ସେନ୍‌ସେକ୍ସ ପୁଣି ୧୭୦୦ ପଏଣ୍ଟ୍‌ ଖସିଲା

ମୁମ୍ବାଇ: ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବର ଅର୍ଥନୀତିକୁ ବୁଡ଼ାଇବା ଭଳି ସ୍ଥିତି ସୃଷ୍ଟି କଲାଣି। ଭାରତ ସମେତ ଆମେରିକା, ଚୀନ୍ ଓ ଜାପାନ ଭଳି ଦେଶରେ ଜରୁରୀକାଳୀନ ସ୍ଥିତି ରହିଛି। ଏଭଳି ସଙ୍କଟମୟ ସମୟକୁ ନଜରେ ରଖି ନିବେଶକମାନେ ନିଜ ପାଖରେ ଥିବା ସେୟାର ବିକ୍ରି କରି ଦେଉଥିବାରୁ ଷ୍ଟକ ବଜାରରେ କିଛି ଦିନ ହେଲାଣି ଘୋର ଅସ୍ଥିରତା ଲାଗି ରହିଛି। କେବଳ ଭାରତ ନୁହେଁ ଆମେରିକା ଭଳି ଦେଶର ଷ୍ଟକ ବଜାର ମଧ୍ୟ ଅସ୍ଥିର ରହିଛି। ଆଜି ମଧ୍ୟ ବମ୍ବେ ‌ଷ୍ଟକ ବଜାର ସ୍ଥିତିରେ କୌଣସି ସୁଧାର ହୋଇନାହିଁ। କରୋନା ଭୟରେ ନିବେଶକମାନେ ସେୟାର ବିକ୍ରି କରୁଥିବାରୁ ଆଜି ସେନ୍‌ସେକ୍ସରେ ୧୭୧୦ ପଏଣ୍ଟ୍‌ ଭଳି ବଡ଼ ଧରଣ ହ୍ରାସ ଘଟିଛି। ତିନି ବର୍ଷ ପରେ ପ୍ରଥମ ଥର ଲାଗି ସେନ୍‌ସେକ୍ସ ୨୯ ହଜାର ପଏଣ୍ଟ୍‌ ତଳ ସ୍ତରକୁ ଖସିଯାଇଛି। ଗତ ଜାନୁଆରି ୨୦ରେ ସେନ୍‌ସେକ୍ସ ୪୨ ହଜାର ପଏଣ୍ଟ୍‌ରୁ ଉପର ସ୍ତରରେ ଥିଲେ। ମାସକ ଭିତରେ ‌ସେଥିରେ ୧୪ ହଜାର ପଏଣ୍ଟ୍‌ର ହ୍ରାସ ହେଲାଣି। ଫଳରେ ନିବେଶକମାନେ ୪୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଲେଣି। ଚଳିତ ମାସରେ ଦୁଇଟି ଦିନରେ ସେନ୍‌ସେକ୍ସରେ ୨୫୦୦ ପଏଣ୍ଟ୍‌ରୁ ଅଧିକ ହ୍ରାସ ଘଟିଥିଲା। ଆଜି ସେନ୍‌ସେକ୍ସ ୧୭୧୦ ପଏଣ୍ଟ୍‌ ହ୍ରାସ ପାଇ ୨୮,୮୬୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୪୯୮ ପଏଣ୍ଟ୍‌ ହ୍ରାସ ପାଇ ୮୪୬୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି ଷ୍ଟକ ବଜାରରେ ନିବେଶକମାନେ ବ୍ୟାଙ୍କ, ଆର୍ଥିକ ସଂସ୍ଥା, ଗାଡ଼ି କଂପାନି ଓ ରିଅଲ ଇଷ୍ଟେଟ୍‌ ସଂସ୍ଥାଗୁଡ଼ିକର ସେୟାରକୁ ଅଧିକ ମାତ୍ରାରେ ବିକ୍ରି କରିଛନ୍ତି।

ସମ୍ବନ୍ଧିତ ଖବର