ମୁମ୍ବାଇ : ଭାରତୀୟ ଷ୍ଟକବଜାର ସମେତ ସମଗ୍ର ଅନ୍ତର୍ଜାତୀୟ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ସୋମବାରଦିନ ସେନସେକ୍ସ ୮୬୫ ପଏଣ୍ଟ ହ୍ରାସ ପାଇଥିଲା । ପରେ ସ୍ଥିତିରେ କିଛିଟା ସୁଧାର ଆସିଥିଲା ଓ ସୂଚକାଙ୍କ ୩୬୦.୯୫ ପଏଣ୍ଟ ହ୍ରାସ ସହ ୫୭,୬୨୮ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ଦିନ ମଧ୍ୟରେ ନିଫଟୀ ସର୍ବାଧିକ ୨୬୫ ପଏଣ୍ଟ ହ୍ରାସ ପାଇଥିଲା । ଶେଷରେ ନିଫଟୀ ୧୧୧ ପଏଣ୍ଟ ହ୍ରାସ ପାଇ ୧୬,୯୮୮ ପଏଣ୍ଟରେ ବନ୍ଦ ହୋଇଛି ।
ଆମେରିକା ଓ ୟୁରୋପୀୟ ବ୍ୟାଙ୍କ କ୍ଷେତ୍ରରେ ଦେଖାଯାଇଥିବା ବ୍ୟାଙ୍କ ସଂକଟର ପ୍ରଭାବ ଷ୍ଟକ ବଜାର ଉପରେ ପଡ଼ିବାରେ ଲାଗିଛି । ଏପରିକି ୟୁବିଏସ ଦ୍ବାରା କ୍ରେଡିଟ ସୁଇସର ଅଧିଗ୍ରହଣ ବି ବଜାରରେ ଉତ୍ସାହ ଆଣିପାରିନାହିଁ । ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡ଼ିବା ପରେ ସେନସେକ୍ସ ପ୍ରାୟ ୩ ହଜାର ପଏଣ୍ଟ ହ୍ରାସ ପାଇଲାଣି । ଏହି ହ୍ରାସ ଫଳରେ ନିବେଶକମାନେ ବିପୁଳ ପରିମାଣରେ କ୍ଷତି ସହିଚାଲିଛନ୍ତି ।
ବ୍ୟାଙ୍କ ସଂକଟ ଯୋଗୁଁ ପୁଣି ଥରେ ୨୦୦୮ ପରି ଆର୍ଥିକ ମାନ୍ଦାବସ୍ଥା ଆଣିବାର ଅଶଙ୍କା ବଢିଯାଇଛି । ଏହା ଫଳରେ ନିବେଶକମାନେ ଷ୍ଟକବଜାର ଓ ବ୍ୟାଙ୍କରୁ ଅର୍ଥ କାଢି ସୁନା, କ୍ରିପ୍ଟୋ ପରି ବିକଳ୍ପରେ ନିବେଶ କରୁଛନ୍ତି । ଏଥିପାଇଁ ଉଭୟ ସୁନା ଓ କ୍ରିପ୍ଟୋକରେନ୍ସିରେ ଉତ୍ସାହ ଦେଖାଦେଇଛି । ବ୍ୟାଙ୍କ ସଂକଟ ଯୋଗୁଁ ଅଶୋଧିତ ତୈଳ ଦର ବି ହ୍ରାସ ପାଇଚାଲିଛି ।