ନୂଆଦିଲ୍ଲୀ/ ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ଆଜି ୭୭୩ ପଏଣ୍ଟ୍ ହ୍ରାସ ପାଇ ୬୦,୨୦୫ ପଏଣ୍ଟ୍ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୨୨୬ ପଏଣ୍ଟ୍ ହ୍ରାସ ପାଇ ୧୭,୮୯୧ ପଏଣ୍ଟ୍ରେ ବନ୍ଦ ହୋଇଛି। ସେନ୍ସେକ୍ସରେ ହୋଇଥିବା ହ୍ରାସ ଯୋଗୁ ଆଜି ନିବେଶକମାନଙ୍କ ସମ୍ପତ୍ତିରେ ୩.୬ ଲକ୍ଷ କୋଟି ଟଙ୍କାର ହ୍ରାସ ହୋଇଛି। ଆଜି ସେନ୍ସେକ୍ସରେ ଘଟିଥିବା ହ୍ରାସର ଅନେକ କାରଣ ଥିବା ବେଳେ ସେଥିରୁ ଅନ୍ୟତମ ହେଉଛି ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ସଂସ୍ଥା ହିଣ୍ଡେନ୍ବର୍ଗ ରିସର୍ଚ୍ଚର ଗମ୍ଭୀର ଅଭିଯୋଗ। କଂପାନି ଷ୍ଟକ ମୂଲ୍ୟରେ ହେରଫେର ଏବଂ ଆକାଉଣ୍ଟିଂ ଜାଲିଆତି କରୁଥିବା ନେଇ ଏହି ସଂସ୍ଥା ଅଭିଯୋଗ କରିଛି। ତାହାକୁ ଆଦାନି ଗ୍ରୁପ୍ ଦୃଢ଼ ଭାବେ ଖଣ୍ଡନ କରିଛି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ଏକପାଖିଆ ଓ ମନ୍ଦ ଉଦ୍ଦେଶ୍ୟ ରଖି କରାଯାଇଛି।
କଂପାନିର ସେୟାର ବିକ୍ରିକୁ ଭଣ୍ଡୁର କରିବା ଲାଗି ଏଭଳି ଅଭିଯୋଗ ହୋଇଛି ବୋଲି ଆଦାନି ଗ୍ରୁପ୍ ପକ୍ଷରୁ କୁହାଯାଇଛି। ଏହି ଅଭିଯୋଗ ଏଭଳି ଏକ ସମୟରେ ଆସିଛି ଯେତେବେଳେ ଆଦାନି ଗ୍ରୁପ୍ ୨୦ ହଜାର କୋଟି ଟଙ୍କାର ଫଲୋ-ଅନ୍ ସେୟାର ବିକ୍ରି କରିବାକୁ ଯାଉଛି। କଂପାନିର ଫଲୋଅନ୍ ପବ୍ଲିକ୍ ଅଫର ଚଳିତ ମାସ ୨୭ରେ ଖୋଲିବ ଓ ୩୧ ତାରିଖରେ ବନ୍ଦ ହେବ। ହିଣ୍ଡେନ୍ବର୍ଗର ଅଭିଯୋଗକୁ ନେଇ ଆଦାନି ଗ୍ରୁପ୍ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଅଭିଯୋଗ କରିଛି ଯେ କଂପାନି ଉପରେ ଅତ୍ୟଧିକ ଋଣ ରହିଛି। କଂପାନିର ୨୨ ପ୍ରମୁଖ ଭୂମିକାରୁ ୮ଟି ଆଦାନିଙ୍କ ପରିବାରର ସଦସ୍ୟ ରହିଛନ୍ତି। ଗୌତମ ଆଦାନିଙ୍କ ସାନ ଭାଇ ରାଜେଶ ଆଦାନିଙ୍କୁ ୨୦୦୪-୦୫ରେ ହୀରା କାରବାରରେ ସୀମା ଶୁଳ୍କ ଠକେଇ ଅଭିଯୋଗରେ ରାଜସ୍ବ ଗୁଇନ୍ଦା ବିଭାଗ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ତାଙ୍କୁ ଆଦାନି ଗ୍ରୁପ୍ର ପରିଚାଳନା ନିର୍ଦେଶକ କରାଯାଇଛି। ସେହିପରି ତାଙ୍କ ସମ୍ପର୍କୀୟ ସମିର ଭୋରା ମଧ୍ୟ ହୀରା କାରବାର ଦୁର୍ନୀତିରେ ଅଭିଯୁକ୍ତ ଥିବା ବେଳେ ତାଙ୍କୁ ଆଦାନି ଅଷ୍ଟ୍ରେଲିଆ ଡିଭିଜନର କାର୍ଯ୍ୟନିର୍ବାହୀ ନିର୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଏହାର ରିପୋର୍ଟରେ ୮୮ଟି ପ୍ରଶ୍ନ କରିଛି। ଆଦାନି ଗ୍ରୁପ୍ର ବିଭିନ୍ନ ଜାଲ୍ କଂପାନି ବିଷୟରେ ସେଥିରେ ସୂଚନା ଦିଆଯାଇଛି।
ହିଣ୍ଡେନ୍ବର୍ଗର ଅଭିଯୋଗ ଜଣାପଡ଼ିବା ପରେ ଆଦାନି ଗ୍ରୁପ୍ର ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ହୋଇଛି। ଏହାର ପ୍ରଭାବରେ ଆଦାନିଙ୍କ ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟ ହ୍ରାସ ପାଇଛି। ଆଜି କିଛି ଘଣ୍ଟା ଭିତରେ ଆଦାନି ୪୬ ହଜାର କୋଟି ଟଙ୍କାର ସମ୍ପତ୍ତି ହରାଇଥିଲେ। ଗତକାଲି ବିଶ୍ବ ଧନୀ ତାଲିକାର ତୃତୀୟ ସ୍ଥାନକୁ ଆଦାନି ହରାଇ ଚତୁର୍ଥକୁ ଖସିଆସିଥିଲେ। ଆଦାନିଙ୍କ ପାଖରେ ୧୨,୦୦୦ କୋଟି ଡଲାର ସମ୍ପତ୍ତି ରହିଛି। ଗତ ତିନି ବର୍ଷ ଭିତରେ ତାଙ୍କ ସମ୍ପତ୍ତି ୧୦,୦୦୦ କୋଟି ଡଲାର ବଢ଼ିଥିଲା।