ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ, ନିବେଶକ ହରାଇଲେ ୩ ଲକ୍ଷ କୋଟି

ମୁମ୍ବାଇ : ଆଜି ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ବିଏସଇ ସେନସେକ୍ସ ୮୭୧ ପଏଣ୍ଟ ହ୍ରାସ ପାଇ ୪୯୧୮୦.୩୧ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୨୬୫.୩୫ ପଏଣ୍ଟ ହ୍ରାସ ପାଇ  ୧୪୫୪୯ ପଏଣ୍ଟରେ ବନ୍ଦ ହୋଇଛି । ଷ୍ଟକ ବଜାରରେ ଏହି ହ୍ରାସ ଫଳରେ ଆଜି ନିବେଶକମାନେ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିବା ଅଟକଳ କରାଯାଉଛି ।

ଦେଶରେ ପୁଣି କରୋନା ସଂକ୍ରମଣ ବଢିଚାଲିଥିବାରୁ ତାହା ଅର୍ଥନୀତିର ସୁଧାରକୁ ପୁଣି ପ୍ରଭାବିତ କରିବାର ଆଶଙ୍କା ଦେଖାଦେଇଛି । ଏହାର ପ୍ରଭାବ ଷ୍ଟକବଜାର ଉପରେ ପଡ଼ିଛି । ବିଶେଷକରି ବ୍ୟାଙ୍କିଙ୍ଗ ଷ୍ଟକ ଗୁଡ଼ିକରେ ବ୍ୟାପକ ବିକ୍ରିବଟା ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ୟାଙ୍କମାନେ ଆଦାୟ କରିଥିବା ପ୍ରାୟ ୭୫୦୦ କୋଟି ଟଙ୍କାର ଚକ୍ରବର୍ତ୍ତୀ ସୁଧ ଫେରସ୍ତ କରିବା ଖବର ଆସିବା ପରେ ବ୍ୟାଙ୍କ ଷ୍ଟକ ଗୁଡ଼ିକ ହ୍ରାସ ପାଇଛି ।

ଭାରତରେ ଗତ କିଛି ମାସ ହେଲା କରୋନା ସଂକ୍ରମଣ କମୁଥିବାରୁ ଅର୍ଥନୈତିକ ସୁଧାର ବୃଦ୍ଧି ପାଇଥିଲା । କିନ୍ତୁ ପୁଣି ସଂକ୍ରମଣ ବଢିବା ପରେ ତାହା ଅର୍ଥନୈତିକ ଅଭିବୃଦ୍ଧିକୁ ତଳକୁ ଠେଲିଦେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର