କରୋନା ଭାଇରସକୁ ମହାମାରୀ ଘୋଷଣା ପରେ ଷ୍ଟକ ବଜାରରେ କମ୍ପନ, ନିବେଶକଙ୍କ ୬ ଲକ୍ଷ କୋଟି କ୍ଷତି

ମୁମ୍ବାଇ : କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲଏଚଓ) ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ତାହାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହା ଫଳରେ ବିଶ୍ୱ ଆର୍ଥିକ ସଂକଟ ଗଭୀର ହେବାର ଆଶଙ୍କା ଦେଖାଦେଇଛି । ଏହି ଆଶଙ୍କାରେ ସାରା ବିଶ୍ୱର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏପରିକି ଆମେରିକା ରାଷ୍ଟ୍ରପତିଙ୍କ ଭାଷଣ ପରେ ମଧ୍ୟ ନିବେଶକଙ୍କ ଭରସା ପାଉନାହିଁ ।

ଭାରତରେ ଦୁଇ ପ୍ରମୁଖ ଷ୍ଟକ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ ବଡ଼ ଧରଣର ହ୍ରାସ ଦେଖାଦେଇଛି । ସେନସେକ୍ସ ପ୍ରାୟ ୧୮୨୧ ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫଟୀ ମଧ୍ୟ ୫୪୧ ପଏଣ୍ଟ ହ୍ରାସ ପାଇ ୨୦୧୮ ଅକ୍ଟୋବର ପରଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଭାରତୀୟ ଟଙ୍କା ମଧ୍ୟ ୧୭ ମାସର ସର୍ବନିମ୍ନ ସ୍ତର ୭୪.୩୫ରେ ପହଞ୍ଚିଛି । ଷ୍ଟକ ବଜାରରେ ଏହି ଦ୍ରୁତ ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ହରାଇଥିବା ଅନୁମାନ କରାଯାଉଛି ।

Image Source: Hindustan Times

ସୂଚନାଯୋଗ୍ୟ ଯେ ଏହି ଭାଇରସ ଏବେ ବିଶ୍ୱର ୧୦୫ଟି ଦେଶରେ ପହଞ୍ଚିସାରିଲାଣି ଓ ବିଶ୍ୱର ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ଓ ୪୩୭୩ ଜଣ ମୃତ୍ୟୁବରଣ କରିଛନ୍ତି । ଭାରତ ସରକାର ମଧ୍ୟ ଏହାର ନିୟନ୍ତ୍ରଣ ପାଇଁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ପର୍ଯ୍ୟଟନ ଭିସାକୁ ରଦ୍ଦ କରାଯାଇଛି । ଲୋକମାନେ ଏକତ୍ରିତ ହେଉଥିବା ବିଭିନ୍ନ ସମାରୋହ ଉପରେ କଟକଣା ଲଗାଯାଇଛି ।

ସମ୍ବନ୍ଧିତ ଖବର