ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ, ନିବେଶକ ହରାଇଲେ ସାଢେ ୮ ଲକ୍ଷ କୋଟି

ମୁମ୍ବାଇ : ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣର ପ୍ରଭାବ ଷ୍ଟକ ବଜାର ଉପରେ ପଡ଼ିଛି । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ୧୭୦୮ ପଏଣ୍ଟ ହ୍ରାସ ପାଇଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୫୨୪ ପଏଣ୍ଟ ହ୍ରାସ ପାଇଛି । ଏହା ଫଳରେ ନିବେଶକଙ୍କ ସମ୍ପତ୍ତି ପ୍ରାୟ ୮.୬୯ ଲକ୍ଷ କୋଟି କମିଥିବା ଅଟକଳ କରାଯାଇଛି ।

ସେନସେକ୍ସ ୧୭୦୭.୯୪ ପଏଣ୍ଟ ବା ୩.୪୪ ପ୍ରତିଶତ ହ୍ରାସ ପାଇ ୪୭,୮୮୩.୩୮ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫଟୀ ୫୨୪.୧୦ ପଏଣ୍ଟ ବା ୩.୫୩ ପ୍ରତିଶତ ହ୍ରାସ ପାଇ ୧୪୩୧୦ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ଟଙ୍କା ମଧ୍ୟ ଡଲାର ତୁଳନାରେ ଦୁର୍ବଳ ହୋଇଛି ।

ଦେଶରେ ଏବେ କରୋନାର ୨ୟ ଲହରୀ ଦେଖାଦେଇଛି । ୧ମ ଲହରୀ ତୁଳନାରେ ୨ୟ ଲହରୀରେ ଆହୁରି ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଛି । ଏହା ଫଳରେ କେତେକ ରାଜ୍ୟ ପୁଣି ଲକଡାଉନ ଲାଗୁ କରିବାକୁ ବିଚାର କରୁଛନ୍ତି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ । ପୁଣି ସଂକ୍ରମଣ ବଢୁଥିବାରୁ ତାହା ଅର୍ଥନୀତିକୁ ଆଉ ଥରେ ପ୍ରଭାବିତ କରିବାର ଆଶଙ୍କା ଦେଖାଦେଇଛି ।

ସମ୍ବନ୍ଧିତ ଖବର