ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ, ୧୧୦୦ ପଏଣ୍ଟ କମିଲା ସେନସେକ୍ସ

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଆଜି ଏକ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ବିଏସଇ ସେନସକ୍ସ ୧୧୭୦ ପଏଣ୍ଟ ହ୍ରାସ ପାଇଥିବାବେଳେ ଏନଏସଇ ନିଫଟି ମଧ୍ୟ ୩୪୮ ପଏଣ୍ଟ ହ୍ରାସ ପାଇ ୧୭,୫୦୦ ତଳେ ବନ୍ଦ ହୋଇଛି ।

ମୁଦ୍ରାସ୍ପୀତି ଆଶଙ୍କା ଓ ଅନ୍ତର୍ଜାତୀୟ ବଜାର ପ୍ରଭାବ ଯୋଗୁଁ ଭାରତୀୟ ଷ୍ଟକ ବଜାରରେ ହ୍ରାସ ଦେଖାଦେଇଥିବା କୁହାଯାଇଛି । ସେନସେକ୍ସ ପ୍ରାୟ ୧୧୭୦.୧୨ ପଏଣ୍ଟ ହ୍ରାସ ପାଇ ୫୮୪୬୫.୮୯ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫଟୀ ୩୪୮.୩୦ ପଏଣ୍ଟ ୧୭,୪୧୬.୫୦ ପଏଣ୍ଟରେ ବନ୍ଦ ହୋଇଛି । ଗତ ୨ ମାସରେ ପ୍ରଥମ ଥର ପାଇଁ ସେନସେକ୍ସ ୫୯  ହଜାର ପଏଣ୍ଟ ତଳେ ବନ୍ଦ ହୋଇଛି । ରିଅଲିଟି, ଅଟୋ, ହେଲଥକେୟାର, ଅଏଲ ଏଣ୍ଡ ଗ୍ୟାସ ଓ ପିଏସୟୁ ବ୍ୟାଙ୍କ ସୂଚକାଙ୍କଗୁଡ଼ିକ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ।

ଷ୍ଟକ ବଜାର ହ୍ରାସର ଆଉ ଏକ କାରଣ ଭାବେ ସରକାରଙ୍କ ଦ୍ବାରା କୃଷି ଆଇନ ପ୍ରତ୍ୟାହାରକୁ କୁହାଯାଉଛି । ଆନ୍ଦୋଳନ ଚାପରେ ସରକାର ଆଗକୁ ମଧ୍ୟ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାରୁ ଓହରିବାର ଆଶଙ୍କା ଥିବାରୁ ନିବେଶକମାନେ ସତର୍କତା ଅବଲମ୍ବନ କରୁଛନ୍ତି ।

ଅନ୍ୟପକ୍ଷରେ ରିଲାଏନ୍ସ –ସାଉଦି ଆରାମକୋ ଡିଲ୍ ବାତିଲ ହେବା ଦ୍ବାରା ଅଏଲ ଓ ଗ୍ୟାସ ଷ୍ଟକ ଗୁଡ଼ିକରେ ହ୍ରାସ ଦେଖାଦେଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୪ ପ୍ରତିଶତ କମିଛି ।

ସମ୍ବନ୍ଧିତ ଖବର