ମୁମ୍ବାଇ: ବମ୍ବେ ଷ୍ଟକ୍ ବଜାର ଲାଗି ଆଜି ଏକ ଖରାପ ଦିନ ଥିଲା। ବିଶ୍ବର ବିଭିନ୍ନ ଦେଶରେ ସେୟାର କାରବାର ମାନ୍ଦା ରହିବା ଏବଂ କିଛି ନିବେଶକ ଲାଭ ପାଇବା ଆଶାରେ ସେୟାର ବିକ୍ରି କରିବାରୁ ସେନ୍ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଛି। ତାହାର ପ୍ରଭାବରେ ନିବେଶକମାନେ ଆଜି ପ୍ରାୟ ସାଢ଼େ ଆଠ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ସେନ୍ସେକ୍ସ ଆଜି ୧୦୫୩ ପଏଣ୍ଟ ହ୍ରାସ ପାଇ ୭୦୩୭୦ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୩୩୩ ପଏଣ୍ଟ ହ୍ରାସ ପାଇ ୨୧୨୩୮ ପଏଣ୍ଟରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୮.୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୩୬୫,୯୭,୯୧୫ କୋଟି ଟଙ୍କାକୁ ହ୍ରାସ ପାଇଛି।
ଗତକାଲି ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଷ୍ଟକ୍ ବଜାର ବନ୍ଦ ଥିଲା। ଆଜି ବଜାର ଖୋଲିବା ପରେ କାରବାର ସ୍ବାଭାବିକ ରହିଥିଲା। କିନ୍ତୁ ହଠାତ ସେଥିରେ ଦ୍ରୁତ ହ୍ରାସ ଘଟିବା ଆରମ୍ଭ ହୋଇଥିଲା। ଲୋହିତ ସାଗରରେ ହୁତି ଆକ୍ରମଣ ବିଶ୍ବ ବାଣିଜ୍ୟରେ ବିଭ୍ରାଟ ଆଣିବା, ବ୍ୟାଙ୍କ ଅଫ୍ ଜାପାନ ସୁଧ ହାର ଅପରିବର୍ତ୍ତିତ ରଖିବା ଏବଂ କିଛି କମ୍ପାନିର ଆର୍ଥିକ ଫଳାଫଳ ଉତ୍ସାହଜନକ ନରହିବା ଭଳି ଘଟଣାକୁ ଦୃଷ୍ଟିରେ ରଖି ନିବେଶକମାନେ ସେୟାର ବିକ୍ରି କରିଥିଲେ। ବମ୍ବେ ଷ୍ଟକ ବଜାରରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଆକ୍ସିସ ବ୍ୟାଙ୍କ ଓ ଏଚ୍ଡିଏଫସି ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରର କମ୍ପାନିଗୁଡ଼ିକୁ ବାଦ ଦେଲେ ଅନ୍ୟାନ୍ୟ ସବୁ କ୍ଷେତ୍ର ଯଥା ରିଅଲ ଇଷ୍ଟେଟ, ଧାତବ, ତୈଳ ଓ ଗ୍ୟାସ, ଶକ୍ତି କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ଖସିଛି। ଗତ କିଛି ଦିନ ଧରି ଷ୍ଟକ୍ ବଜାରରେ ଉତ୍ସାହ ରହିଥିଲା। ନିବେଶକମାନେ ସେୟାର କିଣାକିଣି କରୁଥିବାରୁ ସେନ୍ସେକ୍ସ ସର୍ବକାଳୀନ ରେକର୍ଡ ସ୍ତର ୭୨ ହଜାର ପଏଣ୍ଟ ଅତିକ୍ରମ କରିଥିଲା। କିନ୍ତୁ ଗୋଟିଏ ବ୍ୟତିକ୍ରମ ହେଉଛି ବୈଦେଶିକ ସଂସ୍ଥାଗତ ନିବେଶକମାନେ ଚଳିତ ମାସରେ ୧୩ ହଜାର କୋଟି ଟଙ୍କାରୁ ଅଧିକ ପ୍ରତ୍ୟାହାର କରିସାରିଲେଣି। ଅନ୍ୟ ପକ୍ଷରେ ବିଶ୍ବରେ ଘଟୁଥିବା ଘଟଣାଗୁଡ଼ିକ ମଧ୍ୟ ସେୟାର କାରବାରକୁ ପ୍ରଭାବିତ କରୁଛି।
ହଂକଂକୁ ହଟାଇ ଭାରତ ହେଲା ଚତୁର୍ଥ ବଡ଼ ଷ୍ଟକ୍ ବଜାର
ମୁମ୍ବାଇ: ଆଜି ଭାରତୀୟ ଷ୍ଟକ୍ ବଜାର ଅସ୍ଥିର ରହିବା ସତ୍ତ୍ବେ ଏକ ଭଲ ଖବର ଆଣିଥିଲା। ହଂକଂକୁ ହଟାଇ ଭାରତ ବିଶ୍ବର ଚତୁର୍ଥ ବଡ଼ ଷ୍ଟକ ବଜାର ମାନ୍ୟତା ହାସଲ କରିଥିଲା। ଭାରତ ଷ୍ଟକ ବଜାର ମୂଲ୍ୟ ୪.୩୩ ଟ୍ରିଲିଅନ ଡଲାରକୁ ବୃଦ୍ଧି ପାଇଥିଲା ଯାହା ହଂକଂର ଷ୍ଟକ ବଜାର ମୂଲ୍ୟ ୪.୨୯ ଟ୍ରିଲିଅନ ଡଲାରଠାରୁ ଅଧିକ। ଗତବର୍ଷ ଡିସେମ୍ବର ୫ରେ ଭାରତୀୟ ଷ୍ଟକ ବଜାର ୪ ଟ୍ରିଲିଅନ ଡଲାର କ୍ଲବରେ ପ୍ରବେଶ କରିଥିଲା। ୨୦୨୧ ପରେ ଚୀନ ଓ ହଂକଂ ଷ୍ଟକ ବଜାର ମୂଲ୍ୟ ୬ ଟ୍ରିଲିଅନ ଡଲାରରୁ ଅଧିକ ହ୍ରାସ ପାଇଛି। ଇନିସିଆଲ ପବ୍ଲିକ ଅଫର (ଆଇପିଓ) ପାଇଁ ହଂକଂ ଷ୍ଟକ୍ ବଜାର ବେଶ ପରିଚିତ ଥିଲା। ସେଠାରେ ଅସ୍ଥିରତା କାରଣରୁ ଆଇପିଓ ସଂଖ୍ୟା କମ ହୋଇଛି। ଅନ୍ୟପକ୍ଷରେ ଚୀନରୁ ବହୁ ନିବେଶକ ପାଣ୍ଠି ପ୍ରତ୍ୟାହାର କରି ଅନ୍ୟ ଦେଶରେ ନିବେଶ କରୁଥିବାରୁ ତାହାର ଲାଭ ମଧ୍ୟ ଭାରତୀୟ ଷ୍ଟକ ବଜାରକୁ ମିଳିଛି।