଂ ଏହି ୧.୬୮ ଲକ୍ଷ କୋଟି ଟଙ୍କାର ମୁନାଫା ଏକ ଘଣ୍ଟା ମଧ୍ୟରେ ଉଭେଇ ଯାଇଥିଲା, ଯେତେବେଳେ ସେନସେକ୍ସ ପୁଣି ହ୍ରାସ ସହ ବନ୍ଦ ହୋଇଥିଲା ।