ମୁମ୍ବାଇ: ମଧ୍ୟପୂର୍ବରେ ଯୁଦ୍ଧର ଘନଘଟା, ଏକଜିଟ ପୋଲ ରିପୋର୍ଟ ଓ ଚୀନ ସେୟାର ବଜାରରେ ବୃଦ୍ଧି ଫଳରେ ଭାରତୀୟ ସେୟାର ବଜାରରେ ହ୍ରାସ କ୍ରମାଗତଭାବେ ଜାରି ରହିଛି । ଗତ ସପ୍ତାହରେ ସେନସେକ୍ସ କ୍ରମାଗତଭାବେ ହ୍ରାସ ପାଇଥିଲା । ଆଜି ସୋମବାରଠାରୁ ଆରମ୍ଭ ହୋଇଥିବା ନୂଆ ସପ୍ତାହରେ ବି ଏହି ଟ୍ରେଣ୍ଡ୍ ଜାରି ରହିଛି । ବିଶେଷକରି ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ବିଶ୍ବ ଅର୍ଥନୀତିକୁ ନେଇ ଚିନ୍ତା ଦେଖାଦଇଛି । ଏହା ଫଳରେ ବଜାର ଚାପରେ ରହିଛି ।
ସୋମବାର ସକାଳେ ସେୟାର ବଜାର ଖୋଲିବା ପରେ ସେନ୍ସେକ୍ସ ଓ ନିଫ୍ଟିରେ ବୃଦ୍ଧି ଦେଖିବାକୁ ମିଳିଥିଲା। ସେନ୍ସେକ୍ସ ପୁଣି ଥରେ ୮୨୦୦୦ ପଏଣ୍ଟ ଅତିକ୍ରମ କରିଥିଲା। କିନ୍ତୁ ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ତୀବ୍ର ହେବା, ଚୀନ୍ ବଜାରରେ ଉନ୍ନତି ଏବଂ ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳର ଏକଜିଟ୍ ପୋଲ୍ ଯୋଗୁଁ ବିଦେଶୀ ନିବେଶକଙ୍କ ପଳାୟନ ଫଳରେ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଥିଲା ।
ସେୟାର ମାର୍କେଟ ବନ୍ଦ ହେବା ବେଳକୁ ସେନ୍ସେକ୍ସରେ ୬୦୦ ପଏଣ୍ଟରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ସେହିପରି ନିଫ୍ଟିରେ ମଧ୍ୟ ପ୍ରାୟ ୨୦୦ ପଏଣ୍ଟ ହ୍ରାସ ଘଟିଛି। ଆଜିର ହ୍ରାସ ଯୋଗୁଁ ଷ୍ଟକ ବଜାର ନିବେଶକମାନେ ୮.୬୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। କ୍ରମାଗତ ଷଷ୍ଠ କାରବାର ଦିନ ପାଇଁ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି । ଏହି ସମୟ ମଧ୍ୟରେ ସେନ୍ସେକ୍ସରେ ପ୍ରାୟ ୪,୮୦୦ ପଏଣ୍ଟ ଓ ନିଫ୍ଟିରେ ପ୍ରାୟ ୧୪୦୦ ପଏଣ୍ଟ ହ୍ରାସ ଘଟିଛି। ଗତ ୬ଟି କାରବାର ସେସନରେ ମୋଟ ୨୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।