୨ ଦିନରେ ସେନ୍‌ସେକ୍ସ ଖସିଗଲା ୧୦୦୦ ପଏଣ୍ଟ:୭୨.୭୦ ସ୍ତରକୁ ଖସିଲା ଟଙ୍କା

କେବଳ ପୁଞ୍ଜି ବଜାର ନୁହେଁ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ ମଧ୍ୟ ନିୟମିତ ଭାବେ ତଳମୁହାଁ ହୋଇଚାଲିଛି। ଆଜି ଏକ ନୂଆ ରେକର୍ଡ କ୍ରମରେ ୧ ଡଲାରର ମୂଲ୍ୟ ୭୨ ଟଙ୍କା ୭୦ ପଇସା ସ୍ତରକୁ ଖସି ଯାଇଛି। ସୋମବାର ତୁଳନାରେ ମଙ୍ଗଳବାର ଟଙ୍କା ମୂଲ୍ୟରେ ୨୫ ପଇସା ହ୍ରାସ ଘଟିଛି। ତେବେ ଆଜି ଦିନରେ ଟଙ୍କା ମୂଲ୍ୟ ସର୍ବାଧିକ ୭୨ ଟଙ୍କା ୨୬ ପଇସା ଏବଂ ସର୍ବନିମ୍ନ ୭୨ ଟଙ୍କା ୭୪ ପଇସାକୁ ଛୁଇଁଥିଲା। ସୋମବାର ଟଙ୍କା ମୂଲ୍ୟରେ ୭୧ ପଇସା ହ୍ରାସ ଘଟି ଏହା ୭୨ ଟଙ୍କା ୪୫ ପଇସାରେ ରହିଥିଲା।
ନିବେଶକ ହରାଇଲେ ୪ ଲକ୍ଷ କୋଟି
ମୁମ୍ବାଇ, ୧୧/୯: କ୍ରମାଗତ ଭାବେ ଦୁଇ ଦିନ ଧରି ଷ୍ଟକ୍‌ ମାର୍କେଟରେ ବୃହତ୍‌ ହ୍ରାସ ଦେଖାଦେଇଛି। ଗତକାଲି ସେନ୍‌ସେକ୍ସ ୪୬୮ ପଏଣ୍ଟ ତଳକୁ ଖସିଥିଲା ବେଳେ ଆଜି ଏହାଠାରୁ ଅଧିକ ଅର୍ଥାତ୍‌ ୫୦୯ ପଏଣ୍ଟ ଖସିଯାଇଛି। ଦୁଇ ଦିନରେ ସେନ୍‌ସେକ୍ସ ପାଖାପାଖି ୧୦୦୦ ପଏଣ୍ଟ ତଳକୁ ଖସିଯାଇଛି। ଏଥିଯୋଗୁ ନିବେଶକମାନେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ସେନ୍‌ସେକ୍ସ ଆଜି ୫୦୯ ପଏଣ୍ଟ ତଳକୁ ଖସି ୩୭,୪୧୩ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍‌ଟି ମଧ୍ୟ ଆଜି ୧୫୦ ପଏଣ୍ଟ ତଳକୁ ଖସି ୧୧,୨୮୭ ପଏଣ୍ଟରେ ବନ୍ଦ ହୋଇଛି। ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ସହିତ ତେଲ ଦର ବୃଦ୍ଧି ଏବଂ ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟ ଯୁଦ୍ଧର ପ୍ରଭାବ ଷ୍ଟକ ମାର୍କେଟ ଉପରେ ପଡ଼ିଛି। ଏଥିଯୋଗୁ ନିବେଶକମାନେ ଛାନିଆ ହୋଇ ପଡ଼ିଛନ୍ତି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ପୁଞ୍ଜି ବଜାର ଅସ୍ଥିର ରହିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର