ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଗତ ୫ଟି ସେସନରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଚାଲିଛି । ଏହା ଫଳରେ ନିବେଶକମାନେ ପ୍ରାୟ ୪ ଲକ୍ଷ ୩୦ ହଜାର କୋଟି ହରାଇଥିବା ଅନୁମାନ କରାଯାଉଛି । ମଙ୍ଗଳବାରଦିନ ବିଏସଇ ସେନସେକ୍ସ ପ୍ରାୟ ୪୩୦ ପଏଣ୍ଟ ହ୍ରାସ ପାଇ ବିଗତ ତିନି ମାସରେ ସର୍ବନିମ୍ନ ସ୍ତର ୩୩,୩୧୭ ପଏଣ୍ଟରେ ବନ୍ଦ ହୋଇଛି । ଏହା ଫଳରେ ଆଜି ଗୋଟିଏ ଦିନରେ ନିବେଶକମାନେ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କା ହରାଇଥିବା ଅନୁମାନ କରାଯାଉଛି ।
ଆଜିକୁ ମିଶାଇ ସେନସେକ୍ସ ଗତ ୫ଟି ସେସନରେ ମୋଟ ୧୧୨୯ ପଏଣ୍ଟ ହ୍ରାସ ପାଇଛି । ଅନ୍ୟପକ୍ଷରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟୀ ମଧ୍ୟ ୧୦୯ ପଏଣ୍ଟ ହ୍ରାସ ପାଇ ୧୦୨୪୯.୨୫ ପଏଣ୍ଟରେ ବନ୍ଦ ହୋଇଛି । ବ୍ୟାଙ୍କିଙ୍ଗ ଷ୍ଟକ ଗୁଡିକରେ ନିୟମିତ ହ୍ରାସ ଦେଖାଦେଇଛି । ବ୍ୟାଙ୍କଗୁଡ଼ିକରେ ବିଭିନ୍ନ ଠକେଇ ସାମନାକୁ ଆସିବା, ଉଚ୍ଚ ଏନପିଏ ବା ଅନାଦେୟ ଋଣ ଆଦି କାରଣରୁ ନିବେଶକମାନେ ଭରଷା ହରାଇଛନ୍ତି । ଆଜି ମଧ୍ୟ ଦେଶର ଦୁଇ ପ୍ରମୁଖ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କମଧ୍ୟ ମେହୁଲ ଚୋକସୀଙ୍କ କମ୍ପାନି ଗୀତାଞ୍ଜଳୀ ଜୁଏଲର୍ସକୁ ଯଥାକ୍ରମେ ୭୦୦ କୋଟି ଓ ୧୦୦୦ କୋଟିର ଋଣ ଦେଇଥିବା ଜଣାପଡିଛି । ଏହି କାରଣରୁ ଉଭୟ ବ୍ୟାଙ୍କର ମୁଖ୍ୟଙ୍କୁ ଜେରା କରାଯାଇଛି ।