ଷ୍ଟକ ବଜାର ପାଇଁ କଳା ସୋମବାର ! ସେନସେକ୍ସ ୧୭୪୭ ପଏଣ୍ଟ ହ୍ରାସ, ନିବେଶକଙ୍କ କ୍ଷତି ସାଢେ ୮ ଲକ୍ଷ କୋଟି

ମୁମ୍ବାଇ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଆଶଙ୍କା ମଧ୍ୟରେ ସମଗ୍ର ବିଶ୍ବର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏହାର କମ୍ପନ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଅନୁଭୂତ ହୋଇଛି । ଆଜି ସେନସେକ୍ସ ପ୍ରାୟ ୧୭୪୭ ପଏଣ୍ଟ ହ୍ରାସ ପାଇ ୫୬,୪୦୫.୮୨ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫଟୀ ୫୩୧.୯୫ ପଏଣ୍ଟ ହ୍ରାସ ପାଇ ୧୬,୮୪୨.୮୦ ପଏଣ୍ଟରେ ବନ୍ଦ ହୋଇଛି । ଏହା ଫଳରେ ନିବେଶକମାନେ ସାଢେ ୮ ଲକ୍ଷ କୋଟି ହରାଇଥିବା ଅନୁମାନ କରାଯାଉଛି । ଗତ ଶୁକ୍ରବାରଦିନ ବି ସେନସେକ୍ସ ଓ ନିଫଟୀରେ ହ୍ରାସ ପରିଲକ୍ଷିତ ହୋଇଥିଲା । ଏହି ଦୁଇଦିନରେ ସୂଚକାଙ୍କ କମିବାରୁ ନିବେଶକମାନେ ୧୨ ଲକ୍ଷ କୋଟିରୁ ଅଧିକ ପରିମାଣର କ୍ଷତି ସହିଥିବା ଅନୁମାନ କରାଯାଉଛି ।

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଆଶଙ୍କା ଦିନକୁ ଦିନ ବଢିଚାଲିଛି । ଏହି ଯୁଦ୍ଧ ହେଲେ ସମଗ୍ର ବିଶ୍ବ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବ । ଯୁଦ୍ଧ ଆରମ୍ଭ ହେବା ପରେ ଋଷିଆରୁ ୟୁରୋପକୁ ତେଲ ରପ୍ତାନି ବନ୍ଦ ହୋଇଯିବ । ଏପରି ହେଲେ ବିଶ୍ବ ବଜାରରେ ତେଲ ଦର ଦ୍ରୁତ ଗତିରେ ବୃଦ୍ଧି ପାଇବ । ଏହା ସହିତ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବିଶ୍ବ ଅର୍ଥନୀତିର ସୁଧାର ମଧ୍ୟ ଅଟକିଯିବ । ଏସବୁ କାରଣକୁ ନେଇ ସାରା ବିଶ୍ବର ନିବେଶକମାନେ ଚିନ୍ତିତ ଅଛନ୍ତି ।

 

ସମ୍ବନ୍ଧିତ ଖବର