ମୁମ୍ବାଇ: ସୋମବାର ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ କାରବାର ଘୋର ଅସ୍ଥିର ରହିଥିଲା। ସେନ୍ସେକ୍ସ ୧୦୪୮ ପଏଣ୍ଟ ତଳକୁ ଖସି ୭୬,୩୩୦ ପଏଣ୍ଟରେ ବନ୍ଦ ହୋଇଛି। ଫଳରେ ନିବେଶକମାନଙ୍କ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା ଡୁବିଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୪୫ ପଏଣ୍ଟ ହ୍ରାସ ପାଇ ୨୩,୦୮୬ ପଏଣ୍ଟରେ ବନ୍ଦ ହୋଇଛି। ଆମେରିକାର ନିଯୁକ୍ତି ତଥ୍ୟ ଉତ୍ସାହଜନକ ରହିବାରୁ ତାହା ସୁଧ ହ୍ରାସକୁ ବିଳମ୍ବ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ସେଥିପାଇଁ ଭୟରେ ନିବେଶକମାନେ ପ୍ରଭାବିତ ହେବାକୁ ଥିବା କମ୍ପାନିଗୁଡ଼ିକର ସେୟାର ବିକ୍ରି କରିଥିଲେ। ଆମେରିକୀୟ ଡଲାର ତୁଳନାରେ ଟଙ୍କା ପ୍ରଥମ ଥର ଲାଗି ୮୬ ଟଙ୍କାରୁ ଅଧିକ ହେବା, ଅଶୋଧିତ ତୈଳ ଦରରେ ବୃଦ୍ଧି ଭଳି ଖବର ନିଆଁରେ ଘିଅ ଢାଳିବା ଭଳି କାମ କରିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଜୋମାଟୋ, ପାୱାର ଗ୍ରିଡ୍, ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ର ସେୟାର ମୂଲ୍ୟ କମିଥିଲା। ସେହି ସମୟରେ ଆକ୍ସିସ୍ ବ୍ୟାଙ୍କ, ଟିସିଏସ୍, ହିନ୍ଦୁସ୍ତାନ ୟୁନିଲିଭର ଓ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଛି। ମୋଟ ଉପରେ ରିଅଲ ଇଷ୍ଟେଟ୍, ଗଣମାଧ୍ୟମ, ସୂଚନା ପ୍ରଯୁକ୍ତି ଓ ଟେଲିକମ୍ କ୍ଷେତ୍ରର କମ୍ପାନିଗୁଡ଼ିକର ପ୍ରଦର୍ଶନ ସେୟାର ବଜାରର ଦୁର୍ବଳ ରହିଥିଲା।
ଅଜବ ସଂଯୋଗ: ୨୦ବର୍ଷ ଧରି କୁମ୍ଭମେଳାରେ ଖସୁଛି ସେନ୍ସେକ୍ସ
ମୁମ୍ବାଇ: କୁମ୍ଭମେଳା ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ମଧ୍ୟରେ ଏକ ଅଜବ ସଂଯୋଗ ରହିଛି। ଯେତେବେଳେ ଦେଶରେ କୁମ୍ଭମେଳା ଆୟୋଜନ ହୋଇଛି, ପ୍ରତି ଥର ସେନ୍ସେକ୍ସ ତଳକୁ ଖସିଛି। ସୋମବାରଠାରୁ ଉତ୍ତରପ୍ରଦେଶରେ ପ୍ରୟାଗରାଜରେ କୁମ୍ଭମେଳା ଆରମ୍ଭ ହୋଇଥିବା ବେଳେ ସେନ୍ସେକ୍ସ ୧୦୪୮ ପଏଣ୍ଟ ତଳକୁ ଖସି ସେହି ଧାରାକୁ ବଜାୟ ରଖିଛି। ଗତ ୨୦ ବର୍ଷ ମଧ୍ୟରେ ଛଅ ଥର କୁମ୍ଭ ମେଳା ଆୟୋଜିତ ହୋଇଛି। ପ୍ରତିଥର ସେନ୍ସେକ୍ସ ତଳକୁ ଖସିଛି। ସାଧାରଣତଃ କୁମ୍ଭମେଳା ୫୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ସେହି ସମୟ ଭିତରେ ସେନ୍ସେକ୍ସରେ ହାରାହାରି ୩.୪୨ ପ୍ରତିଶତ ହ୍ରାସ ହୋଇଥାଏ। ୨୦୧୫ କୁମ୍ଭ ମେଳା ବେଳେ ସେନ୍ସେକ୍ସ ୮.୨୯ ପ୍ରତିଶତ ଖସିଥିଲା। ୨୦୨୧ କୁମ୍ଭ ବେଳେ ତାହା ୪.୧୬ ପ୍ରତିଶତ ଓ ୨୦୨୪ କୁମ୍ଭରେ ୩.୨୯ ପ୍ରତିଶତ ହ୍ରାସ ପାଇଥିଲା। ତେବେ କୁମ୍ଭମେଳା ଶେଷ ହେବା ପରେ ସେନ୍ସେକ୍ସ ବଢ଼ିବାର ମଧ୍ୟ ନଜିର ରହିଛି। ଶେଷ ଛଅଟି କୁମ୍ଭମେଳା ମଧ୍ୟରୁ ପାଞ୍ଚ ଥର ମେଳା ଶେଷ ହେବା ପରେ ସେନ୍ସେକ୍ସରେ ହାରାହାରି ୮ ପ୍ରତିଶତ ବୃଦ୍ଧି ହୋଇଥିଲା।