ନିରାଶ କଲେ ଅର୍ଥନୈତିକ ଉପଦେଷ୍ଟା, ସେନ୍‌ସେକ୍ସ ୫୮୭ ପଏଣ୍ଟ୍ ଖସିଲା

ନୂଆଦିଲ୍ଲୀ: ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ୟାକେଜ ‌ଘୋଷଣା କରାଯିବ ନାହିଁ ବୋଲି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସରକାରଙ୍କ ମୁଖ୍ୟ ଅର୍ଥ‌େନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍ ସ୍ପଷ୍ଟ କରିଦେବା ପରେ ଏହାର ବଡ଼ ଧରଣର ପ୍ରଭାବ ଷ୍ଟକ ମାର୍କେଟ ଉପରେ ପଡ଼ିଛି। ସେନସେକ୍ସ ୫୮୭.୪୪ ପଏଣ୍ଟ ହ୍ରାସ ପାଇ ୩୬,୪୭୨.୯୩ ପଏଣ୍ଟକୁ ଖସିଆସିଛି। ସେହିଭଳି ନିଫ୍‌ଟି ମଧ୍ୟ ୧୮୨.୩୦ ପଏଣ୍ଟ ହ୍ରାସ ଘଟି ୧୦,୭୩୬.୪୦ ପଏଣ୍ଟରେ ବନ୍ଦ ହୋଇଛି।

ସିଇଏ ସୁବ୍ରମଣ୍ୟମ୍ ବଜାର ଅର୍ଥନୀତି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୯୯୧ ମସିହାରୁ ଭାରତ ବଜାର ଅର୍ଥନୀତିରେ ପରିଣତ ହୋଇସାରିଛି। ଏକ ବଜାର ଅର୍ଥନୀତିରେ ଅନେକ କ୍ଷେତ୍ର ରହିଛି ଯେଉଁଗୁଡ଼ିକ ସୂ‌େର୍ଯ୍ୟାଦୟ ଏବଂ ସୂର୍ଯ୍ୟାସ୍ତ ଦେଇ ଗତି କରିଥାନ୍ତି। ଅର୍ଥନୀତିରେ ଯେତେବେଳେ ସୂର୍ଯ୍ୟାସ୍ତ ଦେଖାଦେବ ସେତେବେଳେ ସରକାର ଯଦି ଟିକସଦାତାଙ୍କ ଅର୍ଥକୁ ଉପଯୋଗ କରି ପ୍ୟାକେଜ ଘୋଷଣା କରିବେ ତାହା ଠିକ୍ ନୁହେଁ। ଏହାଦ୍ବାରା ବଜାର ଅର୍ଥନୀତିରେ ଏହି ଧାରଣା ସୃଷ୍ଟି ହୁଏ ଯେ, ଲାଭ ସମୟରେ ପୁଞ୍ଜିପତି ତାହାକୁ ରଖୁଥିବାବେଳେ କ୍ଷତିକୁ ସମାଜ ଉପରେ ଲଦି ଦିଆଯାଇଥାଏ। ଏହା ବଜାର ଅର୍ଥନୀତିର ବିପରୀତ ବୋଲି ସୁବ୍ରମଣ୍ୟମ୍ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶକ୍ତି ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଯୋଗ ଦେଇ କହିଥିଲେ, ବିତ୍ତୀୟ ପ୍ୟାକେଜ ପରିବର୍ତ୍ତେ ଘରୋଇ କ୍ଷେତ୍ରକୁ କମ୍ ସୁଧ ହାରରେ ଋଣ ଉପଲବ୍ଧ କରାଇବା ମାନ୍ଦାବସ୍ଥାର ମୁକାବିଲା ପାଇଁ ଯଥାର୍ଥ ବୋଲି ମନେହୁଏ। ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏବଂ ଶକ୍ତି ସଚିବଙ୍କ ଏଭଳି ମନ୍ତବ୍ୟ ପ୍ୟାକେଜ ଘୋଷଣା ଆଶାକୁ ଧୂଳିସାତ କରି ଦେଇଛି। ଯାହା ଫଳରେ ଷ୍ଟକ ବଜାର ଆଜି ନିମ୍ନମୁଖୀ ହୋଇଛି।

ସମ୍ବନ୍ଧିତ ଖବର